ବନ୍ୟା ମୁକାବିଲା: ଓଡ଼ିଶା ପାଇଁ ୫୦୦ କୋଟି ମଞ୍ଜୁର

ବନ୍ୟା ପ୍ରଭାବିତ ରାଜ୍ୟକୁ ୨୧୦୦ କୋଟିର ଅଗ୍ରିମ ସହାୟତା

ଭୁବନେଶ୍ୱର, ୦୨/୦୮: କେନ୍ଦ୍ର ସରକାର ଚଳିତ ମୌସୁମୀ ବର୍ଷା ଯୋଗୁଁ ବନ୍ୟା ପ୍ରଭାବିତ ଓଡ଼ିଶାକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏସଡିଆରଏଫର କେନ୍ଦ୍ରୀୟ ଅଂଶର ଦ୍ୱିତୀୟ କିସ୍ତି ଭାବେ ୫୦୦ କୋଟି ଟଙ୍କା ଅଗ୍ରିମ ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ଏହି ଅର୍ଥ ରାଜ୍ୟରେ ଚାଲିଥିବା ଉଦ୍ଧାର, ରିଲିଫ ଓ ପୁନର୍ବାସ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବ।

ଓଡ଼ିଶା ପୂର୍ବରୁ ୨୦୨୬-୨୭ ପାଇଁ SDRFର ପ୍ରଥମ କିସ୍ତି ପାଇସାରିଥିଲା। ବର୍ତ୍ତମାନର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦ୍ୱିତୀୟ କିସ୍ତି ୫୦୦ କୋଟି ଟଙ୍କା ଅଗ୍ରିମ ଭାବେ ଛଡ଼ାଯାଇଛି, ଯାହାଦ୍ୱାରା ରିଲିଫ କାର୍ଯ୍ୟରେ ଅର୍ଥାଭାବ ନ ହେବ।

କେନ୍ଦ୍ର ସରକାର ମୋଟ ୨,୧୧୭.୮୫ କୋଟି ଟଙ୍କା ସାତଟି ବନ୍ୟା ପ୍ରଭାବିତ ରାଜ୍ୟକୁ SDRF ଅଧୀନରେ ଅଗ୍ରିମ ଭାବେ ମଞ୍ଜୁର କରିଛନ୍ତି। ଏଥିରେ ଓଡ଼ିଶା ବ୍ୟତୀତ ଆସାମ, ଅରୁଣାଚଳ ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଓ ନାଗାଲାଣ୍ଡ ସାମିଲ ଅଛି।

ଗୃହ ମନ୍ତ୍ରଣାଳୟ କହିଛି ଯେ, ବର୍ଷା ଋତୁ ଆରମ୍ଭରୁ ବନ୍ୟା ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି। ଆବଶ୍ୟକ ସ୍ଥାନରେ NDRF ଟିମ୍ ପୂର୍ବରୁ ମୁତୟନ କରାଯାଇଛି ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ଲଜିଷ୍ଟିକ୍ ସହାୟତା ମଧ୍ୟ ଦିଆଯାଉଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ଏହି ୫୦୦ କୋଟି ଟଙ୍କାର ଅଗ୍ରିମ ସହାୟତା ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ପହଞ୍ଚାଇବା, ରିଲିଫ ବଣ୍ଟନ ଓ ସାଧାରଣ ଜୀବନକୁ ସ୍ୱାଭାବିକ କରିବାରେ ବହୁତ ସହାୟକ ହେବ।