କଣ୍ଢେଇକେଲା ମଦ ଭାଟି ସମ୍ପୂର୍ଣ୍ଣ ଉଚ୍ଛେଦ ଦାବି: ବିଷାକ୍ତ ମଦ ପିଇ ଗଲାଣି ୨୬ ଜୀବନ
ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଦାବିପତ୍ର
କାର୍ଯ୍ୟାନୁଷ୍ଠାନ ନହେଲେ ବ୍ୟାପକ ଆନ୍ଦୋଳନ ଚେତାବନୀ
ଝାରସୁଗୁଡ଼ା, ୧୨/୮: ଝାରସୁଗୁଡ଼ା ଜିଲ୍ଲା କଣ୍ଢେଇକେଲା ଅଞ୍ଚଳରେ ଚାଲୁଥିବା ମଦ ଭାଟି ଏବେ ସମଗ୍ର ସ୍ଥାନୀୟ ଅଞ୍ଚଳ ପାଇଁ ଆଶଙ୍କା ଓ ଅଭିଶାପ ସାଜିଛି। ଏହି ମଦ ଭାଟି ଯୋଗୁଁ ଅଞ୍ଚଳର ସାମାଜିକ ପରିବେଶ, ଶାନ୍ତି ଓ ଜନଶୃଙ୍ଖଳା ସମ୍ପୂର୍ଣ୍ଣ ବିପନ୍ନ ହୋଇପଡ଼ିଥିବା ବେଳେ, ବିଷାକ୍ତ ମଦ ସେବନ କରି ଗୋଟିଏ ପରେ ଗୋଟିଏ ନିରୀହ ଜୀବନ ଚାଲିଯାଉଥିବା ନେଇ ଗ୍ରାମବାସୀ ଗମ୍ଭୀର ଅଭିଯୋଗ ଆଣିଛନ୍ତି।
ମହୁଲ ବଦଳରେ ରାସାୟନିକ ସାର: ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ମଦ ଭାଟିରେ ପାରମ୍ପରିକ ମହୁଲ ବଦଳରେ କ୍ଷତିକାରକ ଗୁଡ଼ ଏବଂ ବିଭିନ୍ନ ପ୍ରକାରର ଉଗ୍ର ରାସାୟନିକ ସାର (Chemical Fertilizers) ବ୍ୟବହାର କରାଯାଇ ବିଷାକ୍ତ ମଦ ତିଆରି କରାଯାଉଛି। ଏହି ବିଷାକ୍ତ ମଦ ସେବନ ଦ୍ୱାରା ଲୋକଙ୍କ ଲିଭର, କିଡନୀ, ପାକସ୍ଥଳୀ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଆକ୍ରାନ୍ତ ହୋଇ ଧୀରେ ଧୀରେ ନଷ୍ଟ ହୋଇଯାଉଛି।
୨୬ ଜଣଙ୍କ ମୃତ୍ୟୁ, ଉଜୁଡ଼ିଗଲାଣି ପରିବାର: ମଦ ଭାଟିରୁ ନିୟମିତ ମଦ ପିଇ ଅଞ୍ଚଳର ପ୍ରାୟ ୨୬ ଜଣ ଲୋକଙ୍କର ଅକାଳ ମୃତ୍ୟୁ ଘଟିସାରିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, କଣ୍ଢେଇକେଲା ଗ୍ରାମର ୧୫ ଜଣ, ସେମଲିଆର ୪ ଜଣ, ମହୁଦୀର ୪ ଜଣ, ଚିଖିଲିର ୩ ଜଣ ଏବଂ ରେମତା ଗ୍ରାମର ୩ ଜଣଙ୍କର ମୃତ୍ୟୁ ଘଟିଛି। ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ଏହି ସବୁ ପରିବାରଗୁଡ଼ିକ ଏବେ ଅତ୍ୟନ୍ତ ଶୋଚନୀୟ, ସାହାରାହୀନ ଓ ଅସହାୟ ଅବସ୍ଥାରେ ଗତି କରୁଛନ୍ତି।
ମହିଳା ସୁରକ୍ଷା ଓ ଯୁବପିଢ଼ିଙ୍କ ଭବିଷ୍ୟତ ବିପନ୍ନ: ମଦ ଭାଟି ଯୋଗୁଁ ଗ୍ରାମାଞ୍ଚଳରେ ମଦ୍ୟପଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି। ରାସ୍ତାଘାଟରେ ଅଶାନ୍ତି, ଗଣ୍ଡଗୋଳ, ଦୁର୍ଘଟଣା ଓ ଅପରାଧମୂଳକ କାର୍ଯ୍ୟ ବଢ଼ୁଥିବାରୁ ମହିଳା, ଛାତ୍ରୀ ଓ ବୃଦ୍ଧବୃଦ୍ଧାମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ସେହିପରି ଅନେକ ପରିବାରରେ ଘରୋଇ ହିଂସା, ଋଣଗ୍ରସ୍ତତା ଓ ଦାରିଦ୍ର୍ୟ ବୃଦ୍ଧି ପାଉଥିବା ବେଳେ ଶିଶୁମାନଙ୍କ ଶିକ୍ଷା ବାଧାପ୍ରାପ୍ତ ହେଉଛି। ମଦର ସହଜ ଲଭ୍ୟତା କୋମଳମତି ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ନୈତିକ ଅବକ୍ଷୟ ଆଡ଼କୁ ଟାଣି ନେଉଛି।
ଆନ୍ଦୋଳନ ଚେତାବନୀ: ଜନସାଧାରଣଙ୍କ ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଓ ଯୁବପିଢ଼ିର ଭବିଷ୍ୟତକୁ ଆଖିଆଗରେ ରଖି କଣ୍ଢେଇକେଲା ଅଞ୍ଚଳରେ ଥିବା ଏହି ମଦ ଭାଟିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ପାଇଁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି। ଏହି ସମ୍ବନ୍ଧରେ ଗ୍ରାମବାସୀଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରେରଣ କରାଯାଇଛି। ତୁରନ୍ତ ଏଥିପ୍ରତି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଦାବିପତ୍ର ସମ୍ବନ୍ଧରେ ପ୍ରତିକ୍ରିୟା ଦେଇ ଜିଲାପାଳ କୁନାଲ ମୋତି ରାମ୍ ଚୌହାନ କହିଛନ୍ତି ଯେ, ଅଭିଯୋଗ ତଦନ୍ତ ଆରମ୍ଭ କରାଯାଇଛି । ଅଞ୍ଚଳବାସୀଙ୍କ ଦାବୀ ଉପରେ ଗୁରୁତର ସହ ଚିନ୍ତା କରାଯାଉଛି । ସରକାରି ନୀତି ନିୟମ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।