କଲ୍ୟାଣସିଂହପୁର, ୩୦/୭(ନିପ୍ର): ଲଘୁଚାପ ଜନିତ ଲଗାଣ ବର୍ଷାରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଦାଣ୍ଡିଆସାହିର ଘରର ଲମ୍ବା କାନ୍ଥ ପଡିଯାଇଥିବା ବେଳେ ଇନ୍ତାଲିଗୁଡା ଗ୍ରାମର ଘରର ତୁଳିଆ ଦବିଯାଇଥିବା ଦେଖିବାକୁ ମିଳିଛି। ପ୍ରାୟ ଆଜିକୁ ପାଞ୍ଚ ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ କଲ୍ୟାଣସିଂହପୁର ସଦର ପଞ୍ଚାୟତର ଦାଣ୍ଡିଆସାହିରେ ରହୁଥିବା ତ୍ରିନାଥ ବିବରଙ୍କ ଇଟା କାନ୍ଥ ବର୍ଷାରେ ଭିଜି ତାହା ଭୁଶୁଡି ପଡିଯାଇଛି।
ଅନ୍ୟ ପଟେ ଇନ୍ତାଲିଗୁଡା ଗ୍ରାମର ବିଧବା ସାରକା ବାଙ୍ଗାରୀଙ୍କ ଝିଙ୍କର ଛପର ଘରର ଖୁଣ୍ଟି ଭାଙ୍ଗି ଯିବାରୁ ତୁଳିଆ ଠାରୁ ସମ୍ପୂର୍ଣ୍ଣ ଦାଣ୍ଡ ପାର୍ଶ୍ଵର ଛପର ଦବିଯାଇଛି। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଉକ୍ତ ଖବର ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି ପାଇ ଉକ୍ତ ଘର ଗୁଡିକୁ ପରିଦର୍ଶନ କରିଥିଲେ। ଏହାକୁ ନେଇ ରାଜସ୍ବ ନିରୀକ୍ଷକ ଙ୍କୁ ଅବଗତ କରାଇଛନ୍ତି।
ଉକ୍ତ ପରିବାରକୁ ରାଜସ୍ବ କାର୍ଯ୍ୟାଳୟ ପକ୍ଷରୁ ପଲିଥିନ ସହାୟତା ଯୋଗାଇ ଦିଆଯାଇଛି। ଏହି ପରିବାର ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ତାଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇଦେବା ପାଇ ସାଧାରଣରେ ଦାବି ହୋଇଛି।