ଭୁବନେଶ୍ୱର, ୧୩/୦୮: ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଜାରି ରହିଛି ଭୀଷଣ ବର୍ଷା। ଉତ୍ତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ର ଏବେ ‘ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର’ରେ ପରିଣତ ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ସମୟରେ ଅବପାତରେ ପରିଣତ ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ କହିଛି।
ଏହାର ପ୍ରଭାବରେ ଆଜି ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସହ କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଆଇଏମ୍ଡିର ସୂଚନା ଅନୁସାରେ ଆଜି ଓଡ଼ିଶା ପାଇଁ ‘ଅତିପ୍ରବଳ ବର୍ଷା’ ସତର୍କତା ରହିଥିବା ବେଳେ ଆସନ୍ତାକାଲି ‘ଅତିପ୍ରବଳ ବର୍ଷା’ ଏବଂ ପରବର୍ତ୍ତୀ ଦିନଗୁଡ଼ିକରେ ‘ପ୍ରବଳ ବର୍ଷା’ର ସମ୍ଭାବନା ରହିଛି।
ଆଇଏମ୍ଡିର ଅନୁସାରେ ଆଜି ବାଲେଶ୍ୱର ଓ ଭଦ୍ରକରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଦୁଇ ଜିଲ୍ଲାର କିଛି ସ୍ଥାନରେ ଅତିପ୍ରବଳ ବର୍ଷା ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ରହିଛି।
ଆସନ୍ତା ୨୪ ଘଣ୍ଟା ପାଇଁ କେନ୍ଦୁଝର ଜିଲ୍ଲାରେ ମଧ୍ୟ ରେଡ୍ ୱାର୍ଣ୍ଣିଂ ରହିଛି। ଏଠାରେ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଗୋଟିଏ-ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି।
ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ବେଶ୍ ଅଧିକ ରହିଛି। ବାଲେଶ୍ୱରର ଭୋଗରାଇରେ ୨୩୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ମୟୂରଭଞ୍ଜର ଶ୍ୟାମାଖୁଣ୍ଟାରେ ୨୩୦ ମିମି ଏବଂ ବାରିପଦାରେ ୨୧୫ ମିମି ବର୍ଷା ହୋଇଛି। ବାଲେଶ୍ୱରର ରାଜଘାଟରେ ୨୦୪ ମିମି ବର୍ଷା ରେକର୍ଡ ହୋଇଛି।
ବାଲେଶ୍ୱର ସହରରେ ମଧ୍ୟ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି। ମୟୂରଭଞ୍ଜର ସିମିଳିପାଳ ପାହାଡ଼ିଆ ଅଞ୍ଚଳରେ ମଧ୍ୟ ଅତିପ୍ରବଳ ବର୍ଷା ହୋଇଥିବାରୁ ବୁଢ଼ାବଳଙ୍ଗ ଓ ଜଳକା ଭଳି ନଦୀର ଜଳସ୍ତର ବଢ଼ିଛି।
ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି, ଅଗଷ୍ଟ ୧୩ରେ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ଘୋଷଣା କରିଛି।
ଅତିପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା, ଜଳବନ୍ଦୀ ଓ ଯାତାୟାତ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। କଚ୍ଚା ରାସ୍ତା କ୍ଷତିଗ୍ରସ୍ତ ହେବା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ମଧ୍ୟ ରହିଛି। ଅଧିକ ବର୍ଷା ହେଲେ କେତେକ ନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିପାରେ ବୋଲି ଆଇଏମ୍ଡି ସତର୍କ କରିଛି।
ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ପାଗ ଅଶାନ୍ତ ରହିବ। ଅଗଷ୍ଟ ୧୨ରୁ ୧୪ ତାରିଖ ଯାଏଁ ଉପକୂଳରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି।