ସ୍ୱାଧୀନତା ଦିବସ ପୂର୍ବରୁ ପୋଲିସକୁ ବଡ଼ ସଫଳତା

ଆତଙ୍କୀ ଲିଙ୍କରେ ଦୁଇ ଯୁବକ ଗିରଫ

ଜୟପୁର, ୦୯/୦୮: ରାଜସ୍ଥାନର ଟୋଙ୍କ ଜିଲ୍ଲାରୁ ସ୍ୱାଧୀନତା ଦିବସ ପୂର୍ବରୁ ଏକ ବଡ଼ ସୁରକ୍ଷା ଅଭିଯାନରେ ପୁଲିସ ଓ ଗୁପ୍ତଚର ଏଜେନ୍ସି ଦୁଇ ଜଣ ଯୁବକଙ୍କୁ ଗିରଫ କରିଛନ୍ତି। ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହିତ ସମ୍ପର୍କ ଥିବା ଅଭିଯୋଗ ଅଛି।

ରାଜସ୍ଥାନ ସିଆଇଡିର ସ୍ପେସିଆଲ ବ୍ରାଞ୍ଚ ଏବଂ ଆଣ୍ଟି-ଟେରୋରିଜିମ ସ୍କ୍ୱାଡ (ATS) ଏହି ଅଭିଯାନ ଚଳାଇଛନ୍ତି। ଗିରଫ ହୋଇଥିବା ଦୁଇ ଯୁବକ ହେଲେ ବାସିତ ଓ ବୁରହାନ। ସେମାନେ ଟୋଙ୍କ ଜିଲ୍ଲାର ବାସିନ୍ଦା। ଏହି ଦୁଇ ଜଣଙ୍କୁ ଗିରଫ କରି ରାଜସ୍ଥାନ ଏଟିଏସକୁ ହସ୍ତାନ୍ତର କରାଯାଇଛି।

ସରକାରୀ ସୂତ୍ର ଅନୁସାରେ, ବାସିତଙ୍କୁ ଟୋଙ୍କର କୋତୱାଲି ଥାନା ଅଧୀନର ଧନ୍ନାତଲାଇ ଅଞ୍ଚଳରୁ ଗିରଫ କରାଯାଇଥିଲା।ବାସିତଙ୍କ ଗିରଫ ପରେ ତାଙ୍କ ଘରେ ସର୍ଚ୍ଚ ଅପରେସନ ଚଳାଯାଇଥିଲା। ପରିବାର ସଦସ୍ୟଙ୍କ ଅନୁସାରେ, ପୁଲିସ ଏଟିଏମ କାର୍ଡ, ବ୍ୟାଙ୍କ ପାସବୁକ ଏବଂ ଏକ ଇଲେକ୍ଟ୍ରିକ ସ୍କୁଟରର କିଛି ପାର୍ଟସ ଜବତ କରିଛନ୍ତି।

ସେହିପରି ବୁରହାନଙ୍କୁ ଶନିବାର ଟୋଙ୍କରୁ ଗିରଫ କରାଯାଇଥିଲା। ବାସିତଙ୍କ ଠାରୁ ମିଳିଥିବା ସୂଚନା ଭିତ୍ତିରେ ଧନ୍ନାତଲାଇର କାର ବଜାର ନିକଟରୁ ତାଙ୍କୁ ଧରାଯାଇଥିଲା।

ଏଟିଏସ ବର୍ତ୍ତମାନ ଉଭୟଙ୍କୁ ପଚରାଉଚରା କରୁଛି। ସେମାନଙ୍କ ମୋବାଇଲ ରେକର୍ଡ, ଆର୍ଥିକ ନେଣଦେଣ ଓ ଡିଜିଟାଲ ପ୍ରମାଣ ଯାଞ୍ଚ କରାଯାଉଛି।