ଜଳୁଛି ଫ୍ରାନ୍ସ: ରାଜରାସ୍ତାରେ ଲକ୍ଷାଧିକ ଆନ୍ଦୋଳନକାରୀ, ଲୁଟପାଟ ସହ ଭୟଙ୍କର ହିଂସାକାଣ୍ଡ

୧୨୦୦ରୁ ଅଧିକ ଗିରଫ, ହିଂସା ନିୟନ୍ତ୍ରଣ ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ

ପ୍ୟାରିସ, ୧୮/୧୦: ଫ୍ରାନ୍ସରେ ଦରଦାମ ବୃଦ୍ଧି, ଜୀବନଯାପନ ଖର୍ଚ୍ଚରେ ବୃଦ୍ଧି ଏବଂ ସରକାରୀ ସେବାର ଅବନତିକୁ ନେଇ ଆରମ୍ଭ ହୋଇଥିବା ଜନଆନ୍ଦୋଳନ ଶନିବାର ଭୟଙ୍କର ହିଂସାର ରୂପ ନେଇଛି। ଦେଶର ବିଭିନ୍ନ ସହରରେ ପ୍ରଦର୍ଶନକାରୀମାନେ ରାସ୍ତାରେ ନିଆଁ ଲଗାଇବା ସହ ଗାଡ଼ି ପୋଡ଼ି ଦେଇଛନ୍ତି ଏବଂ ଅନେକ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଭଙ୍ଗାରୁଜା ଓ ଲୁଟ୍‌ପାଟ୍‌ କରିଛନ୍ତି। ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ଲୁହବୁହା ଗ୍ୟାସ୍‌ ବ୍ୟବହାର କରିଛି। ଏହି ଆନ୍ଦୋଳନରେ ପ୍ରାୟ ୫ ଲକ୍ଷ ୫୦ ହଜାର ଲୋକ ସାମିଲ ହୋଇଥିବା ଫ୍ରାନ୍ସର ଗୃହମନ୍ତ୍ରୀ ଲୋରାଁ ନ୍ୟୁନେଜ୍‌ କହିଛନ୍ତି। ତେବେ ଆନ୍ଦୋଳନର ଆୟୋଜକମାନେ ଏହି ସଂଖ୍ୟା ଆହୁରି ଅଧିକ ବୋଲି ଦାବି କରିଛନ୍ତି।

ପ୍ରଦର୍ଶନ ବେଳେ ହିଂସା ଓ ଲୁଟ୍‌ପାଟ୍‌ ଅଭିଯୋଗରେ ୧୨୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ଫ୍ରାନ୍ସର ପ୍ରଧାନମନ୍ତ୍ରୀ ସେବାସ୍ତିଆନ୍‌ ଲେକର୍ନୁଙ୍କ କହିବା ଅନୁସାରେ, ସଂଘର୍ଷରେ ପ୍ରାୟ ୧୫୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ରାଜଧାନୀ ପ୍ୟାରିସ୍‌ ସମେତ ଲିଅନ୍‌, ବୋର୍ଡୋ, ଲିଲ୍‌, ମାର୍ସେଇ, ଲିମୋଜ୍‌ ଓ ଅନ୍ୟାନ୍ୟ ସହରରେ ହିଂସାକାଣ୍ଡ ଘଟିଥିବା ଖବର ମିଳିଛି।

ଶନିବାର ଅପରାହ୍ଣରେ ପ୍ୟାରିସ୍‌ରେ ଆରମ୍ଭ ହୋଇଥିବା ମୁଖ୍ୟ ପଦଯାତ୍ରା ପ୍ରଥମେ ଶାନ୍ତିପୂର୍ଣ୍ଣ ଥିଲା। କିନ୍ତୁ ସନ୍ଧ୍ୟା ହେବା ସହ ପରିସ୍ଥିତି ବିଗିଡ଼ିବାକୁ ଲାଗିଥିଲା। କିଛି ପ୍ରଦର୍ଶନକାରୀ ରାସ୍ତାରେ ନିଆଁ ଲଗାଇବା ସହ ପ୍ରମୁଖ ସ୍ଥାନ ପ୍ଲାସ୍‌ ଦେ ଲା ରିପବ୍ଲିକ୍‌ ନିକଟରେ ଗାଡ଼ି ପୋଡ଼ି ଦେଇଥିଲେ। ଏହାପରେ ପୁଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

ସ୍ଥିତି ନିୟନ୍ତ୍ରଣ କରିବାକୁ ଦଙ୍ଗା ନିୟନ୍ତ୍ରଣକାରୀ ପୁଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ପ୍ୟାରିସ୍‌ରେ ପୋଷାକ ଦୋକାନ ଓ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ପ୍ରତିଷ୍ଠାନଗୁଡ଼ିକରେ ମଧ୍ୟ ଆକ୍ରମଣର ହୋଇଛି। ଅନେକ ବ୍ୟବସାୟିକ ପ୍ରତିଷ୍ଠାନରେ ଭଙ୍ଗାରୁଜା ସହ ଲୁଟ୍‌ପାଟ୍‌ ହୋଇଥିବା ଖବର ମିଳିଛି। ଲିଲ୍‌ରେ ଥିବା ଏକ ଆପଲ୍‌ ଷ୍ଟୋର୍‌ ଏବଂ ବୋର୍ଡୋରେ ଏକ ଲୁଇ ଭିଟନ୍‌ ଷ୍ଟୋର୍‌କୁ ମଧ୍ୟ ଲୁଟ୍‌ କରାଯାଇଛି।

ଆନ୍ଦୋଳନର ହିଂସା କେବଳ ପ୍ୟାରିସ୍‌ରେ ସୀମିତ ରହିନାହିଁ। ଲିଅନ୍‌ ସହରର ପର୍ଯ୍ୟଟନ କାର୍ଯ୍ୟାଳୟରେ ନିଆଁ ଲାଗିବା ଫଳରେ ଏହାର କୋଠା କ୍ଷତିଗ୍ରସ୍ତ ହୋଇଛି। ମେୟର ଗ୍ରେଗୋରୀ ଡୁସେ ଏହି ଘଟଣାକୁ ଦୁଃଖଦ ବୋଲି କହିଛନ୍ତି। ତାଙ୍କ କହିବା ଅନୁସାରେ, ଏହି କୋଠାଟି ଏକ ପ୍ରସିଦ୍ଧ ଐତିହାସିକ ସ୍ଥାନ ହୋଇଥିବାରୁ ଏହାର କ୍ଷତି ସହରବାସୀଙ୍କ ପାଇଁ ଦୁଃଖଦାୟକ। ସ୍ଥାନୀୟ ପୁଲିସ କହିଛି ଯେ କିଛି ଉତ୍ତ୍ୟକ୍ତ ବ୍ୟକ୍ତି ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବାକୁ ମଧ୍ୟ ବାଧା ଦେଇଥିଲେ।

ସେହିପରି ଲିମୋଜ୍‌ ସହରର ଟାଉନ୍‌ ହଲ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିବାରୁ କୋଠାର ଛାତର ଏକ ଅଂଶ ଭୁଶୁଡ଼ି ପଡ଼ିଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି। ଗ୍ରେନୋବଲ୍‌, ଆଭିନନ୍‌, ପାଉ, ମଣ୍ଟପେଲିଅର୍‌ ଓ ଭାଲାନ୍ସ ସହରରେ ମଧ୍ୟ ବିଭିନ୍ନ କୋଠା କ୍ଷତିଗ୍ରସ୍ତ ହୋଇଛି।

ଗ୍ରେନୋବଲ୍‌ରେ ମୁଖା ପିନ୍ଧିଥିବା କିଛି ବ୍ୟକ୍ତି ଏକ ପର୍ଯ୍ୟଟକ ଟ୍ରେନ୍‌କୁ ସହରର ଏକ ସଂକୀର୍ଣ୍ଣ ରାସ୍ତାରେ ଚଳାଇ ଅତି କମ୍‌ରେ ତିନି ଜଣ ଦଙ୍ଗା ନିୟନ୍ତ୍ରଣକାରୀ ପୁଲିସ କର୍ମଚାରୀଙ୍କ ଆଡ଼କୁ ନେଇଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ଆନ୍ଦୋଳନ ସମୟରେ ପ୍ରଦର୍ଶନକାରୀଙ୍କ ମଧ୍ୟରୁ ମଧ୍ୟ ଅନେକ ଆହତ ହୋଇଛନ୍ତି। ସେଣ୍ଟ୍‌-ଏଟିଏନ୍‌ ସହରର ମେୟର ରେଜିସ୍‌ ଜୁଆନିକୋ କହିଛନ୍ତି ଯେ ଗ୍ରେନେଡ୍‌ ବିସ୍ଫୋରଣରେ ଜଣେ ଯୁବକଙ୍କ ହାତ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ ଏପରି ଘଟଣା କେବେ ଘଟିବା ଉଚିତ୍‌ ନୁହେଁ ବୋଲି କହିଛନ୍ତି।

ଅନ୍ୟପଟେ, ଏକ ଷ୍ଟନ୍‌ ଗ୍ରେନେଡ୍‌ ଉଠାଇବା ପରେ ଜଣେ କିଶୋର ଗୁରୁତର ଆହତ ହୋଇ ତାଙ୍କ ହାତ ହରାଇଥିବା ଖବର ମଧ୍ୟ ଆସିଛି। ଏହି ଘଟଣାଗୁଡ଼ିକ ପରେ ପ୍ରଦର୍ଶନ ସମୟରେ ପୁଲିସ କେଉଁ ପ୍ରକାରର ଅସ୍ତ୍ର ଓ ଭିଡ଼ ନିୟନ୍ତ୍ରଣ ପଦ୍ଧତି ବ୍ୟବହାର କରୁଛି, ତାହାକୁ ନେଇ ପ୍ରଶ୍ନ ଉଠିଛି।

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ ହିଂସା, ଅଗ୍ନିକାଣ୍ଡ, ଦୋକାନ ଲୁଟ୍‌ ଓ ସରକାରୀ କୋଠା ଉପରେ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ହିଂସାରେ ସାମିଲ ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଶନିବାର ବିଳମ୍ବିତ ରାତିରେ ସେ ଏକ ବିବୃତି ଜାରି କରି କହିଛନ୍ତି ଯେ ପ୍ରଶାସନିକ କାର୍ଯ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ ଓ ପୌରପାଳିକା କୋଠା ଉପରେ ଆକ୍ରମଣ କରିଥିବା ଏବଂ ଲୁଟ୍‌ପାଟ୍‌ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଦଣ୍ଡ ଦିଆଯିବ। ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକୁ ବାଧା ଦେଉଥିବା ଅରାଜକତା ସୃଷ୍ଟିକାରୀଙ୍କୁ ମଧ୍ୟ ସେ ସମାଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ସେବାସ୍ତିଆନ୍‌ ଲେକର୍ନୁ କହିଛନ୍ତି ଯେ ପୁଲିସକୁ ଅତ୍ୟନ୍ତ ତୀବ୍ର ହିଂସାର ସାମ୍ନା କରିବାକୁ ପଡ଼ିଛି। କିଛି ଗୋଷ୍ଠୀ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ପ୍ରଦର୍ଶନକୁ ଏକ ପ୍ରକାର ପ୍ରସ୍ତୁତି ଭାବେ ବ୍ୟବହାର କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ହିଂସା ମାଧ୍ୟମରେ କୌଣସି ଗୋଷ୍ଠୀ ନିଜର ରାଜନୈତିକ ଏଜେଣ୍ଡା ଲାଗୁ କରିପାରିବେ ନାହିଁ ବୋଲି ସେ କହିଛନ୍ତି।

ପ୍ରଦର୍ଶନକାରୀଙ୍କ ଉପରେ ପୁଲିସର ବଳ ପ୍ରୟୋଗକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି। ଲାଠିଚାଳନା, ଷ୍ଟନ୍‌ ଗ୍ରେନେଡ୍‌ ବ୍ୟବହାର ଓ ପ୍ରଦର୍ଶନକାରୀଙ୍କ ଆହତ ହେବା ନେଇ ଅନେକ ଅଭିଯୋଗ କରିଛନ୍ତି।

ପୁଲିସ ସଂଘ ‘ୟୁଏନ୍‌ଏସ୍‌ଏ’ ମଧ୍ୟ ପୁଲିସ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛି। ଏକ୍ସରେ ଜାରି କରାଯାଇଥିବା ଭିଡିଓରେ ବିଭିନ୍ନ ସ୍ଥାନରେ ଉତ୍ତ୍ୟକ୍ତ ଲୋକେ ପୁଲିସ ଭ୍ୟାନ୍‌ ଉପରେ ଠେଙ୍ଗା ଓ ଇଟାରେ ଆକ୍ରମଣ କରୁଥିବା ଦୃଶ୍ୟ ଥିବା ସଂଘ ଦାବି କରିଛି।

ପୁଲିସ କର୍ମଚାରୀମାନେ ବାରମ୍ବାର ପଥରମାଡ଼ ଓ ଆକ୍ରମଣର ଶିକାର ହେଉଛନ୍ତି ବୋଲି ସଂଘ କହିବା ସହ ଏହି ପରିସ୍ଥିତି ଅଧିକ ଦିନ ଚାଲିପାରିବ ନାହିଁ ବୋଲି ଚେତାବନୀ ଦେଇଛି।

ଅନ୍ୟପଟେ, ପ୍ୟାରିସ୍‌ ପୁଲିସ ପ୍ରଶାସନ କହିଛି ଯେ ହିଂସାକାରୀଙ୍କ ସାମ୍ନାରେ ପୁଲିସ ପଛକୁ ହଟିବ ନାହିଁ। ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ କର୍ମଚାରୀମାନେ ସାହସ ଓ ବୃତ୍ତିଗତ ଦକ୍ଷତାର ସହ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

କାହିଁକି ରାସ୍ତାକୁ ଓହ୍ଲାଇଛନ୍ତି ଲକ୍ଷ ଲକ୍ଷ ଲୋକ?

ଏହି ଆନ୍ଦୋଳନର ମୂଳ କାରଣ ହେଉଛି ଫ୍ରାନ୍ସର ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ସମସ୍ୟା ଏବଂ ସରକାରୀ ସେବାକୁ ନେଇ ଅସନ୍ତୋଷ। ଫ୍ରାନ୍ସରେ ୧୫ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀ ପଢ଼ୁଥିବା ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ‘ଲିସେ’ କୁହାଯାଏ। ଗତ କିଛି ସପ୍ତାହ ଧରି ହଜାର ହଜାର ଛାତ୍ରଛାତ୍ରୀ ଶିକ୍ଷକଙ୍କ ଅଭାବ, ଖରାପ ଶିକ୍ଷା ଭିତ୍ତିଭୂମି ଓ ବିଦ୍ୟାଳୟର ଅବ୍ୟବସ୍ଥା ବିରୋଧରେ ପ୍ରତିବାଦ କରୁଛନ୍ତି।

ପରେ ଏହି ଆନ୍ଦୋଳନକୁ ଶ୍ରମିକ ସଂଗଠନ ଓ ଦରଦାମ ବୃଦ୍ଧିରେ ଅସନ୍ତୁଷ୍ଟ ବିଭିନ୍ନ ଗୋଷ୍ଠୀ ସମର୍ଥନ କରିଛନ୍ତି। ୨୦୧୮ରେ ଇନ୍ଧନ ମୂଲ୍ୟ ବୃଦ୍ଧି ଓ ଜୀବନଯାପନ ଖର୍ଚ୍ଚକୁ ନେଇ ଆରମ୍ଭ ହୋଇଥିବା ‘ୟେଲୋ ଭେଷ୍ଟ’ ଆନ୍ଦୋଳନ ସହ ଜଡ଼ିତ କିଛି ଲୋକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

ଏହିପରି ଭିନ୍ନ ଭିନ୍ନ ସମସ୍ୟାକୁ ନେଇ ଅସନ୍ତୁଷ୍ଟ ଲୋକେ ଏକାଠି ହୋଇଛନ୍ତି। ସେମାନଙ୍କର ସାଧାରଣ ଅଭିଯୋଗ ହେଉଛି, ସରକାର ଲୋକଙ୍କ ଆର୍ଥିକ ସମସ୍ୟା ଓ ସାମାଜିକ ଆବଶ୍ୟକତାକୁ ଉପଯୁକ୍ତ ଗୁରୁତ୍ୱ ଦେଉନାହାନ୍ତି।

ଏହାର ଜବାବରେ ଶିକ୍ଷାମନ୍ତ୍ରୀ ଏଡୁଆର୍ଡ ଗେଫ୍ରେ ଅକ୍ଟୋବର ୮ ତାରିଖରେ ଏକ ଟେଲିଭିଜନ୍‌ ସାକ୍ଷାତକାରରେ ୩ ହଜାର ଅତିରିକ୍ତ ଅସ୍ଥାୟୀ ଶିକ୍ଷକ ନିଯୁକ୍ତ କରିବାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସରକାରଙ୍କ ଏହି ଘୋଷଣା ସତ୍ତ୍ୱେ ଆନ୍ଦୋଳନ ଥମିବା ପରିବର୍ତ୍ତେ ଅଧିକ ତୀବ୍ର ହୋଇଛି।

ଫ୍ରାନ୍ସରେ ଆଗାମୀ ବର୍ଷ ଏପ୍ରିଲ୍‌ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାରୁ ଏହି ଆନ୍ଦୋଳନ ଦେଶର ରାଜନୈତିକ ପରିସ୍ଥିତିକୁ ମଧ୍ୟ ପ୍ରଭାବିତ କରିଛି। ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ଶେଷ ହେବାକୁ ଥିବା ବେଳେ ନୂଆ ନେତୃତ୍ୱକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଚର୍ଚ୍ଚା ବଢ଼ିଛି।

ନ୍ୟାସନାଲ୍‌ ରାଲି ଦଳର ନେତ୍ରୀ ମାରିନ୍‌ ଲେ ପେନ୍‌ ଏହି ଆନ୍ଦୋଳନର ଫାଇଦା ବାମପନ୍ଥୀ ଗୋଷ୍ଠୀ ଉଠାଉଥିବା ଅଭିଯୋଗ କରିଛନ୍ତି। ବାମପନ୍ଥୀ ନେତା ଜାଁ-ଲୁକ୍‌ ମେଲାଁସୋଁ ହିଂସାକୁ ଉସୁକାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ, ‘ଲା ଫ୍ରାନ୍ସ ଇନ୍‌ସୁମିଜ୍‌’ ଦଳର ନେତା ମେଲାଁସୋଁ ନିଜେ ପ୍ରଦର୍ଶନରେ ସାମିଲ ହୋଇଥିଲେ। ସେ ପୁଲିସ ପ୍ରଦର୍ଶନକାରୀଙ୍କ ଉପରେ ଅତ୍ୟଧିକ ବଳ ପ୍ରୟୋଗ କରୁଥିବା ଅଭିଯୋଗ କରିବା ସହ ଲୁଟ୍‌ପାଟ୍‌ ଓ ଅଗ୍ନିକାଣ୍ଡକୁ ମଧ୍ୟ ନିନ୍ଦା କରିଛନ୍ତି। ତାଙ୍କ ମନ୍ତବ୍ୟକୁ ପ୍ରଧାନମନ୍ତ୍ରୀ ଲେକର୍ନୁ ବିପଜ୍ଜନକ ଓ ସ୍ୱାର୍ଥପର ରାଜନୀତି ବୋଲି ସମାଲୋଚନା କରିଛନ୍ତି।