ଏ.ବି.ପି.ଏମ୍.ଜେ.ଏ.ୱାଇ.–ଜି.ଜେ.ଏ.ୱାଇ.ରେ ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କ୍ୟାନସର କେୟାର ଅଭିଯାନର ଆଉ ୯୧ଟି ସ୍ୱତନ୍ତ୍ର ପ୍ୟାକେଜ ସାମିଲ
୨୦୨୬-୨୭ ବଜେଟରେ ପ୍ରବଧାନ ହୋଇଛି ୩୧୧ କୋଟି
ରାଜ୍ୟରେ ଆଉ କ୍ୟାନସର ରୋଗୀ ହନ୍ତସନ୍ତ ହେବେନି, ଗୁଣାତ୍ମକ ଓ ଦେୟମୁକ୍ତ ସୁପର ସ୍ପେସାଲିଟି ଚିକିତ୍ସା ପାଇବେ ରାଜ୍ୟର ହିତାଧିକାରୀ: ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, ୫/୮: ରାଜ୍ୟରେ କର୍କଟ ରୋଗୀମାନଙ୍କୁ ଅଧିକ ବ୍ୟାପକ, ସମୟୋପଯୋଗୀ ଓ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ଦିଗରେ ଓଡ଼ିଶା ସରକାର ଆଉ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କ୍ୟାନସର କେୟାର ଅଭିଯାନ (Mukhyamantri Cancer Care Abhiyan) ଅଧୀନରେ ଥିବା ଅତିରିକ୍ତ ୯୧ଟି କ୍ୟାନସର ଚିକିତ୍ସା ପ୍ୟାକେଜକୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏ.ବି.ପି.ଏମ୍.ଜେ.ଏ.ୱାଇ.) ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା (ଜି.ଜେ.ଏ.ୱାଇ.)ର ସମନ୍ୱିତ ପ୍ୟାକେଜ ମାଷ୍ଟରରେ ସ୍ୱତନ୍ତ୍ର ରାଜ୍ୟ ପ୍ୟାକେଜ ଭାବେ ସାମିଲ କରାଯାଇଛି । ଏହା ଫଳରେ ରାଜ୍ୟର କ୍ୟାନସର ରୋଗୀମାନେ ଅଧିକ ସଂଖ୍ୟକ ଜଟିଳ ଚିକିତ୍ସା ସେବାକୁ ସମ୍ପୂର୍ଣ୍ଣ ଦେୟମୁକ୍ତ ଭାବେ ପାଇପାରିବେ ବୋଲି କହିଛନ୍ତି ମାନ୍ୟବର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଲୋକାଭିମୁଖୀ ସ୍ଵାସ୍ଥ୍ୟସେବା ପାଇଁ ପ୍ରତିବଦ୍ଧତା ନିମନ୍ତେ ଧନ୍ୟବାଦ ଜଣାଇ ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ ,” କ୍ୟାନସର ପାଇଁ ରାଜ୍ୟ ସରକାର ନିଜ ଉଦ୍ୟମରେ ଦେୟମୁକ୍ତ ଚିକିତ୍ସା ଯୋଗାଇଦେବେ । ୨୦୨୬-୨୭ ବଜେଟରେ ଏଥି ନିମନ୍ତେ ୩୧୧ କୋଟି ପ୍ରବଧାନ କରାଯାଇଛି । ଗୋଷ୍ଠୀ ସଚେତନତା, ମୋବାଇଲ କ୍ୟାମ୍ପ, ଡିଜିଟାଲ-ହବ ଏବଂ ସ୍ପୋକ ମଡେଲ ଏବଂ ମାଗଣା ଯାତାୟତ ସୁବିଧା ନିମନ୍ତେ ଖର୍ଚ୍ଚ ହେବ । ଓଡ଼ିଶାରେ ଏ.ବି.ପି.ଏମ୍.ଜେ.ଏ.ୱାଇ. ଓ ଜି.ଜେ.ଏ.ୱାଇ.ର ସମନ୍ୱିତ କାର୍ଯ୍ୟକାରିତା ଆରମ୍ଭ ବେଳେ ଏହି ଯୋଜନାରେ ୨୧୬୩ଟି ଚିକିତ୍ସା ପ୍ୟାକେଜ ଉପଲବ୍ଧ ଥିଲା । ବର୍ତ୍ତମାନ ୯୧ଟି ନୂତନ ପ୍ୟାକେଜ ସାମିଲ ହେବା ପରେ ମୋଟ ଚିକିତ୍ସା ପ୍ୟାକେଜର ସଂଖ୍ୟା ୨୨୫୪ରେ ପହଞ୍ଚିଛି।
କ୍ୟାନସର ଭଳି ଜଟିଳ ଓ ପ୍ରାଣଘାତୀ ରୋଗରେ ପ୍ରାରମ୍ଭିକ ସ୍ତରରେ ଚିହ୍ନଟ, ଉପଯୁକ୍ତ ପରୀକ୍ଷା ଏବଂ ବୈଜ୍ଞାନିକ ଚିକିତ୍ସା ଅତ୍ୟନ୍ତ ଜରୁରୀ। ଏହି ରୋଗର ଚିକିତ୍ସା ସର୍ଜରୀ, କେମୋଥେରାପି, ରେଡିଏସନ, ଅଙ୍କୋଲୋଜି ଏବଂ ଅନ୍ୟାନ୍ୟ ବହୁ ବିଭାଗର ସମନ୍ୱିତ ଚିକିତ୍ସା ପଦ୍ଧତି ଉପରେ ନିର୍ଭରଶୀଳ । ସାଧାରଣ ଲୋକ ଏହି ରୋଗରେ ପୀଡ଼ିତ ହୋଇ ଖର୍ଚ୍ଚାନ୍ତ ହେଉଥିବାରୁ ଓଡ଼ିଶା ସରକାର ଏହାକୁ ଦୃଷ୍ଟିରେ ରଖି କ୍ୟାନସର ଚିକିତ୍ସା ପ୍ୟାକେଜକୁ ବୃହତ ସ୍ୱାର୍ଥ ଦୃଷ୍ଟିରୁ ସାମିଲ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ଏବଂ ରାଜ୍ୟ ସରକାରଙ୍କ ସକ୍ରିୟ ପଦକ୍ଷେପ ଫଳରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA) ଏହି ୯୧ଟି ପ୍ୟାକେଜକୁ ଅନୁମୋଦନ କରି ଏ.ବି.ପି.ଏମ୍.ଜେ.ଏ.ୱାଇ.–ଜି.ଜେ.ଏ.ୱାଇ. ପ୍ୟାକେଜ ମାଷ୍ଟରରେ ସ୍ୱତନ୍ତ୍ର ରାଜ୍ୟ ପ୍ୟାକେଜ ଭାବେ ସାମିଲ କରିଛନ୍ତି । ଏହି ସମସ୍ତ ପ୍ୟାକେଜ ଅନୁଯାୟୀ ଦେୟମୁକ୍ତ ଚିକିତ୍ସା ସେବା ପ୍ରଦାନ ପାଇଁ ରାଜ୍ୟର ସମସ୍ତ ତାଲିକାଭୁକ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଜାରି କରାଯାଇଛି।
ଏହି ନୂତନ ବ୍ୟବସ୍ଥାର ସୁଫଳ ରାଜ୍ୟର ଅନେକ କ୍ୟାନସର ରୋଗୀ ଇତିମଧ୍ୟରେ ପାଇବା ଆରମ୍ଭ କରିଛନ୍ତି। ଯାଜପୁର ଜିଲ୍ଲାର କୁଆଖିଆ ଅଞ୍ଚଳର ୩୨ ବର୍ଷୀୟ ଆର୍ଯ୍ୟଭାନୁ ମହାନ୍ତି ମାରାତ୍ମକ ଅଣ୍ଡକୋଷ କ୍ୟାନସରରେ ପୀଡ଼ିତ ଥିଲେ। ନୂତନ ପ୍ୟାକେଜର ସୁବିଧା ଯୋଗୁଁ ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲରେ ତାଙ୍କର ସଫଳ ଅସ୍ତ୍ରୋପଚାର ସମ୍ପନ୍ନ ହୋଇଛି । ବର୍ତ୍ତମାନ ସେ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି ଏବଂ ସୁସ୍ଥ ଜୀବନକୁ ଫେରିବା ଦିଗରେ ଅଗ୍ରସର ହେଉଛନ୍ତି।
ସେହିପରି ଭଦ୍ରକ ପୌରାଞ୍ଚଳର ଜଗନ୍ନାଥପୁର ନିବାସୀ ୬୨ ବର୍ଷୀୟା ଜ୍ୟୋସ୍ନାରାଣୀ ମହାନ୍ତିଙ୍କ ଗର୍ଭାଶୟ କର୍କଟ ରୋଗର ମଧ୍ୟ ସଫଳ ଅସ୍ତ୍ରୋପଚାର କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉନ୍ନତି ହେଉଥିବାବେଳେ ସେ ଖୁବ୍ ଶୀଘ୍ର ହସ୍ପିଟାଲରୁ ଡିଶ୍ଚାର୍ଜ ହେବେ ବୋଲି ଚିକିତ୍ସକମାନେ କହିଛନ୍ତି ।
ସମୟୋପଯୋଗୀ ଚିକିତ୍ସା, ଆର୍ଥିକ ବୋଝରୁ ମୁକ୍ତି ଏବଂ ଉନ୍ନତମାନର ସୁପର ସ୍ପେସାଲିଟି ସେବା ମିଳିଥିବାରୁ ଆର୍ଯ୍ୟଭାନୁ ମହାନ୍ତି ଓ ଜ୍ୟୋସ୍ନାରାଣୀ ମହାନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସେମାନେ କହିଛନ୍ତି ଯେ, ଏହି ଯୋଜନା ନଥିଲେ ଏତେ ବ୍ୟୟବହୁଳ ଚିକିତ୍ସା କରାଇବା ସେମାନଙ୍କ ପକ୍ଷରେ ସମ୍ଭବ ହୋଇନଥାନ୍ତା। ସରକାରଙ୍କ ଏହି ଜନହିତକର ପଦକ୍ଷେପ ସେମାନଙ୍କୁ ଏକ ନୂଆ ଜୀବନ ଦେଇଛି ବୋଲି ସେମାନେ ପ୍ରକାଶ କରିଛନ୍ତି।
ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପ କେବଳ କ୍ୟାନସର ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବାରେ ସହାୟକ ହୋଇନାହିଁ, ବରଂ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଲଭ ଓ ଲୋକମୁଖୀ କରିବା ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ରାଜ୍ୟର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଯେପରି ଆର୍ଥିକ ଚିନ୍ତାରୁ ମୁକ୍ତ ହୋଇ ଗୁଣାତ୍ମକ ଚିକିତ୍ସା ପାଇପାରିବେ, ସେଥିପାଇଁ ସରକାର ନିରନ୍ତର ଭାବେ ସ୍ୱାସ୍ଥ୍ୟ ସେବାର ପରିସର ବୃଦ୍ଧି କରିଚାଲିଛନ୍ତି।