ଜୁଲାଇ ୧୪ରେ ରାଜ୍ୟର ସମସ୍ତ ୟୁ ଏଲ୍ ବିରେ ପାଳନ ହେବ ‘ନମସ୍ତେ ଦିବସ’

ସଫେଇ ମିତ୍ରଙ୍କୁ ସମ୍ମାନ ଓ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋତ୍ସାହନ

ଭୁବନେଶ୍ୱର, ୧୦/୦୭: ସଫେଇ ମିତ୍ରଙ୍କ ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଓ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଚଳିତ ମାସ ୧୪ ତାରିଖରେ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)ରେ ‘ନମସ୍ତେ ଦିବସ’ ପାଳନ କରାଯିବ । ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦକୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରାଯାଇଛି ।

ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଏବଂ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ‘ନ୍ୟାସନାଲ୍ ଆକ୍ସନ୍ ଫର୍ ମେକାନାଇଜ୍ଡ ସାନିଟେସନ୍ ଇକୋସିଷ୍ଟମ୍ (NAMASTE)’ କାର୍ଯ୍ୟକ୍ରମ ଅନୁଯାୟୀ ଏହି ଦିବସ ପାଳନ କରାଯାଉଛି ।

ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ସମସ୍ତ ମହାନଗର ନିଗମ କମିଶନର ଓ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ଥାନୀୟ ସ୍ତରରେ ଜନପ୍ରତିନିଧି, ସରକାରୀ ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ଭାବେ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ୱଚ୍ଛ ଭାରତ ମିଶନ (ସହରାଞ୍ଚଳ) ଆଇ. ଇ. ସି. ପାଣ୍ଠିର ଉପଯୋଗ ଅନୁମୋଦିତ ଆର୍ଥିକ ନିୟମ ଅନୁଯାୟୀ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ବିଭାଗ ଅନୁମୋଦନ କରିଛି । ସ୍ୱଚ୍ଛତା କର୍ମୀମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ୟୁନିଫର୍ମ ପିନ୍ଧି ଏକତ୍ରିତ ହେବେ, ଯେଉଁଥିରେ NAMASTE ଏବଂ ସ୍ୱଚ୍ଛ ଭାରତ ମିଶନର ଲୋଗୋ ଥିବା ବ୍ୟାନର ପ୍ରଦର୍ଶିତ ହେବ ।

ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣକାରୀ ଯୋଜନାରେ ସଂଯୋଗ ଶିବିର, ଆୟୁଷ୍ମାନ୍ ଭାରତ କାର୍ଡ ଓ ନମସ୍ତେ ପରିଚୟପତ୍ର ବଣ୍ଟନ, ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ ବଣ୍ଟନ ଏବଂ ଆଧୁନିକ ଯାନ୍ତ୍ରିକ ସ୍ୱଚ୍ଛତା ଉପକରଣର ପ୍ରଦର୍ଶନ କରାଯିବ । ଉଲ୍ଲେଖନୀୟ ସେବା ପାଇଁ ସଫେଇ କର୍ମଚାରୀଙ୍କୁ ସମ୍ମାନିତ ମଧ୍ୟ କରାଯିବ ।

‘ନମସ୍ତେ ଦିବସ’ ପାଳନ ମାଧ୍ୟମରେ ରାଜ୍ୟ ସରକାର ସଫେଇ କର୍ମଚାରୀଙ୍କ ସୁରକ୍ଷା, ସମ୍ମାନ ଓ କଲ୍ୟାଣ ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରିବା ସହ ସମ୍ପୂର୍ଣ୍ଣ ଯାନ୍ତ୍ରିକ, ନିରାପଦ ଓ ମାନବିକ ସହରାଞ୍ଚଳ ସ୍ୱଚ୍ଛତା ବ୍ୟବସ୍ଥା ଗଠନ ଦିଗରେ ଆଉ ଏକ ପଦକ୍ଷେପ ।