‘ମୋତେ ମାରନ୍ତୁ କିମ୍ବା ଜେଲ୍‌ରେ ପୂରାନ୍ତୁ ମୁଁ ଦେଶକୁ ଫେରିବି’

ନିର୍ବାସନ ପରେ ପ୍ରଥମ ଥର ପାଇଁ ଭିସିରେ ହାସିନାଙ୍କ ସମ୍ବୋଧନ

ନୂଆଦିଲ୍ଲୀ, ୦୫/୦୮: ୨୦୨୪ ମସିହା ଅଗଷ୍ଟ ୫ ତାରିଖରେ ଛାତ୍ର ନେତୃତ୍ୱାଧୀନ ଆନ୍ଦୋଳନ ଓ ବ୍ୟାପକ ବିରୋଧ ପରେ କ୍ଷମତାଚ୍ୟୁତ ହୋଇ ଭାରତରେ ନିର୍ବାସିତ ଜୀବନ ଯାପନ କରୁଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଆୱାମୀ ଲିଗ୍ ସଭାପତି ଶେଖ ହାସିନା ଆଜି (୫ ଅଗଷ୍ଟ ୨୦୨୬) ନିଜ ସରକାର ପତନର ଦ୍ୱିତୀୟ ବାର୍ଷିକୀରେ ପ୍ରଥମ ଥର ପାଇଁ ଭର୍ଚୁଆଲୀ ସମ୍ବୋଧନ କରିଛନ୍ତି। ନୂଆଦିଲ୍ଲୀର ଫରେନ୍ କରେସପୋଣ୍ଡେଣ୍ଟସ୍ କ୍ଲବ୍ ଅଫ୍ ସାଉଥ୍ ଏସିଆରେ ଆୟୋଜିତ ଏହି ଭର୍ଚୁଆଲ୍ ପ୍ରେସ୍ ବ୍ରିଫିଙ୍ଗରେ ସେ ଅଡିଓ/ଭିଡିଓ ଲିଙ୍କ ମାଧ୍ୟମରେ ଯୋଗ ଦେଇଥିଲେ।

ସେ କହିଛନ୍ତି ଯେ ଗତ ଦୁଇ ବର୍ଷ ଧରି ବାଂଲାଦେଶରେ ଅରାଜକତା ଚାଲିଛି। ସେ ନିଜ ପ୍ରିୟ ଦେଶକୁ ଦୁଃଖ ଭୋଗୁଥିବା ଦେଖିଛନ୍ତି। “ଏହା ଆମେ ଗଢ଼ିଥିବା ବାଂଲାଦେଶ ନୁହେଁ। ୧୯୭୧ରେ ଯେଉଁ ଦେଶ ଗଠନ ପାଇଁ ୩୦ ଲକ୍ଷ ଲୋକ ବଳିଦାନ ଦେଇଥିଲେ, ସେହି ବାଂଲାଦେଶ ଏହା ନୁହେଁ,” ବୋଲି ସେ କହିଥିଲେ।

ହାସିନା ଅଭିଯୋଗ କରିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରାଯାଉଛି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ନିର୍ଯାତିତ ହେଉଛନ୍ତି। ଆୱାମୀ ଲିଗ୍ ନେତାଙ୍କ ଉପରେ ହିଂସା ବିଷୟରେ ସେ କହିଛନ୍ତି ଯେ ଅତି କମ୍‌ରେ ୧୦ ହଜାର ଆୱାମୀ ଲିଗ୍ ନେତାଙ୍କୁ ହତ୍ୟା କରାଯାଇଛି। ଏହା ସହିତ ଜାତିର ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର୍ ରହମାନଙ୍କ ପ୍ରତିଟି ଚିହ୍ନ, ସ୍ମୃତି ଓ ପ୍ରତୀକକୁ ଧ୍ୱଂସ କରିବାକୁ ଉଦ୍ୟମ ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି।

୨୦୨୪ ଜୁଲାଇ-ଅଗଷ୍ଟ ଆନ୍ଦୋଳନ ବିଷୟରେ ସେ କହିଛନ୍ତି ଯେ ଏହା ଶାନ୍ତିପୂର୍ଣ୍ଣ ଛାତ୍ର ଆନ୍ଦୋଳନ ନଥିଲା। ତାଙ୍କ ସରକାର ଆରମ୍ଭରୁ ଆଲୋଚନା, ଆଇନଗତ ପ୍ରକ୍ରିୟା ଓ ଧୈର୍ଯ୍ୟ ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ସଂସ୍କାରର ଭାଷା ପଛରେ ସଂଗଠିତ ଗୋଷ୍ଠୀଗୁଡ଼ିକ ଛାତ୍ରଙ୍କ ଦାବିକୁ ହିଂସାତ୍ମକ ରାଜନୈତିକ ହତିଆରରେ ପରିଣତ କରିଥିଲେ। ଏହା ବାଲଟ୍ ବାକ୍ସ ବାହାରେ କ୍ଷମତା ଦଖଲ କରିବାର ଏକ ଯୋଜନା ଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ସେ ନିଜକୁ ବାଂଲାଦେଶ ଲୋକଙ୍କ ସହିତ ଜୀବନ କଟାଇଥିବା ଜଣେ ବ୍ୟକ୍ତି ଭାବେ ପରିଚୟ ଦେଇ କହିଛନ୍ତି, “ମୋତେ ଦେଶ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା, କିନ୍ତୁ ମୁଁ କେବେବି ମୋ ଲୋକଙ୍କଠାରୁ ଅଲଗା ହୋଇନାହିଁ।” ଜାତିର ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର୍ ରହମାନ, ମହାନ ନେତାମାନେ ଏବଂ ୧୯୭୧ର ତିନି ନିୟୁତ ଶହୀଦଙ୍କୁ ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୧୯୭୫ ଅଗଷ୍ଟ ୧୫ରେ ନିଜ ପରିବାର ହତ୍ୟା ସ୍ମରଣ କରି ସେ ଭାବପ୍ରବଣ ହୋଇପଡ଼ିଥିଲେ।

ଦେଶକୁ ଫେରିବା ବିଷୟରେ ସେ ସ୍ପଷ୍ଟ କହିଛନ୍ତି, “ମୁଁ ମୋ ଦେଶକୁ ଫେରିବି। ଜନତା ଶାନ୍ତି ଓ ସମୃଦ୍ଧି ପାଇବାକୁ ହକ୍‌ଦାର। ମୋତେ ମାରନ୍ତୁ କିମ୍ବା ଜେଲ୍‌ରେ ପୂରାନ୍ତୁ, ମୁଁ ଦେଶକୁ ଫେରିବି।” ସେ ବାଂଲାଦେଶ ପୁନର୍ଗଠନରେ ସାହାଯ୍ୟ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ସମ୍ବୋଧନ ବାଂଲାଦେଶ-ଭାରତ ସମ୍ପର୍କ ଓ ଦେଶର ରାଜନୈତିକ ପରିସ୍ଥିତି ଉପରେ ପ୍ରଭାବ ପକାଇବ ବୋଲି ଆକଳନ କରାଯାଉଛି। ଭାରତ ସରକାର ଏହି ଘଟଣାକୁ ଏକ ବ୍ୟକ୍ତିଗତ/ପ୍ରାଇଭେଟ୍ ମିଡିଆ ଇଭେଣ୍ଟ ବୋଲି କହି ନିଜକୁ ଦୂରେଇ ରଖିଛନ୍ତି। ବାଂଲାଦେଶ ପକ୍ଷରୁ ଏହି ଭାଷଣ ପ୍ରସାର ଉପରେ ନିଷେଧାଜ୍ଞା ରହିଛି।