ନୂଆଦିଲ୍ଲୀ, ୦୫/୦୮: ଭାରତରେ ବୈଧ ଥାର୍ଡ ପାର୍ଟି ବୀମା ନଥିବା ଗାଡ଼ିକୁ ପେଟ୍ରୋଲ ପମ୍ପରେ ତେଲ ଦିଆଯିବ ନାହିଁ ବୋଲି ଏକ ପାଇଲଟ୍ ପ୍ରକଳ୍ପ ତିଆରି କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମଙ୍ଗଳବାର (୪ ଅଗଷ୍ଟ) ଜଷ୍ଟିସ୍ ସଞ୍ଜୟ କରୋଲ୍ ଓ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଭାରତରେ ପ୍ରାୟ ୫୬ ପ୍ରତିଶତ ଗାଡ଼ି ବୈଧ ଥାର୍ଡ ପାର୍ଟି ବୀମା ବିନା ଚାଲୁଛି। ସାଂସଦୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଅନୁସାରେ ମୋଟ ୩୦.୪୮ କୋଟି ଗାଡ଼ି ମଧ୍ୟରୁ ୧୬.୫୪ କୋଟି ଗାଡ଼ିର ବୀମା ନାହିଁ। ଏହା ଯୋଗୁଁ ଦୁର୍ଘଟଣା ଶିକାରଙ୍କୁ କ୍ଷତିପୂରଣ ମିଳିବାରେ ବିଳମ୍ବ ହୁଏ।
IRDAI ଓ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (MoRTH) ମିଶି ଏକ ପାଇଲଟ୍ ପ୍ରକଳ୍ପ ତିଆରି କରିବେ। ଏଥିରେ ଗାଡ଼ିର ବୀମା ସ୍ଥିତି ସହ ଇନ୍ଧନ ଯୋଗାଣ ଲିଙ୍କ୍ କରାଯିବ। ବୈଧ ବୀମା ନଥିଲେ ପେଟ୍ରୋଲ/ଡିଜେଲ ଦିଆଯିବ ନାହିଁ।
ଏହା ଦ୍ୱାରା ବୀମା ନଥିବା ଗାଡ଼ି ଚିହ୍ନଟ ହେବ ଏବଂ ମାଲିକମାନେ ବୀମା ନବୀକରଣ କରିବାକୁ ବାଧ୍ୟ ହେବେ। ଅଟୋମେଟିକ ନମ୍ବର ପ୍ଲେଟ୍ ରେକଗନିସନ (ଏଏନପିଆର) କ୍ୟାମେରା ବ୍ୟବହାର କରି ଏହା କାର୍ଯ୍ୟକାରୀ କରାଯାଇପାରିବ।
ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ହେଉଛି, ନୂଆ କାର ପାଇଁ ଥାର୍ଡ ପାର୍ଟି ବୀମା ବାଧ୍ୟତାମୂଳକ ଭାବେ ୪ ବର୍ଷ କିଣିବାକୁ ହେବ, ଯାହା ଆଗରୁ ୩ ବର୍ଷ ଥିଲା। ନୂଆ ଦୁଇଚକିଆ ପାଇଁ ୬ ବର୍ଷ ବୀମା ବାଧ୍ୟତାମୂଳକ ହେବ। ଯାହା ଆଗରୁ ୫ ବର୍ଷ ଥିଲା। ଟ୍ରାଫିକ୍ ପୋଲିସଙ୍କୁ ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଦିଆଯିବ ଯାହା ଦ୍ୱାରା ତୁରନ୍ତ ବୀମା ଯାଞ୍ଚ କରାଯାଇପାରିବ। ANPR କ୍ୟାମେରା ସହ ବୀମା ଡାଟାବେସ୍ ଓ VAHAN ପୋର୍ଟାଲ୍ ଲିଙ୍କ୍ କରି ସ୍ୱୟଂକ୍ରିୟ ଇ-ଚାଲାନ୍ ଜାରି କରାଯିବ।
ମୋଟର ଯାନ ଆଇନର ଧାରା ୧୪୬ ଅନୁଯାୟୀ ସମସ୍ତ ଗାଡ଼ିରେ ଥାର୍ଡ ପାର୍ଟି ବୀମା ବାଧ୍ୟତାମୂଳକ। ଏହା ଉଲ୍ଲଙ୍ଘନ କଲେ ଜରିମାନା ଓ ଜେଲ୍ ଦଣ୍ଡ ମଧ୍ୟ ରହିଛି। ତେବେ ଏହା ଏକ ପାଇଲଟ୍ ପ୍ରକଳ୍ପ। ଏପର୍ଯ୍ୟନ୍ତ ସମଗ୍ର ଦେଶରେ ତୁରନ୍ତ ଲାଗୁ ହୋଇନାହିଁ। IRDAI ଓ MoRTH ଏହା ଉପରେ କାର୍ଯ୍ୟ କରିବେ ଏବଂ ପରେ ବିସ୍ତାର କରାଯାଇପାରେ।