ବୁଡିଲା ଡଙ୍ଗା; ୧୫ ଜଣ ସଲୀଳ ସମାଧି

୨୭ ଜଣ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଜିମ୍ବାୱେ, ୧୨/୦୮: ଜିମ୍ବାୱେର କାରିବା ହ୍ରଦରେ ଏକ ଡଙ୍ଗା ଓଲଟିଯିବାରୁ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଘଟଣାରେ ଅତି କମରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୭ ଜଣ ନିଖୋଜ ଅଛନ୍ତି। ଉଦ୍ଧାରକାର୍ଯ୍ୟ ଜାରି ରହିଛି।

ରିପୋର୍ଟ ଅନୁସାରେ, ଡଙ୍ଗାଟିରେ ୧୧୪ ଜଣ ଯାତ୍ରୀ ଏବଂ ୫ ଜଣ କ୍ରୁ ସଦସ୍ୟ ଥିଲେ। ତେବେ ଡଙ୍ଗାର ଅଧିକୃତ କ୍ଷମତା ପ୍ରାୟ ୯୦ ଜଣ ଥିବାରୁ ଏହା କ୍ଷମତାଠାରୁ ଅଧିକ ଲୋକଙ୍କୁ ନେଇ ଯାତ୍ରା କରୁଥିଲା। ଏହାଛଡ଼ା ତାଲିକାରେ ନଥିବା କିଛି ଶିଶୁ ମଧ୍ୟ ଡଙ୍ଗାରେ ଥାଇପାରନ୍ତି ବୋଲି ଆଶଙ୍କା ରହିଛି।

ଦୁର୍ଘଟଣା ପରେ ଜିମ୍ବାୱେର ସିଭିଲ ପ୍ରୋଟେକ୍ସନ ୟୁନିଟ୍ ପକ୍ଷରୁ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଛି। ଉଦ୍ଧାରକାରୀ ଦଳ ବୋଟ୍ ଏବଂ ପାଣି ଭିତରେ ସନ୍ଧାନ କରିବା ପାଇଁ ବିଶେଷ ଟିମ୍ ନିୟୋଜିତ କରିଛନ୍ତି। ଏପର୍ଯ୍ୟନ୍ତ ୭୭ ଜଣଙ୍କୁ ଉଦ୍ଧାର କରାଯାଇ ଏକ ନିକଟସ୍ଥ ଦ୍ୱୀପକୁ ନିଆଯାଇଛି। ହେଲିକପ୍ଟର ଓ ସ୍ପିଡ୍‌ବୋଟ୍‌ ମାଧ୍ୟମରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଛି।

ଲେକ୍ କାରିବା ହେଉଛି ଜିମ୍ବାୱେ ଓ ଜାମ୍ବିଆ ସୀମାରେ ଥିବା ଏକ ବିଶାଳ ମାନବନିର୍ମିତ ହ୍ରଦ। ଜାମ୍ବେଜି ନଦୀ ଉପରେ ବନ୍ଧ ନିର୍ମାଣ ପରେ ଏହା ସୃଷ୍ଟି ହୋଇଥିଲା। ହ୍ରଦଟିର ବିଶାଳ ଆକାର ଓ ପବନ ଯୋଗୁଁ ନୌଯାତ୍ରା ପାଇଁ ବିପଦ।