ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ ପାଇଁ ଚିଠି

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର, ୦୩/୦୮: ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ୟୁନେସ୍କୋର ‘ଇଣ୍ଟାଞ୍ଜିବଲ୍ କଲଚରାଲ ହେରିଟେଜ ଅଫ ହ୍ୟୁମାନିଟି’ ତାଲିକାରେ ସାମିଲ କରାଇବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରଥଯାତ୍ରା କେବଳ ଗୋଟିଏ ଧାର୍ମିକ ଉତ୍ସବ ନୁହେଁ, ବରଂ ଭାରତର ସାଂସ୍କୃତିକ ବିବିଧତା, ସମାବେଶୀତା, ଆଧ୍ୟାତ୍ମିକତା, କାରିଗରି, ସଙ୍ଗୀତ, ନୃତ୍ୟ ଏବଂ ସମୁଦାୟ ଭାଗିଦାରିତାକୁ ପ୍ରତିଫଳିତ କରୁଥିବା ଏକ ଚିରନ୍ତନ ସଭ୍ୟତାଗତ ପରମ୍ପରା। ଶତାବ୍ଦୀ ଧରି ପାଳିତ ହେଉଥିବା ଏହି ଉତ୍ସବ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ ଏବଂ ଭାରତର ଜୀବନ୍ତ ଐତିହ୍ୟର ଏକ ସ୍ଥାୟୀ ପ୍ରତୀକ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଏହି ପ୍ରସ୍ତାବ ପାଇଁ ଆବଶ୍ୟକ ସମସ୍ତ ଦସ୍ତାବିଜ ନିର୍ଦ୍ଧାରିତ ଫର୍ମାଟରେ ଦାଖଲ କରିସାରିଛି। ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ କଲେ ଭାରତର ଅମୂର୍ତ୍ତ ସାଂସ୍କୃତିକ ପରମ୍ପରାକୁ ବିଶ୍ୱସ୍ତରୀୟ ମାନ୍ୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ କେନ୍ଦ୍ରର ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ୨୦୨୫ ମାର୍ଚ୍ଚ-ଏପ୍ରିଲ୍‌ରେ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପ୍ରସ୍ତୁତ ‘ନ୍ୟାସନାଲ୍ ଇନଭେଣ୍ଟରି ଅଫ୍ ଇଣ୍ଟାଞ୍ଜିବଲ୍ କଲଚରାଲ୍ ହେରିଟେଜ୍’ରେ ପୁରୀ ରଥଯାତ୍ରା ଏବଂ କଟକର ବାଲିଯାତ୍ରାକୁ ସାମିଲ କରାଯାଇଥିଲା। ଏହା ୟୁନେସ୍କୋ ତାଲିକା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଦୀର୍ଘ ଦିନ ଧରି ଏହି ମାନ୍ୟତା ପାଇଁ ଚେଷ୍ଟା କରିଆସୁଛନ୍ତି।