ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମହାପାପ: ପ୍ରଧାନମନ୍ତ୍ରୀ ମୋଦି

‘ମଙ୍ଗଳ ମିଳନ’ରେ ନିଟ୍ ପ୍ରସଙ୍ଗରେ ଆଲୋଚନା

ନୂଆଦିଲ୍ଲୀ, ୨୧/୦୭: ଆଜି ନୂଆଦିଲ୍ଲୀରେ ଏନଡିଏ (NDA) ସଂସଦୀୟ ଦଳର ବୈଠକ ‘ମଙ୍ଗଳ ମିଳନ’ ଅନୁଷ୍ଠିତ ହୋଇଯାଇଛି। ସଂସଦର ଲାଇବ୍ରେରୀ ବିଲଡିଂ ପରିସରରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଓ ଏନଡିଏ ସାଂସଦମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ନିଟ୍ ପେପର ଲିକ୍ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣାକୁ ‘ମହା ପାପ’ ବୋଲି କହିଛନ୍ତି। ଛାତ୍ରଙ୍କ ଭବିଷ୍ୟତ ସହିତ ଖେଳ କରିବା ଅତ୍ୟନ୍ତ ଗୁରୁତର ଅପରାଧ ବୋଲି ସେ କହିଛନ୍ତି। ଛାତ୍ରଙ୍କ ଭବିଷ୍ୟତକୁ ନେଇ ସରକାର ସମ୍ବେଦନଶୀଳ ଥିବା କହିଛନ୍ତି।

ଏହି ଘଟଣା ଜଣାପଡ଼ିବା ପରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଛାତ୍ରଙ୍କ ଭବିଷ୍ୟତ ଯେମିତି ପ୍ରଭାବିତ ନ ହୁଏ ସେଥିପାଇଁ ତୁରନ୍ତ ପୁନଃ ପରୀକ୍ଷା କରାଯାଇଥିଲା। ଏହା ସଫଳତାର ସହିତ ସମ୍ପନ୍ନ ହୋଇଥିଲା ଏବଂ ପରୀକ୍ଷା ଫଳ ସମୟରେ ଘୋଷଣା କରାଯାଇଛି। ଗିରଫ ହୋଇଥିବା ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ଉଚ୍ଚକୋଟିର ଆଇନଜୀବୀଙ୍କ ସହାୟତା ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏପରି ଘଟଣା ଆଉ ନହେବା ପାଇଁ କଠୋର ପଦକ୍ଷେପ ନିଆଯାଉଛି। ପ୍ରଶ୍ନପତ୍ର ଲିକ୍ କେବଳ ଏକ ରାଜ୍ୟ ବା କେନ୍ଦ୍ର ସରକାରର ବିଷୟ ନୁହେଁ, ଏହା ଏକ ଜାତୀୟ ଦାୟିତ୍ୱ। ସମସ୍ତ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଛି।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ରସଙ୍ଗକୁ ଦଳୀୟ ରାଜନୀତିର ବିଷୟ କରିବା ଉଚିତ୍ ନୁହେଁ। ଯୁବକ-ଯୁବତୀଙ୍କ ସୁରକ୍ଷା ଓ ଭବିଷ୍ୟତ ସରକାରର ପ୍ରାଥମିକତା।

ସୂଚନାଯୋଗ୍ୟ, ମେ’ ମାସରେ ନୀଟ୍-ୟୁଜି ୨୦୨୬ ପରୀକ୍ଷା ହୋଇଥିଲା। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଉଠିବା ପରେ ପରୀକ୍ଷା ରଦ୍ଦ କରି ପୁନଃ ପରୀକ୍ଷା କରିଥିଲା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)। ସିବିଆଇ ତଦନ୍ତ ଜାରି ରହିଛି। ଏହି ଘଟଣା ନେଇ ବିରୋଧୀ ଦଳଗୁଡ଼ିକ ସରକାରକୁ ଟାର୍ଗେଟ୍ କରୁଛନ୍ତି।