ଭଙ୍ଗା ଦଦରା ଘରେ ୪ ପ୍ରାଣୀଙ୍କ ଜୀବନ

ଆବାସ ଯୋଜନାରେ ଘର‌ ଯୋଗାଇ ଦେବାକୁ ଦାବି

କଲ୍ୟାଣ ସିଂହପୁର, (ନରସିଂହ ନାଥ ମହାପାତ୍ର) ୧୯/୦୭: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କାତାଗୁଡା ଗ୍ରାମରେ ଗଜେନ୍ଦ୍ର ଖାଡ଼ିଆ ଭଙ୍ଗା ଦଦରା ଘରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି। ଲଘୁଚାପ ଜନିତ ବର୍ଷାରେ ଗଜେନ୍ଦ୍ରଙ୍କ ଘରର କାନ୍ଥ ବତୁରି ଯାଇ ଖସି ପଡିଛି। ଘରର ଛପର ଉଡି ଯାଇଥିବାରୁ ଘର ଉପରେ ଜରି ପକାଇ ତା’ ଉପରେ ପାଳ ଓ ନଡା ପକାଇ ଭାଗ୍ୟକୁ ଆଦରି ସ୍ତ୍ରୀ ମାନସୀ ଖାଡିଆ ଓ ଦୁଇ ପୁତ୍ରଙ୍କୁ ଧରି ସେହି ଭଙ୍ଗା ଘରେ ପଡିରହିଛନ୍ତି। ଏମାନେ କୁଲି କାମ କରି ପରିବାର ଭରଣ ପୋଷଣ କରିଥାନ୍ତି। ଏମାନଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ବି ମିଳିନାହିଁ।

ଏହାକୁ ନେଇ ପଞ୍ଚାୟତ ଓ ରାଜସ୍ବ ନିରୀକ୍ଷକଙ୍କୁ ଅବଗତ କରିଥିଲେ। ଉକ୍ତ ଖବର ପାଇ ରାଜସ୍ବ ନିରୀକ୍ଷକ ଗୌରୀ କଣ୍ଡାଗାରୀ କହିଛନ୍ତି ଯେ, ଉକ୍ତ ଗ୍ରାମକୁ ଯାଇ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପଠାଇବୁ। ସେହି ଠାରୁ ଯାହା ଆସିବ ତାହା ଯୋଗାଇ ଦିଆଯିବ। ଉକ୍ତ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଆବାସ ଯୋଜନା ରେ ସାମିଲ କରି ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। କଲ୍ୟାଣ ସିଂହପୁର ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଧନୀ ଲୋକଙ୍କୁ ଗତ ଥର ଆବାସ ଯୋଜନାରେ ଘର ପାଇଥିବା ବେଳେ ବର୍ତ୍ତମାନ ମଧ୍ୟ ଘରର ଦୁଇଜଣଙ୍କୁ ଆବାସ ଯୋଜନାରେ ଘର ଆସିଛି। କିନ୍ତୁ ଏହି ଭଳି ଗରିବ ଲୋକ ମାନେ ଆବାସ ଯୋଜନାରୁ ବାଦ ପଡିଛନ୍ତି।