ବ୍ରିଜ୍ ଭୂଷଣଙ୍କୁ ବଡ଼ ଆଶ୍ବସ୍ତି; ଦୋଷମୁକ୍ତ କଲେ କୋର୍ଟ

ଷଡ଼ଯନ୍ତ୍ର ହୋଇଥିବା କହିଲେ ବ୍ରିଜ୍ ଭୂଷଣ

ନୂଆଦିଲ୍ଲୀ, ୦୩/୦୮: ଦିଲ୍ଲୀର ରାଉଜ୍ ଆଭିନ୍ୟୁ କୋର୍ଟ ଆଜି ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (WFI)ର ପୂର୍ବତନ ସଭାପତି ତଥା ପୂର୍ବତନ ବିଜେପି ସାଂସଦ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଦୋଷମୁକ୍ତ ଘୋଷଣା କରିଛନ୍ତି। ଏହି ମାମଲାରେ ତାଙ୍କ ସହ-ଅଭିଯୁକ୍ତ ପୂର୍ବତନ WFI ଆସିଷ୍ଟାଣ୍ଟ ସେକ୍ରେଟାରୀ ବିନୋଦ ତୋମାରଙ୍କୁ ମଧ୍ୟ ଦୋଷମୁକ୍ତ କରାଯାଇଛି। ACJM ଅଶ୍ୱିନୀ ପନ୍ୱାର ଏହି ରାୟ ଘୋଷଣା କରିଛନ୍ତି।

୨୦୨୩ ମସିହାରେ ଅଲିମ୍ପିୟାନ୍ ସାକ୍ଷୀ ମଲିକ୍, ବିନେଶ୍ ଫୋଗାଟ୍, ବଜରଙ୍ଗ ପୁନିଆ ଏବଂ ଅନ୍ୟ ରେସଲରମାନେ ଦିଲ୍ଲୀର ଜନ୍ତର ମନ୍ତରରେ ମାସେରୁ ଅଧିକ ସମୟ ଧରି ପ୍ରତିବାଦ କରିଥିଲେ। ସେମାନେ ବ୍ରିଜ୍ ଭୂଷଣଙ୍କୁ WFI ସଭାପତି ପଦରୁ ହଟାଇବା ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଅଭିଯୋଗ ଥିଲା ଯେ ୨୦୧୬ରୁ ୨୦୧୯ ମଧ୍ୟରେ WFI କାର୍ଯ୍ୟାଳୟ, କ୍ୱାର୍ଟର୍ସ ଏବଂ ବିଦେଶ ଯାତ୍ରା ସମୟରେ ସେ ଏକାଧିକ ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏପରିକି ପୀଡ଼ିତଙ୍କ ମଧ୍ୟରେ ଜଣେ ନାବାଳିକା ଥିଲେ ବୋଲି ଅଭିଯୋଗ ଆସିଥିଲା।

ସୁପ୍ରିମ୍ କୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୋଲିସ ଏଫ୍‌ଆଇଆର୍ ଦାଖଲ କରିଥିଲା। ଜଣେ ନାବାଳିକା ରେସଲରଙ୍କ ଅଭିଯୋଗରେ POCSO ଅଧିନରେ ଏକ ପୃଥକ ମାମଲା ଥିଲା। ୨୦୨୫ ମେ ମାସରେ ପଟିଆଲା ହାଉସ୍ କୋର୍ଟ ଦିଲ୍ଲୀ ପୋଲିସଙ୍କ କ୍ଲୋଜର୍ ରିପୋର୍ଟ ଗ୍ରହଣ କରି ସେହି ମାମଲା ବନ୍ଦ କରିଦେଇଥିଲେ।

ରାୟ ପରେ ବ୍ରିଜ୍ ଭୂଷଣ କହିଛନ୍ତି, “ମୋର ପ୍ରଥମ କଥା ସଠିକ୍ ଥିଲା। ମୁଁ ପ୍ରଥମ ଦିନରୁ କହିଥିଲି ଯେ ଯଦି ଗୋଟିଏ ଅଭିଯୋଗ ମଧ୍ୟ ପ୍ରମାଣିତ ହୁଏ ତେବେ ମୁଁ ନିଜେ ଫାଶୀରେ ଝୁଲିବି। ଆଜି କୋର୍ଟ ମୋତେ ଏବଂ ବିନୋଦଙ୍କୁ ସମ୍ମାନଜନକ ଭାବେ ଦୋଷମୁକ୍ତ କରିଛନ୍ତି। ଆଜି ଖୁସିର ଦିନ।” ସେ ଏହାକୁ ଷଡଯନ୍ତ୍ର ବୋଲି ମଧ୍ୟ କହିଛନ୍ତି।