ଭୟଙ୍କର ପ୍ଲେନ କ୍ରାସ; ସବୁ ଯାତ୍ରୀ ମୃତ

ଦୁର୍ଘଟଣାର କାରଣ ଅସ୍ପଷ୍ଟ, ତଦନ୍ତ ଆରମ୍ଭ

ପେରୁ, ୦୨/୦୮: ଦକ୍ଷିଣ ପେରୁର ନାଜକା ଅଞ୍ଚଳରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ବିଶ୍ୱ ପ୍ରସିଦ୍ଧ ନାଜକା ଲାଇନ୍ସ (Nazca Lines) ଦେଖିବା ପାଇଁ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଏକ କ୍ଷେତରେ ଖସିପଡ଼ି ସମ୍ପୂର୍ଣ୍ଣ ଜଳିଯାଇଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୧୩ ଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି।

ସେସ୍ନା କାରାଭାନ୍ ସି-୨୦୮ ଛୋଟ ବିମାନ ପେରୁର ସ୍ଥାନୀୟ ଏୟାରଲାଇନ୍ ଏୟାରୋଡିଆନାର ଥିଲା। ଶନିବାର ପିସ୍କୋ ବିମାନବନ୍ଦରରୁ ଅପରାହ୍ନ ପ୍ରାୟ ୧୨ଟା ୧୦ ରେ ଉଡ଼ାଣ ଭରିଥିଲା। କିନ୍ତୁ ନାଜକା ସହରରୁ ପ୍ରାୟ ୬ କିଲୋମିଟର ଦୂରରେ ଥିବା ସୋକୋସ/ପୁଏବ୍ଲୋ ଭିଏହୋ ଅଞ୍ଚଳର ଏକ କ୍ଷେତ ଉପରେ ଖସି ପଡ଼ିଥିଲା, ଯାହା ନାଜକା ଲାଇନ୍ସରୁ ପ୍ରାୟ ୧୨-୧୯ କିଲୋମିଟର ଦୂର।

ଅପରାହ୍ନ ପ୍ରାୟ ୧:୦୦ ରେ କ୍ରୁ ନାଜକା ବିମାନବନ୍ଦର ଟାୱାରକୁ ଜରୁରୀ ସନ୍ଦେଶ ଦେଇଥିଲେ। ତା’ପରେ ରେଡିଓ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବିମାନ ଖସିପଡ଼ିବା ପରେ ନିଆଁ ଧରିଯାଇଥିଲା, ଯେଉଁଥିପାଇଁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରିନଥିଲା।

ବିମାନରେ ମୋଟ ୧୩ ଜଣ ଯାତ୍ରୀ ଥିଲେ। ୧୧ ଜଣ ବିଦେଶୀ ପର୍ଯ୍ୟଟକ ଓ ୨ ଜଣ କ୍ରୁ ସଦସ୍ୟ। ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରୁ ୭ ଜଣ ଇଟାଲିୟାନ୍, ୨ ଜଣ ଜର୍ମାନ୍ ଓ ୨ ଜଣ ସ୍ପାନିଶ୍ ଥିଲେ। ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ପେରୁ କର୍ତ୍ତୃପକ୍ଷ।

ନାଜକା ଲାଇନ୍ସ କ’ଣ?

ଏହା ପେରୁର ମରୁଭୂମିରେ ପ୍ରାଚୀନ କାଳରେ ଖୋଦିତ ବିଶାଳ ଚିତ୍ର ଓ ଜ୍ୟାମିତିକ ଆକୃତି। ଏହା ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ। ଆକାଶରୁ ଏହାକୁ ଦେଖିଲେ ଖୁବ୍ ସୁନ୍ଦର ଦିଶେ, ତେଣୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏଭଳି ଛୋଟ ବିମାନରେ ଉଡ଼ି ଦେଖନ୍ତି।