ନୂଆଦିଲ୍ଲୀ, ୦୨/୦୮: ବିହାରର ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପୁ ଯାଦବଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ରବିବାର ଏକ ପ୍ରେସ୍ ସମ୍ମିଳନୀ ସମୟରେ ଅପ୍ରୀତିକର ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ଉପରକୁ ଜୋତା ଫିଙ୍ଗିବାରୁ ହଙ୍ଗାମା ସୃଷ୍ଟି ହୋଇଥିଲା।
ସୂଚନା ମୁତାବକ, ପପୁ ଯାଦବ ତାଙ୍କ ବାସଭବନରେ ସାମ୍ବାଦିକ ସମ୍ମିଳନୀ କରୁଥିଲେ। ସେହି ସମୟରେ ଜଣେ ବ୍ୟକ୍ତି ପ୍ରଶ୍ନ ପଚାରିବା ସହ ହଠାତ୍ ତାଙ୍କ ଆଡ଼କୁ ଜୋତା ଫିଙ୍ଗିଥିଲେ। ଏହାପରେ ପପୁ ଯାଦବଙ୍କ ସମର୍ଥକ ଓ ଉପସ୍ଥିତ ଲୋକମାନେ ସେହି ବ୍ୟକ୍ତିଙ୍କୁ କାବୁ କରିବାକୁ ଯାଇଥିଲେ, ଫଳରେ ଧସ୍ତାଧସ୍ତି ହୋଇଥିଲା।
ପପୁ ଓ ତାଙ୍କ ସମର୍ଥକଙ୍କ ଦାବି ଅନୁସାରେ, ଜୋତା ଫିଙ୍ଗିଥିବା ବ୍ୟକ୍ତିଙ୍କ ପାଖରେ ଏକ ଛୁରୀ ମଧ୍ୟ ଥିଲା। ସେମାନଙ୍କ ଅଭିଯୋଗ ଯେ, ଏହା କେବଳ ବିରୋଧ ପ୍ରଦର୍ଶନ ନୁହେଁ, ବରଂ ଆକ୍ରମଣର ଉଦ୍ଦେଶ୍ୟ ଥିଲା।
ତେବେ ପପୁ ସୁରକ୍ଷିତ ଅଛନ୍ତି ଏବଂ କୌଣସି ଗୁରୁତର ଆଘାତ ଲାଗି ନାହିଁ। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି। ଘଟଣାର ସମ୍ପୂର୍ଣ୍ଣ ସତ୍ୟତା ଜାଣିବା ପାଇଁ ଦିଲ୍ଲୀ ପୋଲିସ ତଦନ୍ତ ଜାରି ରଖିଛି।
ଗତ ୩୧ ଜୁଲାଇରେ ସଂସଦ ପରିସରରେ ପପ୍ପୁ ଯାଦବ ଭଗବା ପୋଷାକ ପିନ୍ଧି ଏକ ନାଟକ କରିଥିଲେ, ଯେଉଁଥିରେ ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧୀ ସାଂସଦମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହାକୁ ନେଇ ଧାର୍ମିକ ଭାବନା ଆଘାତ କରିବା ଅଭିଯୋଗରେ ଦିଲ୍ଲୀ ଓ ବାରାଣସୀରେ ତାଙ୍କ ବିରୁଦ୍ଧରେ ଏଫ୍ଆଇଆର୍ ଦାୟର ହୋଇଛି। ସୋସିଆଲ ମିଡ଼ିଆରେ ତାଙ୍କୁ ହତ୍ୟା କରିବା ପାଇଁ ୫୧ ଲକ୍ଷ ଟଙ୍କା ଇନାମ ଦେବାର ଧମକ ମଧ୍ୟ ଆସୁଥିଲା ବୋଲି ସେ ଦାବି କରିଛନ୍ତି। ୩୦ ଜୁଲାଇରେ ସେ ଦିଲ୍ଲୀ ପୁଲିସ ଡିସିପିଙ୍କୁ ଚିଠି ଲେଖି ସୁରକ୍ଷା ବଢ଼ାଇବା ପାଇଁ ଅନୁରୋଧ କରିଥିଲେ।