ଭାରତକୁ ଅପପୃଷ୍ଟି ମୁକ୍ତ କରି ଏକ ସୁସ୍ଥ ଓ ସମୃଦ୍ଧ ରାଷ୍ଟ୍ର ଗଠନ କରିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମୂଳ ଲକ୍ଷ୍ୟ: ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ
ଭାରତର ଆଗାମୀ ପୀଢିର ସ୍ୱାସ୍ଥ୍ୟ ଓ ମାନସିକ ବିକାଶର କର୍ଣ୍ଣଧାର ହେଉଛି ଅଙ୍ଗନୱାଡି ବ୍ୟବସ୍ଥା
ସମସ୍ତେ ମିଳିମିଶି ଏକ ଜନ ଆନ୍ଦୋଳନର ରୂପଦେଇ ଭାରତକୁ କୁପୋଷଣରୁ ସୁପୋଷଣ ଆଡ଼କୁ ନେଇପାରିବା
ଭୂବନେଶ୍ୱର, ୨୩/୦୯: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆଭିମୁଖ୍ୟ ହେଉଛି, ଭାରତକୁ ଅପପୁଷ୍ଟି ମୁକ୍ତ କରି ଏକ ସୁସ୍ଥ ଓ ସମୃଦ୍ଧ ରାଷ୍ଟ୍ର ଗଠନ କରିବା। ପୋଷଣ ଅଭିଯାନକୁ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ନ ରଖି, ଦେଶବ୍ୟାପୀ ଆନ୍ଦୋଳନରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ବାରମ୍ବାର ଆହ୍ୱାନ ଦେଉଛନ୍ତି । ସମାଜର ପ୍ରତ୍ୟେକ ବ୍ୟକ୍ତି ଏହି ଅଭିଯାନରେ ସାମିଲ ହେଲେ ହିଁ ଅପପୁଷ୍ଟି ସମସ୍ୟାର ସମାଧାନ ହୋଇପାରିବ। ଶିଶୁ, ଗର୍ଭବତୀ ମହିଳା, ପ୍ରସୂତି ମା’ ଏବଂ କିଶୋରୀ ବାଳିକାମାନଙ୍କର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିହୀନତାକୁ ଦୂର କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ଉତମ ସମନ୍ୱୟ ରକ୍ଷା କରିବା ସହ “ପୋଷଣ ଟ୍ରାକର’ ଆପ୍ ଭଳି ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିବା ଉପରେ ସେ ଜୋର୍ ଦେଇଛନ୍ତି। ଏହାକୁ ଆହୁରି ବ୍ୟାପକ କରିବା ପାଇଁ ସରକାର ସକ୍ଷମ ଅଙ୍ଗନୱାଡି ୨.୦ ଆରମ୍ଭ କରିଛନ୍ତି, ଯାହା ମାଧ୍ୟମରେ ଦେଶର କୋଟି କୋଟି ଶିଶୁ ଓ ମାତୃଶକ୍ତିଙ୍କୁ ଗୁଣାତ୍ମକ ପୁଷ୍ଟିକର ଆହାର ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ନ୍ୟାସନାଲ ଫ୍ୟାମିଲି ହେଲେଥ୍ ସର୍ଭେ(ଏନ୍ଏଫ୍ଏଚ୍ଏସ୍)ର ରିପୋର୍ଟ ଅନୁସାରେ ଭାରତରେ ୪% ଷ୍ଟନିଂ(ଅଭିବୃଦ୍ଧି ବାଧାପ୍ରାପ୍ତ ହେବା) କମିଛି। ପୁଷ୍ଟିହୀନ ଭାରତରୁ ପୁଷ୍ଟିକର ଆହାର ଆଡକୁ ଭାରତ ଏବେ ଗତି କରୁୂଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଏହି ଆଭିମୁଖ୍ୟ ଦେଶର ଆଗାମୀ ପିଢ଼ିକୁ ଶାରୀରିକ ଓ ମାନସିକ ସ୍ତରରେ ସୁଦୃଢ଼ କରି ବିକଶିତ ଭାରତର ମୂଳଦୁଆ ପକାଇବାରେ ସହାୟକ ହେଉଛି। ଏହି ଅଭିଯାନକୁ ସଫଳ କରିବାରେ ସବୁଠୁ ବଡ ଓ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରୁଛି ଅଙ୍ଗନୱାଡି । ଅଙ୍ଗନୱାଡି ବ୍ୟବସ୍ଥା କେବଳ ଏକ ସରକାରୀ ଯୋଜନା ନୁହେଁ, ବରଂ ଏହାକୁ “ହମାରୀ ଅଙ୍ଗନୱାଡି, ହମାରୀ ଜିମ୍ମେଦାରୀ” (ଆମ ଅଙ୍ଗନୱାଡି, ଆମ ଦାୟିତ୍ୱ) ଆଦର୍ଶରେ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଲକ୍ଷ୍ୟ। ଆମେ ସମସ୍ତେ ଅବଗତ ଅଛୁ, ବୈଶ୍ୱିକ ସଂକଟ କରୋନା ମହାମାରୀ ସମୟରେ ଅଙ୍ଗନୱାଡି କର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ଘରକୁ ଘର ବୁଲି ଯେଉଁ ଭଳି ଭାବେ ସେବା ଯୋଗାଇଥିଲେ ଏବଂ ଏହି କାରଣରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ‘ଫ୍ରଂଟ୍ଲାଇନ ଓ୍ôାରିୟର’ କହି ଉଚ୍ଚ ପ୍ରଶଂସା କରିଥିଲେ । ଏପରିକି ପ୍ରଧାନମନ୍ତ୍ରୀ ମୋଦିଜୀ ଅଙ୍ଗନୱାଡି କର୍ମୀମାନଙ୍କୁ କେବଳ କର୍ମଚାରୀ ଭାବେ ନୁହେଁ ବରଂ ଭାରତର ଆଗାମୀ ପିଢୀର ସ୍ୱାସ୍ଥ୍ୟ ଓ ମାନସିକ ବିକାଶର କର୍ଣ୍ଣଧାର ବୋଲି ବିବେଚନା କରନ୍ତି । ସେଥିପାଇଁ ବିକଶିତ ଭାରତ ଗଠନରେ ଅଙ୍ଗନୱାଡି ବ୍ୟବସ୍ଥାକୁ ସୁଦୃଢ କରିବା ସରକାରଙ୍କ ପ୍ରାଥମିକତା ବୋଲି ମଧ୍ୟ କହିଛନ୍ତି । ମୋଦିଜୀଙ୍କ ଜନ୍ମଦିନ ଗତ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତି ନେଇଛନ୍ତି। ତନ୍ମମଧ୍ୟରୁ ଆଙ୍ଗନ ମିଳନ ସେବା କାର୍ଯ୍ୟକ୍ରମ ହେଉଛି ଅନ୍ୟତମ। ଏନେଇ ୨୫ ସେପ୍ଟେମ୍ବରରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଆଙ୍ଗନ ମିଳନ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ଶିଶୁ, ଗର୍ଭବତୀ ମହିଳା, ପ୍ରସୂତି ମା’ ଏବଂ କିଶୋରୀ ବାଳିକାମାନଙ୍କର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିହୀନତାକୁ ଦୂର କରିବା ଉଦ୍ଦେଶ୍ୟରେ କାର୍ଯ୍ୟରତ ଏବଂ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରୁଥିବା ଅଙ୍ଗନୱାଡି ଭଉଣୀମାନଙ୍କ ସହ ଆଲୋଚନା କରାଯିବ ଏବଂ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ପ୍ରୋତ୍ସାହିତ କରାଯିବ । ଏଥିସହ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ଛୋଟ ଛୋଟ ପିଲାମାନଙ୍କୁ ପୃଷ୍ଟିକର ଖାଦ୍ୟ ଏବଂ ଫଳ ବଂଟନ କରାଯିବ । ଆମେ ସମସ୍ତେ ମିଳିମିଶି ଏକ ଜନ ଆନ୍ଦୋଳନର ରୂପ ଦେଇ ଭାରତକୁ କୁପୋଷଣରୁ ସୁପୋଷଣ ଆଡ଼କୁ ନେଇପାରିବା। ଏଥରେ ସମସ୍ତଙ୍କ ଭାଗିଦାରୀ ରହିବା ଆବଶ୍ୟକ। ଏହି ଅଭିଯାନରେ ସାମିଲ ହୋଇ ଆମେ ସମସ୍ତେ ଆମ ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ଅଙ୍ଗନୱାଡି ଭଉଣୀମାନଙ୍କୁ ସମ୍ମାନିତ କରି ସେଠାରେ ଉପସ୍ଥିତ ଶିଶୁ ଓ ମା’ମାନଙ୍କୁ ଭେଟି ପୋଷଣ ଅଭିଯାନର ଗୁରୁତ୍ୱ ସଂପର୍କରେ ଆଲୋଚନା କରିବା ଏବଂ ସୁସ୍ଥ ଭାରତ ଗଢ଼ିବା ପାଇଁ ସରକାରଙ୍କ ସହ ମିଶି ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ବୋଲି ଡା. ବିଶ୍ୱାଳ ଆହ୍ୱାନ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୋହିଳା ମୋର୍ଚ୍ଚା ସମ୍ପାଦିକା ପ୍ରବୀଣା ପ୍ରିୟଦର୍ଶିନୀ ଭଞ୍ଜଦେଓ ଏବଂ ରାଜ୍ୟ ମହିଳା ମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ଆରତି ମିଶ୍ର ଉପସ୍ଥିତ ଥିଲେ।