ନୂଆଦିଲ୍ଲୀ, ୨୩/୦୭: କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦେଶ କ୍ରମେ ଦିଲ୍ଲୀର ଜନ୍ତରମନ୍ତର ଅଞ୍ଚଳରେ ଆଜି ଅପରାହ୍ନ ୪ଟାରୁ ମଧ୍ୟରାତ୍ରି ୧୨ଟା ପର୍ଯ୍ୟନ୍ତ ମୋବାଇଲ୍ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ଭାବେ ସସ୍ପେଣ୍ଡ କରାଯାଇଛି। ଏହି ନିଷେଧାଜ୍ଞା ଜନ୍ତରମନ୍ତରର ୧.୫ କିଲୋମିଟର ପରିଧି ମଧ୍ୟରେ ଲାଗୁ ହୋଇଛି।
ଜନ୍ତରମନ୍ତରରେ ଚାଲିଥିବା କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନରେ ଗୁଜବ ଏଡ଼ାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି। ପ୍ରତିବାଦକାରୀମାନେ ନିଟ୍ ପେପର ଲିକ୍ ଏବଂ ଅନ୍ୟାନ୍ୟ ପରୀକ୍ଷା ଅନିୟମିତତା ବିରୋଧରେ ପ୍ରତିବାଦ କରୁଛନ୍ତି ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଛନ୍ତି। ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବା ସହ ଆନ୍ଦୋଳନ ତୀବ୍ର ହୋଇଛି।
ଗୃହ ମନ୍ତ୍ରଣାଳୟ କହିଛି ଯେ ଏହା ଜନସାଧାରଣର ସୁରକ୍ଷା ଏବଂ ଅପରାଧ ଉତ୍ତେଜନା ରୋକିବା ପାଇଁ ନିଆଯାଇଛି। ଟେଲିକମ୍ ଆକ୍ଟ ୨୦୨୩ ଏବଂ ସମ୍ପର୍କିତ ନିୟମ ଅନୁଯାୟୀ ଏହି ଆଦେଶ ଜାରି ହୋଇଛି।