ମାଲକାନଗିରି, ୦୯/୦୮: ମାଲକାନଗିରିର ଜଙ୍ଗଲରୁ କାଠ ଓ ମହୁଆ ଫୁଲ ସଂଗ୍ରହ କରିବାରୁ ଆରମ୍ଭ କରି ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହିତ କୌନ ବନେଗା କରୋଡ଼ପତି (କେବିସି) ପର୍ଯ୍ୟନ୍ତ ଜୟନ୍ତୀ ବୁରୁଡାଙ୍କ ଯାତ୍ରା ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କ ପାଇଁ ପ୍ରେରଣା ସାଜିଛି। ଦେଶର ବିଭିନ୍ନ ଅଞ୍ଚଳରୁ ଚୟନ ହୋଇଥିବା ୧୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଓଡ଼ିଶାର ଏହି ଆଦିବାସୀ ମହିଳା ଅନ୍ୟତମ ଥିଲେ ଏବଂ ରାଜ୍ୟରୁ ଏକମାତ୍ର ପ୍ରତିଯୋଗୀ ଥିଲେ।
ମାଲକାନଗିରିର ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ତାଙ୍କ କାର୍ଯ୍ୟ ପାଇଁ ‘ଜଙ୍ଗଲ ରାଣୀ’ ଭାବେ ପରିଚିତ ବୁରୁଡା କେବିସିରେ ଉପସ୍ଥିତ ହେବା ପାଇଁ ବହୁ ଦିନରୁ ସ୍ୱପ୍ନ ଦେଖୁଥିଲେ। ସେ ଅନେକ ଥର ଚେଷ୍ଟା କରି ଶେଷରେ କେବିସି ମଞ୍ଚରେ ପହଞ୍ଚି ପାରିଛନ୍ତି।
ଯଦିଓ ସେ ‘ହଟ ସିଟ’ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲେ, ତଥାପି ୧୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଚୟନ ହୋଇ ମାଲକାନଗିରିକୁ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇବା ତାଙ୍କ ପାଇଁ ଏକ ଅବିସ୍ମରଣୀୟ ଅନୁଭୂତି ଥିଲା।
ବୁରୁଡା କହିଛନ୍ତି, “ସମସ୍ତଙ୍କୁ ନମସ୍କାର। ବିଶ୍ୱ ଆଦିବାସୀ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା। ଦେଶରୁ ଚୟନ ହୋଇଥିବା ୧୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଥିବାରୁ ମୁଁ ଅତ୍ୟନ୍ତ ଖୁସି। ଓଡ଼ିଶାରୁ ଏକମାତ୍ର ପ୍ରତିଯୋଗୀ ଭାବେ ଏହା ମୋ ପାଇଁ ଏକ ବିଶେଷ ମୁହୂର୍ତ୍ତ।”
ସେ କହିଛନ୍ତି ଯେ ଅମିତାଭ ବଚ୍ଚନଙ୍କୁ ଭେଟିବା ଏବଂ ଦେଶର ବିଭିନ୍ନ ଅଞ୍ଚଳର ପ୍ରତିଯୋଗୀଙ୍କ ସହିତ ଆଲୋଚନା କରିବା ଏହି ଅନୁଭୂତିକୁ ଆହୁରି ସ୍ମରଣୀୟ କରିଥିଲା।
“ମୁଁ ସବୁବେଳେ ‘ହଟ ସିଟ’ରେ ବସିବାର ସ୍ୱପ୍ନ ଦେଖୁଥିଲି। ଦୁର୍ଭାଗ୍ୟବଶତଃ ମୁଁ ସେଠାକୁ ପହଞ୍ଚି ପାରିଲି ନାହିଁ, କିନ୍ତୁ ସମଗ୍ର ଅନୁଭୂତି ବହୁତ ଭଲ ଥିଲା। ଅନ୍ୟ ରାଜ୍ୟର ପ୍ରତିଯୋଗୀଙ୍କୁ ଭେଟିବା ଏବଂ ସେମାନଙ୍କ ଅନୁଭୂତି ଜାଣିବା ଅତି ସୁନ୍ଦର ଥିଲା। ଆଶା କରୁଛି ଭବିଷ୍ୟତରେ ଆଉ ଥରେ ସୁଯୋଗ ମିଳିବ ଏବଂ ମୋ ସ୍ୱପ୍ନ ପୂରଣ ହେବ,” ସେ କହିଛନ୍ତି।
ମାଲକାନଗିରି ଜିଲ୍ଲାର ଏକ ଦୂରଦୂରାନ୍ତ ଆଦିବାସୀ ଗାଁରୁ ଆରମ୍ଭ ହୋଇଥିବା ଏହି ଅସାଧାରଣ ଯାତ୍ରା ବୁଗୁଡ଼ାଙ୍କ ଜୀବନର ଏକ ନୂତନ ଅଧ୍ୟାୟ।
କୋୟା ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିବା ଜୟନ୍ତୀ ବୁରୁଡା ୧୧ ଭାଇଭଉଣୀଙ୍କ ମଧ୍ୟରେ ନବମ। ସେ ସେରପାଲ୍ଲୀ ଗାଁରେ ବଡ଼ ହୋଇଥିଲେ। ସେ ମା’ଙ୍କ ସହିତ କାଠ ସଂଗ୍ରହ, ଗୋରୁ ଚରାଇବା ଏବଂ ମହୁଆ ଫୁଲ ସଂଗ୍ରହ କରିବାକୁ ଯାଉଥିଲେ।
ଶିକ୍ଷା ପ୍ରତି ପ୍ରଥମେ ତାଙ୍କର ଆକର୍ଷଣ କମ ଥିଲା। ପରେ ଗାଁର ଗୋଟିଏ ବିଦ୍ୟାଳୟରେ ନାମ ଲେଖାଇଲେ। ପରେ ୧୦ ଜଣ ଥିବା ତାଙ୍କ ଶ୍ରେଣୀରେ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଏକମାତ୍ର ଝିଅ ଥିଲେ।
ଏହାପରେ ସେ ସାମ୍ବାଦିକତାରେ ପ୍ରବେଶ କରି ମାଲକାନଗିରିର ଆଦିବାସୀ ସମ୍ପ୍ରଦାୟର ଜୀବନ ଓ ସମସ୍ୟା ଉପରେ ଲେଖାଲେଖି ଆରମ୍ଭ କଲେ। ସାମ୍ବାଦିକତା ଏବଂ ସୋସିଆଲ ମିଡ଼ିଆ ମାଧ୍ୟମରେ ସେ ଦୂରବର୍ତ୍ତୀ ଓ ଅବହେଳିତ ଅଞ୍ଚଳର ଲୋକ। ବିଶେଷକରି ଆଦିବାସୀ ମହିଳା ଓ ସମ୍ପ୍ରଦାୟର ସମସ୍ୟାକୁ ସର୍ବସାଧାରଣରେ ପରିପ୍ରକାଶ କରନ୍ତି।
ତାଙ୍କ କାର୍ଯ୍ୟ ପାଇଁ ସେ ବହୁ ସ୍ୱୀକୃତି ପାଇଛନ୍ତି। ଫୋର୍ବସ ଇଣ୍ଡିଆ ମଧ୍ୟ ତାଙ୍କ ଜୀବନୀ ଉପରେ ଲେଖିଛି। ଆଦିବାସୀ ସମ୍ପ୍ରଦାୟ ଓ ସାମାଜିକ କାର୍ଯ୍ୟ ପାଇଁ ସେ ଅନେକ ସମ୍ମାନ ପାଇଛନ୍ତି।