ସିଜେପି ପରେ ଆସିଲା E20 ଜନତା ପାର୍ଟି

ସୋସିଆଲ ମିଡ଼ିଆରେ ବଢ଼ୁଛି କ୍ରେଜ, ୩୧ରେ ହେବ ଜୋରଦାର ଆନ୍ଦୋଳନ

ନୂଆଦିଲ୍ଲୀ, ୨୭/୦୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ସିଜେପି ପକ୍ଷରୁ ଛାତ୍ର ଆନ୍ଦୋଳନ ଥମିଯାଇଛି। ହେଲେ ଏବେ E20 ପେଟ୍ରୋଲକୁ ନେଇ ବିବାଦ ଘରକୁ ଆସିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଟାର୍ଗେଟ କରାଯାଉଛି। ଏଥିପାଇଁ ସିଜେପି ପରି ଏକ ପାର୍ଟି ମଧ୍ୟ ଗଠନ ହୋଇଛି‌। ଯାହାର ନାଁ ହେଉଛି E20 ଜନତା ପାର୍ଟି। ସୋସିଆଲ ମିଡ଼ିଆରେ ଏହାର କ୍ରେଜ ବଢୁଥିବା ବେଳେ ଏଥିରେ ୫୦ ହଜାରରୁ ଅଧିକ ଫଲୋର୍ସ ଯୋଡ଼ି ହେଲେଣି।

ତେହସିନ୍ ପୁନାୱାଲାଙ୍କ ନେତୃତ୍ୱରେ ଗଠନ ହୋଇଥିବା E20 ଜନତା ପାର୍ଟି ଜୁଲାଇ ୩୧ ତାରିଖରେ ପାର୍ଲାମେଣ୍ଟ ଅଭିମୁଖେ ଏକ ପଦଯାତ୍ରା ପାଇଁ ଯୋଜନା କରିଛି। ଦିଲ୍ଲୀ ଟ୍ୟାକ୍ସି ଏବଂ ଟୁରିଷ୍ଟ ଟ୍ରାନ୍ସପୋର୍ଟର୍ସ ଏବଂ ଟୁର୍ ଅପରେଟର୍ସ ଆସୋସିଏସନ୍ ଅଗଷ୍ଟ ୪ ତାରିଖରେ ଏହି ପ୍ରସଙ୍ଗରେ ସଂସଦ ଅଭିମୁଖେ ଏକ ପଦଯାତ୍ରା ଘୋଷଣା କରିଛି। ସେମାନଙ୍କ ଦାବି ହେଉଛି ସରକାର E20 (୨୦% ଇଥାନଲ୍ ମିଶ୍ରିତ ପେଟ୍ରୋଲ) ନୀତିର ପୁନଃସମୀକ୍ଷା କରନ୍ତୁ କିମ୍ବା ଏହାକୁ ପ୍ରତ୍ୟାହାର କରନ୍ତୁ।

ବିଭିନ୍ନ ସଂଗଠନର ନେତାମାନେ କହିଛନ୍ତି ଯେ ସେମାନେ ଅନେକ ଥର ସରକାର ଓ ସାଂସଦମାନଙ୍କ ନିକଟରେ ନିଜ ସମସ୍ୟା ଉଠାଇଥିଲେ ମଧ୍ୟ କୌଣସି ଠୋସ ପଦକ୍ଷେପ ହୋଇନାହିଁ। ସେଥିପାଇଁ ସେମାନେ କହିଛନ୍ତି “ସାଂସଦମାନେ ଶୋଇଛନ୍ତି, ସେମାନଙ୍କୁ ଉଠାଇବାକୁ ପଡ଼ିବ”।

ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ମଧ୍ୟ ଘୋଷଣା କରିଛନ୍ତି ଯେ ଦଳ ଅଗଷ୍ଟ ୧ ତାରିଖରେ ଇଥାନଲ୍ ମିଶ୍ରଣ ନୀତି ବିରୁଦ୍ଧରେ ‘E20 ବିରୁଦ୍ଧରେ ଜାତୀୟ ଟାଉନହଲ୍’ ଆନ୍ଦୋଳନ କରିବ।

E20 ପେଟ୍ରୋଲ କ’ଣ

E20 ପେଟ୍ରୋଲରେ ୨୦% ଇଥାନଲ୍ ଓ ୮୦% ପେଟ୍ରୋଲ ମିଶିଥାଏ। ଭାରତ ସରକାର ତୈଳ ଆମଦାନି କମାଇବା, କୃଷକଙ୍କ ଆୟ ବଢ଼ାଇବା ଏବଂ କାର୍ବନ ନିର୍ଗମନ କମାଇବା ଲକ୍ଷ୍ୟରେ ଏହି ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି।

ପ୍ରତିବାଦକାରୀମାନେ କହୁଛନ୍ତି ଯେ, ପୁରୁଣା ଗାଡ଼ିରେ E20 ବ୍ୟବହାର କଲେ ମାଇଲେଜ୍ କମିଯାଉଛି। ଇଞ୍ଜିନ ଓ ଫ୍ୟୁଲ ସିଷ୍ଟମର ରକ୍ଷଣାବେକ୍ଷଣ ଖର୍ଚ୍ଚ ବଢ଼ୁଛି। ବାଣିଜ୍ୟିକ ଯାନ ଚାଳକଙ୍କ ଦୈନିକ ଆୟ ପ୍ରଭାବିତ ହେଉଛି।

ତେବେ ଦିଲ୍ଲୀର ବିଭିନ୍ନ ସଂଗଠନର ମୁଖ୍ୟ ଦାବି ହେଉଛି ଯେ, ଇଥାନଲ୍-ମିଶ୍ରିତ ଫ୍ୟୁଲକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଉଚିତ ନୁହେଁ। ବରଂ ସେମାନେ ଚାହାଁନ୍ତି ଯେ ଗ୍ରାହକମାନଙ୍କୁ ଏକ ବିକଳ୍ପ ଦିଆଯାଉ – ସୁସଙ୍ଗତ ଯାନ ପାଇଁ E20, ପୁରୁଣା ଯାନ ପାଇଁ E10 ଏବଂ ଯେଉଁମାନେ ଏହାକୁ ପସନ୍ଦ କରନ୍ତି ସେମାନଙ୍କ ପାଇଁ ଶୁଦ୍ଧ ପେଟ୍ରୋଲ (E0) ଦିଆଯାଉ।

କିନ୍ତୁ ପୂର୍ବରୂ କେନ୍ଦ୍ର ସରକାର ସଂସଦରେ କହିଛନ୍ତି ଯେ, ପୁରୁଣା ଗାଡ଼ିରେ E20 ବ୍ୟବହାର କଲେ ପ୍ରାୟ ୩–୫% ପର୍ଯ୍ୟନ୍ତ ମାଇଲେଜ୍ କମିପାରେ। କିନ୍ତୁ E20 ଯୋଗୁଁ ଇଞ୍ଜିନର ସ୍ଥାୟୀ କ୍ଷତି ହେଉଛି ବୋଲି ସରକାରଙ୍କ ପାଖରେ ପ୍ରମାଣ ନାହିଁ।