ନକଲି ଆଧାରରେ ୪ ଏକର ୪୦ ଡିସିମିଲ ଜମି ବିକ୍ରି ଅଭିଯୋଗ

ପ୍ରକୃତ ଜମି ମାଲିକଙ୍କ ଅଜାଣତରେ ଜମି ହସ୍ତାନ୍ତର: ଥାନାରେ ଏତଲା

ନୂଆପଡ଼ା, ୧୩/୦୮: ପ୍ରକୃତ ଜମି ମାଲିକଙ୍କ ଅଜାଣତରେ ୪ ଏକର ୪୦ ଡିସିମିଲ ଚାଷ ଜମି ବିକ୍ରି ହୋଇଯାଇଥିବା ଅଭିଯୋଗକୁ ନେଇ ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅଧୀନ ଚାନ୍ଦୋପଲା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ଅଭିଯୋଗ ଅନୁସାରେ, ଚାନ୍ଦୋପଲା ଗାଁର ସତ୍ୟନାରାୟଣ ପ୍ରଧାନୀଙ୍କ ନାମରେ ୪ ଏକର ୪୦ ଡିସିମିଲ ଚାଷ ଜମି ରହିଥିଲା। ଫସଲ ବୀମା କରିବା ପାଇଁ ସତ୍ୟନାରାୟଣ ନିଜ ଜମିର ପଟ୍ଟା ଧରି ସମବାୟ ସମିତିକୁ ଯାଇଥିବା ବେଳେ ତାଙ୍କ ନାମରେ ଆଉ କୌଣସି ଜମି ନଥିବା ଏବଂ ଜମିଗୁଡ଼ିକ ବିକ୍ରି ହୋଇଯାଇଥିବା ଜଣାପଡ଼ିଥିଲା।

ଘଟଣା ଜାଣିବା ପରେ ସତ୍ୟନାରାୟଣ ପ୍ରଧାନୀଙ୍କ ସହ ତାଙ୍କ ସମ୍ପର୍କୀୟ ଶାନ୍ତି ପ୍ରଧାନୀ, ନବୀନ ଚନ୍ଦ୍ର ପ୍ରଧାନୀ ଓ ପରିବାରର ଅନ୍ୟ ସଦସ୍ୟମାନେ କୋମନା ତହସିଲଦାର ତଥା ସବ୍‌-ରେଜିଷ୍ଟ୍ରାରଙ୍କ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ପ୍ରାଥମିକ ତଦନ୍ତରେ ଜଣାପଡ଼ିଥିବା ଅନୁସାରେ, କେହି ଜଣେ ନକଲି ଆଧାରକାର୍ଡ ବ୍ୟବହାର କରି ନିଜକୁ ସତ୍ୟନାରାୟଣ ପ୍ରଧାନୀ ବୋଲି ପରିଚୟ ଦେଇ, ବଲାଙ୍ଗିର ଜିଲ୍ଲା ବେଲପଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଉକ୍ତ ଜମି ବିକ୍ରି କରିଥିବା ଅଭିଯୋଗ ରହିଛି।

ପୂର୍ବପୁରୁଷଙ୍କ ଜମି ନିଜ ଅଜାଣତରେ ଏପରି ଭାବେ ହସ୍ତାନ୍ତର ହୋଇଥିବା ଜାଣି ପରିବାର ଚିନ୍ତାରେ ପଡ଼ିଛି। ଘଟଣାର ସଠିକ୍ ତଦନ୍ତ କରି ପ୍ରକୃତ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଜମି ଫେରାଇବାକୁ ପରିବାର ପକ୍ଷରୁ ଦାବି କରାଯାଇଛି।

ଅଭିଯୋଗ ପାଇବା ପରେ କୋମନା ତହସିଲଦାର ତଥା ସବ୍‌-ରେଜିଷ୍ଟ୍ରାର ସର୍ବେଶ୍ଵର ଜାଲ କୋମନା ଥାନାରେ ଏକ ଏତଲା ଦେଇଛନ୍ତି। ଏ ସମ୍ପର୍କ ରେ କୋମନା ଥାନା ଆଇଆଇସି ଙ୍କୁ ବୁଝିବାରୁ ସେ କହିଲେ ତହସିଲଦାର ଲିଖିତ ଦେଇଛନ୍ତି , ସେ ଉପରେ ତଦନ୍ତ ହେବ ଓ ଆଲୋଚନା ପରେ କେଶ୍ ଦାୟର ହେବ ବୋଲି କହିଥିଲେ। ଏବେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପରେ ଜମି ଜାଲିଆତିର ପ୍ରକୃତ ଚିତ୍ର ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।