ମରୁଡ଼ି ଗ୍ରସ୍ତ ଚାଷୀଙ୍କ ସହାୟତା ପାଇଁ ନିଜ ଦରମାରୁ ଦେବେ ଆଇଏଏସ ଓ ଆଇପିଏସ ଅଧିକାରୀ
ଦୁର୍ଦ୍ଦଶାଗ୍ରସ୍ତ ଚାଷୀଙ୍କୁ ସହାୟତାର ହାତ ବଢାଇବାକୁ ଆଗେଇ ଆସିଲେ ବିଧାୟକ
ପୁନେ, ୧୮/୧୦: ମହାରାଷ୍ଟ୍ରରେ ମରୁଡ଼ି ଓ ଜଳ ସଙ୍କଟ ଯୋଗୁଁ ଚାଷୀମାନେ ଗୁରୁତର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏଭଳି ସମୟରେ ଦୁର୍ଦ୍ଦଶାଗ୍ରସ୍ତ ଚାଷୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟର ବରିଷ୍ଠ IAS ଓ IPS ଅଧିକାରୀ। ଅଧିକାରୀମାନେ ୨୦୨୬ ଅକ୍ଟୋବର ମାସର ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିବେ। ମରୁଡ଼ି ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ରାଜ୍ୟର ରିଲିଫ୍ ଓ ପୁନର୍ବାସ ବିଭାଗ ଅକ୍ଟୋବର ୧୪ ତାରିଖରେ ମହାରାଷ୍ଟ୍ରର ୩୦୫ଟି ତାଲୁକାକୁ ମରୁଡ଼ି ପ୍ରଭାବିତ ଘୋଷଣା କରିଛି। ଏହି ଅଞ୍ଚଳର ଚାଷୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର ଏକାଧିକ ସହାୟତାମୂଳକ ପଦକ୍ଷେପ ଘୋଷଣା କରିଛନ୍ତି।
ଘୋଷଣା ଅନୁଯାୟୀ, ମରୁଡ଼ି ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ଜମି ରାଜସ୍ୱ ଦେୟରୁ ସମ୍ପୂର୍ଣ୍ଣ ଛାଡ଼ ମିଳିବ। ଏଥିସହ ଚାଷୀଙ୍କ ଫସଲ ଋଣର ପୁନର୍ଗଠନ କରାଯିବ ଏବଂ ସମସ୍ତ ପ୍ରକାର କୃଷି ଋଣ ଆଦାୟକୁ ତୁରନ୍ତ ସ୍ଥଗିତ ରଖାଯାଇଛି। କୃଷି ପମ୍ପ୍ର ବକେୟା ବିଦ୍ୟୁତ୍ ବିଲ୍ କ୍ଷେତ୍ରରେ ମଧ୍ୟ ସ୍ୱତନ୍ତ୍ର ରିହାତି ପ୍ରଦାନ କରାଯିବ।
କେବଳ ଚାଷୀ ନୁହନ୍ତି, ମରୁଡ଼ିର ପ୍ରଭାବ ଯେପରି ପିଲାଙ୍କ ପାଠପଢ଼ା ଉପରେ ନପଡ଼େ, ସେଥିପାଇଁ ମଧ୍ୟ ସରକାର ପଦକ୍ଷେପ ନେଇଛନ୍ତି। ମରୁଡ଼ି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ଛାଡ଼ କରାଯିବ। ଆର୍ଥିକ ସଙ୍କଟ ଯୋଗୁଁ ଯେପରି ଶିକ୍ଷା ବାଧାପ୍ରାପ୍ତ ନହୁଏ, ତାହା ଉପରେ ଗୁରୁତ୍ୱ ଦିଆଯାଇଛି।
ଅନ୍ୟପକ୍ଷରେ, ଅଧିକାରୀମାନଙ୍କ ସଂଗଠନ ପକ୍ଷରୁ ଗୋଟିଏ ଦିନର ଦରମା ମରୁଡ଼ି ରିଲିଫ୍ ପାଣ୍ଠିରେ ଜମା କରିବା ନେଇ ରାଜ୍ୟ ସରକାରଙ୍କୁ ଆନୁଷ୍ଠାନିକ ଭାବେ ଚିଠି ଦିଆଯାଇଛି।
ଏହି ସହାୟତା ଅଭିଯାନରେ ଜନପ୍ରତିନିଧିମାନେ ମଧ୍ୟ ସାମିଲ ହୋଇଛନ୍ତି। ଚିପଲୁନ୍-ସାଙ୍ଗମେଶ୍ୱର ନିର୍ବାଚନମଣ୍ଡଳୀର ବିଧାୟକ ଶେଖର ନିକମ୍ ନିଜର ଏକ ମାସର ମୂଳ ଦରମା ରାଶିର ଚେକ୍ ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାରଙ୍କୁ ପ୍ରଦାନ କରିଛନ୍ତି। ମରୁଡ଼ି ସମୟରେ ଚାଷୀଙ୍କୁ ସହାୟତା କରିବା ଲାଗି ସେ ଏହି ପଦକ୍ଷେପ ନେଇଛନ୍ତି।
ସେହିପରି ବିଧାୟକ ରୋହିତ ପାୱାର ମରୁଡ଼ି ପ୍ରଭାବିତ ଚାଷୀଙ୍କ ପାଇଁ ତୁରନ୍ତ ସିଧାସଳଖ ଆର୍ଥିକ ସହାୟତା ଦାବି କରିଛନ୍ତି। ଚାଷୀଙ୍କୁ ପ୍ରତି ହେକ୍ଟର ପିଛା ଅତି କମ୍ରେ ୫୦ ହଜାର ଟଙ୍କା ଏବଂ କୃଷି ଶ୍ରମିକଙ୍କୁ ୨୫ ହଜାର ଟଙ୍କା ଦେବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।
ମରୁଡ଼ି ଯୋଗୁଁ ଚାଷ କ୍ଷତି, ଆୟ ହ୍ରାସ ଓ ଋଣ ବୋଝର ସମ୍ମୁଖୀନ ହେଉଥିବା ଚାଷୀଙ୍କ ପାଇଁ ଏବେ ସରକାରୀ ରିହାତି ସହ ବିଭିନ୍ନ ସ୍ତରରୁ ସହାୟତାର ପ୍ରୟାସ ଆରମ୍ଭ ହୋଇଛି। ତେବେ ଚାଷୀଙ୍କୁ ତୁରନ୍ତ ଆର୍ଥିକ ସହାୟତା ପହଞ୍ଚାଇବା ଏବଂ ମରୁଡ଼ିର ପ୍ରଭାବକୁ କମାଇବା ଏବେ ସବୁଠାରୁ ବଡ଼ ଆହ୍ୱାନ ହୋଇଛି।