ନୂଆଦିଲ୍ଲୀ, ୨୩/୦୯: ଭାରତୀୟ ଜନତା ପାର୍ଟିରେ ବଡ଼ ସାଂଗଠନିକ ପରିବର୍ତ୍ତନ ହୋଇଛି। ଦଳର ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ବୁଧବାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଭାରୀ ଓ ସହପ୍ରଭାରୀଙ୍କ ନାଁ ଘୋଷଣା କରିଛନ୍ତି। ମୋଟ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏହି ନିଯୁକ୍ତି ଘୋଷଣା କରାଯାଇଛି।
ଏହି ସାଂଗଠନିକ ଅଦଳବଦଳରେ ଓଡ଼ିଶାକୁ ଡି. ପୁରନ୍ଦେଶ୍ୱରୀଙ୍କୁ ଓଡ଼ିଶାର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିବାବେଳେ ଡ. ସ୍ୱଦେଶ ସିଂହଙ୍କୁ ସହପ୍ରଭାରୀ ଦାୟିତ୍ୱ ଦିଆଯାଇଛି।
ଅନ୍ୟପଟେ ଓଡ଼ିଶାର ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ ମହାରାଷ୍ଟ୍ର ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି। ମହାରାଷ୍ଟ୍ରରେ ତାଙ୍କ ସହପ୍ରଭାରୀ ଭାବେ ଅମିତ ମାଲବୀୟ, ସଦାନନ୍ଦ ସେଟ୍ ତାନାଭାଡେ ଓ କମଲଜିତ ସେହରାୱତଙ୍କୁ ଦାୟିତ୍ୱ ଦିଆଯାଇଛି।
ନୂଆ ତାଲିକା ଅନୁସାରେ, ଆନ୍ଧ୍ରପ୍ରଦେଶର ପ୍ରଭାରୀ ହୋଇଛନ୍ତି ଡ. ଅରବିନ୍ଦ ଭଦୋରିଆ, ଆସାମର ମଙ୍ଗଲ ପାଣ୍ଡେ, ବିହାର ଓ କର୍ଣ୍ଣାଟକର ଦାୟିତ୍ୱ ହରିଶ ଦ୍ୱିବେଦୀଙ୍କୁ ଦିଆଯାଇଛି। ଚଣ୍ଡିଗଡ଼ରେ ମହେନ୍ଦ୍ର ପାଣ୍ଡେ, ଛତିଶଗଡ଼ ଓ ହରିୟାଣାରେ ସ୍ମୃତି ଇରାନୀ, ଦିଲ୍ଲୀରେ ବିନୟ ସହସ୍ରବୁଦ୍ଧେ, ଗୋଆରେ ଡ. ଭାରତୀ ପ୍ରବୀଣ ପାୱାର ଏବଂ ଗୁଜରାଟରେ ତରୁଣ ଚୁଗ୍ଙ୍କୁ ପ୍ରଭାରୀ କରାଯାଇଛି।
ହିମାଚଳ ପ୍ରଦେଶର ଦାୟିତ୍ୱ ଶ୍ରୀକାନ୍ତ ଶର୍ମା, ଜମ୍ମୁ-କଶ୍ମୀରର ଦାୟିତ୍ୱ ସତୀଶ ପୁନିଆ, ଝାଡ଼ଖଣ୍ଡର ଦାୟିତ୍ୱ ଗଜେନ୍ଦ୍ର ପଟେଲ, କେରଳର ଦାୟିତ୍ୱ ଏମ୍. ନାଗରାଜା, ମଧ୍ୟପ୍ରଦେଶର ଦାୟିତ୍ୱ ବିପ୍ଳବ କୁମାର ଦେବ ଏବଂ ମଣିପୁରର ଦାୟିତ୍ୱ ରାଜଦୀପ ରାୟଙ୍କୁ ମିଳିଛି।
ପଞ୍ଜାବରେ ସତୀଶ ପୁନିଆ, ରାଜସ୍ଥାନରେ ସଞ୍ଜୟ ଭାଟିଆ, ସିକ୍କିମରେ ରାଜୁ ବିସ୍ତା, ତାମିଲନାଡୁ ଓ ଉତ୍ତରାଖଣ୍ଡରେ ରାମ ମାଧବ, ତେଲଙ୍ଗାନା ଓ ପଶ୍ଚିମବଙ୍ଗରେ ସୁନୀଲ ବଂଶଲଙ୍କୁ ଦାୟିତ୍ୱ ମିଳିଛି। ଉତ୍ତରପ୍ରଦେଶର ପ୍ରଭାରୀ ହୋଇଛନ୍ତି ବିନୋଦ ତାୱଡେ।
ଏହି ସାଂଗଠନିକ ନିଯୁକ୍ତିରେ ଆଗାମୀ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର, ଗୁଜରାଟ ଓ ହିମାଚଳ ପ୍ରଦେଶ ପାଇଁ ନୂଆ ସାଂଗଠନିକ ଟିମ୍ ଗଠନ କରାଯାଇଛି।