ଭୁବନେଶ୍ୱର/ବିଶାଖାପାଟନମ, ୦୫/୦୮: ଆନ୍ଧ୍ରପ୍ରଦେଶର ବିଶାଖାପାଟନମର ପୂର୍ବତନ ବିଧାୟକ ତଥା ୱେଲଫେୟାର୍ ଗ୍ରୁପ୍ ଅଫ୍ କମ୍ପାନିଜ୍ର ଚେୟାରମ୍ୟାନ୍ ମାଲା ବିଜୟ ପ୍ରସାଦଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନଗୁଡ଼ିକରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବଡ଼ ଚଢ଼ାଉ କରିଛି। ଚିଟ୍ଫଣ୍ଡ କାରବାର ଓ ମନି ଲଣ୍ଡରିଂ ମାମଲାରେ ଏହି ଚଢ଼ାଉ କରାଯାଇଛି।
ଭୁବନେଶ୍ୱର ED ପକ୍ଷରୁ ଏହି ଚଢ଼ାଉ ଚଳାଯାଇଛି। ବିଶାଖାପାଟନମ ଓ ହାଇଦ୍ରାବାଦରେ ତାଙ୍କ ସହ ଜଡ଼ିତ ପାଞ୍ଚଟି ସ୍ଥାନରେ ଏକା ସମୟରେ ତଲାସି କରାଯାଇଛି। ଏହି ମାମଲାରେ ବହୁ-ରାଜ୍ୟ ଚିଟ୍ଫଣ୍ଡ ଠକେଇର ଅନୁସନ୍ଧାନ ଚାଲିଛି।
୨୦୨୧ ସେପ୍ଟେମ୍ବରରେ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ଇକୋନୋମିକ୍ ଅଫେନ୍ସ ଉଇଙ୍ଗ୍ (EOW) ତାଙ୍କୁ ଗିରଫ କରିଥିଲା। ସେତେବେଳେ ତାଙ୍କ କମ୍ପାନୀ ୱେଲଫେୟାର୍ ବିଲଡିଂ ଆଣ୍ଡ ଏଷ୍ଟେଟ୍ସ ପ୍ରାଇଭେଟ୍ ଲିମିଟେଡ୍ ମାଧ୍ୟମରେ ଓଡ଼ିଶାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ଥିଲା।
କମ୍ପାନୀ ୨୦୦୯ରୁ ୨୦୧୪ ମଧ୍ୟରେ ଭୁବନେଶ୍ୱର, ନରସିଂହପୁର (କଟକ), ନୟାଗଡ଼ ସହ ବ୍ରହ୍ମପୁର, ଜୟପୁର, ସିମିଲିଗୁଡ଼ା, ଭଦ୍ରକ, ବାଲେଶ୍ୱର ଆଦି ସ୍ଥାନରେ କାର୍ଯ୍ୟାଳୟ ଖୋଲି ଅଧିକ ସୁଧ ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲା। ଏପରିକି ବିଶାଖାପାଟନମରେ ଘର ଯୋଗାଇ ଦେବାକୁ ମଧ୍ୟ ପ୍ରଲୋଭନ ଦିଆଯାଇଥିଲା। ପରେ କାର୍ଯ୍ୟାଳୟ ବନ୍ଦ କରି ଟଙ୍କା ଫେରସ୍ତ କରିନଥିଲା। କିଛି ରିପୋର୍ଟରେ ଏହି ଠକେଇର ପରିମାଣ ୧୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ କୁହାଯାଇଛି।
ଗିରଫ ପରେ ତାଙ୍କୁ ଓଡ଼ିଶା ଆଣି କଟକ ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା। ପରବର୍ତ୍ତୀ ସମୟରେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲା।
ବର୍ତ୍ତମାନ ED ଏହି ମାମଲାରେ ମନି ଲଣ୍ଡରିଂ (PMLA) ଅଧୀନରେ ତଦନ୍ତ କରୁଛି। ଚଢ଼ାଉରେ ଡକ୍ୟୁମେଣ୍ଟ୍, ଡିଜିଟାଲ୍ ସାକ୍ଷ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା ଜଣାପଡ଼ିଛି।