ଦେଓଗାଁରେ ଭକ୍ତିମୟ ପରିବେଶରେ ଉଦ୍ଯାପିତ ହେଲା ନବଦିନାତ୍ମକ ରଥଯାତ୍ରା ମହୋତ୍ସବ
ଦର୍ଶକଙ୍କ ମନ ମୋହିଲା ‘ରାମ ଅବତାର’ ନୃତ୍ୟନାଟ୍ୟ
ବରଗଡ଼, ୨୪/୦୭: ବରଗଡ଼ ଜିଲ୍ଳାର କଳା, ସଂସ୍କୃତି ଏବଂ ଭକ୍ତିର ଅନନ୍ୟ ପୀଠ ଭାବେ ପରିଚିତ ଦେଓଗାଁ ଗ୍ରାମରେ ଚଳିତ ବର୍ଷର ନବଦିନାତ୍ମକ ରଥଯାତ୍ରା ମହୋତ୍ସବ ଅତ୍ୟନ୍ତ ଉତ୍ସାହ, ଉଲ୍ଲାସ ଓ ଆଧ୍ୟାତ୍ମିକ ପରିବେଶରେ ସଫଳତାର ସହ ଉଦ୍ଯାପିତ ହେଯାଇଛି। ଶହ ଶହ ବର୍ଷର ପୁରୁଣା ଜଗନ୍ନାଥ ମନ୍ଦିର ଓ ଏହାର ରଥଯାତ୍ରା ସମଗ୍ର ଅଞ୍ଚଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ବର୍ଷର ସବୁ ସମୟରେ ଏଠାରେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ରଥଯାତ୍ରା ସମୟରେ ଗ୍ରାମବାସୀଙ୍କ ମଧ୍ୟରେ ଦୃଶ୍ୟମାନ ହେଉଥିବା ଏକତା ଓ ଭାଇଚାରା ସମସ୍ତଙ୍କ ପାଇଁ ଏକ ପ୍ରେରଣା।
୯ ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ପ୍ରତିଦିନ ସନ୍ଧ୍ୟାରେ ମହାଆଳତି, ପ୍ରସାଦ ବିତରଣ ଏବଂ ପ୍ରଖ୍ୟାତ ପ୍ରବଚକମାନଙ୍କ ଦ୍ୱାରା ହରିକଥାମୃତ ପ୍ରବଚନ ଅନୁଷ୍ଠିତ ହୋଇଥିଲା। ଉତ୍ସବର ବିଭିନ୍ନ ଦିବସରେ ଶ୍ରୀମାନ କୈଳାସ ଚନ୍ଦ୍ର ପଣ୍ଡା ମତ୍ସ୍ୟ ଅବତାର, ଶ୍ରୀମାନ ଅମୂଲ୍ୟ ସାହୁ କଚ୍ଛପ ଅବତାର, ଶ୍ରୀମାନ ଜୟଦେବ ପଣ୍ଡା ବରାହ ଅବତାର, ଶ୍ରୀମାନ ଶୁକଦେବ ସାହୁ ନୃସିଂହ ଅବତାର, ଶ୍ରୀମାନ ପ୍ରେମରାଜ ପଣ୍ଡା ବାମନ ଅବତାର ଏବଂ ଶ୍ରୀମାନ ମନରଞ୍ଜନ ପ୍ରଧାନ ପର୍ଶୁରାମ ଅବତାର ଉପରେ ହୃଦୟସ୍ପର୍ଶୀ ପ୍ରବଚନ ପ୍ରଦାନ କରିଥିଲେ। ଏହାସହିତ ଛୋଟ ଛୋଟ ଶିଶୁମାନଙ୍କ ଦ୍ୱାରା ପରିବେଷିତ ‘ରାମ ଅବତାର’ ନୃତ୍ୟନାଟ୍ୟ ଦର୍ଶକଙ୍କ ମନ ମୋହିଥିଲା।
ଏହି ମହୋତ୍ସବର ସବୁଠାରୁ ବଡ଼ ଆକର୍ଷଣ ସାଜିଥିଲେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ରାଧା ତଥା ସମ୍ମାନିତ ଅତିଥି କୁମାରୀ ସାଇନା ପ୍ରଧାନ। ଗ୍ରାମବାସୀଙ୍କ ବିଶେଷ ଅନୁରୋଧକ୍ରମେ ସେ ଧନୁଯାତ୍ରାର ସେହି ପ୍ରସିଦ୍ଧ ‘କୃଷ୍ଣଙ୍କ ମଥୁରା ବିଦାୟ’ ଗୀତ ଗାଇ ଉପସ୍ଥିତ ସମସ୍ତ ଭକ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲେ। ପରେ ଉତ୍ସବ କମିଟି ପକ୍ଷରୁ ତାଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ଆଜିର ଉଦ୍ଯାପନୀ ଦିବସରେ ସ୍ୱତନ୍ତ୍ର ଅତିଥି ଭାବେ ସାମାଜିକ କର୍ମୀ ସୁବ୍ରତ କୁମାର ବିର୍ତ୍ତିଆ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବୃଦ୍ଧି କରିଥିଲେ। ଏହି ଉତ୍ସବ ପରିଚାଳନାରେ ମନ୍ଦିର କମିଟିର ସଭାପତି ପୁରୁଷୋତ୍ତମ ଠାକୁର, ସଂପାଦକ ଦୀନବନ୍ଧୁ ପଟେଲ, କୋଷାଧକ୍ଷ ଦିଲିପ ଭୁଏ, କାର୍ଯ୍ୟକାରୀ ସଭାପତି ବାସୁଦେବ ମିଶ୍ର, ସଂଯୋଜକ ଜଗଦାନନ୍ଦ ମିଶ୍ର ଏବଂ ପରାମର୍ଶଦାତା ନିଗମାନନ୍ଦ ମିଶ୍ର ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ବାହୁଡ଼ା ଯାତ୍ରା, ମା’ମାନଙ୍କ ଦ୍ୱାରା ଶ୍ରଦ୍ଧାର ସହ ଅର୍ପିତ ପୋଡ଼ପିଠା ଭୋଗ ଏବଂ ରାତିରେ ମହାପ୍ରଭୁଙ୍କ ରତ୍ନ ସିଂହାସନ ବିଜେ ସହିତ ଏହି ମହୋତ୍ସବରେ ପୂର୍ଣ୍ଣଚ୍ଛନ୍ଦ ପଡ଼ିଛି। ସମଗ୍ର ଦେଓଗାଁ ଗ୍ରାମବାସୀଙ୍କ ଅକୁଣ୍ଠ ସହଯୋଗ ଏବଂ ଉତ୍ସର୍ଗୀକୃତ ଭାବନା ଯୋଗୁଁ ଏହି ମହୋତ୍ସବ ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇପାରିଛି।