ନୂଆଦିଲ୍ଲୀ, ୨୨/୦୭: ସିକ୍କିମର ନାମଚି ଜିଲ୍ଲାର ଝୋଲୁଙ୍ଗେର ସମରଡୁଙ୍ଗରେ ଏକ ନିର୍ମାଣାଧୀନ ଟନେଲ୍ ଧସି ଯିବା ଫଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୦ କୁ ବୃଦ୍ଧି ପାଇଛି, ଯଦିଓ ଫସି ରହିଥିବା ଆଉ ପାଞ୍ଚ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଜିଲ୍ଲା ପ୍ରଶାସନ, ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀ, ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସଂସ୍ଥାଗୁଡ଼ିକ ସମନ୍ୱୟ ରଖି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। DG ମାଇନ୍ସ-ସେଫ୍ଟିର ଏକ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।
ଏହା NHPC ତୀସ୍ତା ଷ୍ଟେଜ୍ VI ହାଇଡ୍ରୋଇଲେକ୍ଟ୍ରିକ୍ ପ୍ରୋଜେକ୍ଟର ADIT-3 ଟନେଲ୍ ଅଂଶ ଥିଲା। ଜୁଲାଇ ୨୦, ୨୦୨୬ ଦିନ ଦୁପୁର ପ୍ରାୟ ୩ଟା ସମୟରେ ଏହି ଅଘଟଣ ଘଟିଥିଲା। ସ୍ଥାନୀୟ ଅଞ୍ଚଳରେ ଭୂସ୍ଖଳନ ପରେ ଟନେଲ ଭିତରେ ମିଥେନ୍ ଗ୍ୟାସ୍ ବିସ୍ଫୋରଣ (ପଥର ଖୋଳା ସମୟରେ ଜମା ହୋଇଥିବା ଗ୍ୟାସ୍) ହୋଇଥିଲା। ଏହା ଫଳରେ ଟନେଲ୍ ଭିତରେ ବିଷାକ୍ତ ଗ୍ୟାସ୍ ସୃଷ୍ଟି ହେବା ସହ ଅକ୍ସିଜେନ୍ ସ୍ତର କମିଯାଇଥିଲା। ସୁଡଙ୍ଗ ଭିତରେ ପ୍ରାୟ ଦେଢ କିଲୋମିଟର ପର୍ଯ୍ୟନ୍ତ ମିଥେନ ଗ୍ୟାସ ଜମା ହୋଇଗଲା।
ତା’ ଭିତରେ ପ୍ରାୟ ୨୫ ଜଣ ସେ ଭିତରେ ଫସି ଯାଇଥିଲେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ପ୍ରାୟ ୨୭ ଜଣ ଫସି ରହିଥିବାର ଆଶଙ୍କା ଥିଲା, କିନ୍ତୁ ସଠିକ୍ ସଂଖ୍ୟା ଯାଞ୍ଚ ଚାଲିଛି।
ଉଦ୍ଧାର ହୋଇଥିବା ମୃତଦେହଗୁଡ଼ିକୁ ସିଙ୍ଗଟାମ୍ ଜିଲ୍ଲା ହସ୍ପିଟାଲ୍, STNM ହସ୍ପିଟାଲ୍ ଗାଙ୍ଗଟକ୍ ଏବଂ ନାମଚି ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି। କିଛି ମୃତଦେହ ଚିହ୍ନଟ ହୋଇଛି। ମୃତକଙ୍କ ମଧ୍ୟରେ କେତେକ ପଶ୍ଚିମବଙ୍ଗ, ଆସାମ, ପଞ୍ଜାବ, ଉତ୍ତରାଖଣ୍ଡ ବୋଲି ଜଣାପଡ଼ିଛି।
ଉଦ୍ଧାର କାର୍ଯ୍ୟ ଜୋରଦାର ଭାବେ ଚାଲିଛି। କିନ୍ତୁ ବିଷାକ୍ତ ଗ୍ୟାସ, ଧୂଳି ଏବଂ କମ ଅକ୍ସିଜେନ ଯୋଗୁଁ ଉଦ୍ଧାର କାର୍ଯ୍ୟ ରେ ବାଧା ସୃଷ୍ଟି ହେଉଛି। ଉଦ୍ଧାରକାରୀମାନେ ଅକ୍ସିଜେନ ଗିୟର ବ୍ୟବହାର କରୁଛନ୍ତି ଏବଂ କେତେକ ଉଦ୍ଧାରକାରୀ ଅସୁସ୍ଥ ହୋଇପଡ଼ିଛନ୍ତି।
ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗଙ୍କ ସହ ଫୋନରେ କଥା ହୋଇଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ପ୍ରକାରର ସମର୍ଥନ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରତ୍ୟେକ ମୃତକଙ୍କ ନିକଟତମ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛି।