ଇରାନରେ ଗୃହ ଯୁଦ୍ଧ ସ୍ଥିତି ! ଆପୋଷ ବୁଝାମଣାକାରୀଙ୍କୁ ମୃତ୍ୟୁ ଦଣ୍ଡ…

ନିଜ ନେତାଙ୍କ ବିରୋଧରେ ଗର୍ଜିଲେ କଠୋରପନ୍ଥୀ!

ତେହେରାନ, ୧୯/୦୭: ଆମେରିକା ସହ ହୋଇଥିବା ଏକ ପ୍ରସ୍ତାବିତ ଚୁକ୍ତିକୁ କେନ୍ଦ୍ର କରି ଇରାନର ରାଜନୀତିରେ ଗଭୀର ମତଭେଦ ଦେଖାଦେଇଛି। ଦେଶର କଠୋରପନ୍ଥୀ ଗୋଷ୍ଠୀ ସରକାରର ବରିଷ୍ଠ ନେତାମାନଙ୍କ ଉପରେ ରୋଷ ବର୍ଷା କରି କହିଛନ୍ତି ଯେ, ଆମେରିକା ସହ ବୁଝାମଣା କରିବା ଇରାନର ବୈପ୍ଳବିକ ଆଦର୍ଶ ଓ ଜାତୀୟ ସ୍ୱାଭିମାନ ସହ ଆପୋଷ ବୁଝାମଣା କରିବା ସହ ସମାନ। ଏହି ବିବାଦ ଯୋଗୁଁ ଦେଶର ଶାସକ ଶିବିର ମଧ୍ୟରେ ଆଭ୍ୟନ୍ତରୀଣ ତିକ୍ତତା ବଢ଼ିଛି।

ସୂଚନା ଅନୁସାରେ, ଇରାନର ରାଷ୍ଟ୍ରପତି ମସୁଦ ପେଜେଶ୍କିଆନ, ସଂସଦ ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ ଏବଂ ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି ଆମେରିକା ସହ ଆଲୋଚନାରେ ମୁଖ୍ୟ ଭୂମିକା ନେଇଥିଲେ। କିନ୍ତୁ ଏହି ପଦକ୍ଷେପକୁ କଠୋରପନ୍ଥୀମାନେ ସ୍ୱୀକାର କରିନାହାନ୍ତି। ସେମାନଙ୍କ ଅଭିଯୋଗ, ଏହି ନେତାମାନେ ଦେଶର ବୈପ୍ଲବିକ ନୀତିକୁ ଦୁର୍ବଳ କରୁଛନ୍ତି ଏବଂ ଏହା ଏକ ପ୍ରକାର ନରମ କ୍ଷମତା ଦଖଲର ପ୍ରୟାସ।

ଏହି ବିବାଦ ମଧ୍ୟରେ କଠୋରପନ୍ଥୀ ସମର୍ଥକଙ୍କ ପକ୍ଷରୁ “Death to the compromiser” (ବୁଝାମଣାକାରୀଙ୍କୁ ମୃତ୍ୟୁ ଦଣ୍ଡ) ପରି ଉତ୍ତେଜନାପୂର୍ଣ୍ଣ ସ୍ଲୋଗାନ ଦିଆଯାଇଛି। ଏହି ସ୍ଲୋଗାନ ନେତୃତ୍ୱ ପ୍ରତି ସେମାନଙ୍କ ତୀବ୍ର ଅସନ୍ତୋଷକୁ ପ୍ରକାଶ କରୁଛି।

ରାଜନୈତିକ ବିଶ୍ଳେଷକଙ୍କ ମତରେ, ଇରାନର ଶାସକ ଶିବିର ମଧ୍ୟରେ ମଧ୍ୟମପନ୍ଥୀ ଏବଂ କଠୋରପନ୍ଥୀ ଗୋଷ୍ଠୀଙ୍କ ମଧ୍ୟରେ ମତଭେଦ ଦିନକୁ ଦିନ ବଢ଼ୁଛି। ଗୋଟିଏ ପକ୍ଷ ଆମେରିକା ସହ କୂଟନୈତିକ ସମ୍ପର୍କ ସୁଧାରି ଅର୍ଥନୈତିକ ପ୍ରତିବନ୍ଧକର ପ୍ରଭାବ କମାଇବାକୁ ଚାହୁଁଥିବା ବେଳେ, ଅନ୍ୟପକ୍ଷ ଏହାକୁ ଦେଶର ଆତ୍ମସମର୍ପଣ ବୋଲି ବର୍ଣ୍ଣନା କରୁଛି।

ଏହି ଘଟଣା କେବଳ ଇରାନର ଆଭ୍ୟନ୍ତରୀଣ ରାଜନୀତିକୁ ନୁହେଁ, ବରଂ ମଧ୍ୟପ୍ରାଚ୍ୟର ସୁରକ୍ଷା ପରିସ୍ଥିତି ଏବଂ ଆମେରିକା–ଇରାନ ସମ୍ପର୍କ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ବିଶେଷଜ୍ଞମାନଙ୍କ ମତରେ, ଯଦି ଏହି ଆଭ୍ୟନ୍ତରୀଣ ବିରୋଧ ଆହୁରି ବଢ଼େ, ତେବେ ଭବିଷ୍ୟତରେ ଆମେରିକା ସହ ହେବାକୁ ଥିବା ଯେକୌଣସି ଆଲୋଚନା କିମ୍ବା ଚୁକ୍ତି ପ୍ରକ୍ରିୟା ପ୍ରଭାବିତ ହୋଇପାରେ।