ରାଜ୍ୟ ଡିଜିପି ନିଯୁକ୍ତି ପ୍ରକ୍ରିୟାରେ ରୋକ୍‌ ଲଗାଇଲେ ସୁପ୍ରିମ୍‌କୋର୍ଟ

ଆସନ୍ତା ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର, ୧୩/୦୮: ରାଜ୍ୟର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତିକୁ ନେଇ ଚାଲିଥିବା ପ୍ରକ୍ରିୟାରେ ଅସ୍ଥାୟୀ ରୋକ୍‌ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ। ଜନସ୍ବାର୍ଥ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ୟୁପିଏ ସିଂ ଡିଜିପି ଚୟନ ପ୍ରକ୍ରିୟାରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବ ନାହିଁ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮ ତାରିଖରେ ହେବ। ଅର୍ଥାତ୍‌ ସେପର୍ଯ୍ୟନ୍ତ ଡିଜିପି ନିଯୁକ୍ତି ପାଇଁ ୟୁପିଏସସି ପକ୍ଷରୁ ଚୟନ ବା ସୁପାରିସ୍‌ ପ୍ରକ୍ରିୟାରେ ଆଗକୁ ବଢିବ ନାହିଁ।

ରାଜ୍ୟ ଡିଜିପି ନିଯୁକ୍ତି ସାଧାରଣ ପ୍ରଶାସନିକ ନିଯୁକ୍ତି ନୁହେଁ। ସୁପ୍ରିମ୍‌କୋର୍ଟଙ୍କ ପ୍ରକାଶ ସିଂହ ମାମଲାରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାରଙ୍କୁ ୟୁପିଏସସି ମାଧ୍ୟମରେ ଯୋଗ୍ୟ ଓ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ମଧ୍ୟରୁ ଜଣଙ୍କୁ ଡିଜିପି ଭାବେ ଚୟନ କରିବାକୁ ହୁଏ।

ସୁପ୍ରିମ୍‌କୋର୍ଟ ଗତ ଫେବ୍ରୁଆରୀରେ ମଧ୍ୟ ରାଜ୍ୟଗୁଡ଼ିକ ନିୟମିତ ଡିଜିପି ନିଯୁକ୍ତିରେ ବିଳମ୍ବ କରି ଅସ୍ଥାୟୀ ବା ‘ଆକ୍ଟିଂ ଡିଜିପି’ ନିଯୁକ୍ତ କରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

ଓଡ଼ିଶାରେ ବର୍ତ୍ତମାନର ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୬ରେ ଶେଷ ହେବାକୁ ଥିବାରୁ ନୂଆ ଡିଜିପି ଚୟନ ପ୍ରକ୍ରିୟା ଜାରି ରହିଛି। ଓଡ଼ିଶା ସରକାର ପ୍ରଥମେ ୩ ଜଣ ଓ ପରେ ୧୧ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ପ୍ୟାନେଲ୍ (୩ ଜଣ ଡିଜିପି ରାଙ୍କ + ୮ ଜଣ ଏବିଭିପି ରାଙ୍କ) ୟୁପିଏସସିକୁ ପଠାଇଥିଲେ। ଅଗଷ୍ଟ ୭ ତାରିଖରେ ୟୁପିଏସସି କେବଳ ଡିଜିପି ସ୍ତରର ଅଧିକାରୀଙ୍କୁ ବିଚାର କରିବ ବୋଲି କହିଥିଲା। ଏହାପରେ ରାଜ୍ୟ ସରକାର ସେହି ତାଲିକା ପ୍ରତ୍ୟାହାର କରି ନୂଆ ତାଲିକା ତିଆରି କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏକ ଏଡିଜିପିଙ୍କୁ ଡିଜିପି ପଦକୁ ପଦୋନ୍ନତି ଦେଇ ତାଙ୍କୁ ନୂଆ ପ୍ୟାନେଲରେ ସାମିଲ କରିବାକୁ ଚେଷ୍ଟା କରାଯାଉଛି ବୋଲି କୁହାଯାଉଛି। ଯାହା ପ୍ରକାଶ ସିଂହ ନିର୍ଦ୍ଦେଶର ଉଲ୍ଲଙ୍ଘନ ବୋଲି ଦାବି କରାଯାଇଛି।

ବର୍ତ୍ତମାନ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅଗଷ୍ଟ ୧୮ ପର୍ଯ୍ୟନ୍ତ ଡିଜିପି ନିଯୁକ୍ତି ପାଇଁ ୟୁପିଏସସି କୌଣସି ଚୂଡ଼ାନ୍ତ ପଦକ୍ଷେପ ନେଇପାରିବ ନାହିଁ। ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପରବର୍ତ୍ତୀ ପ୍ରକ୍ରିୟା ଆଗକୁ ବଢ଼ିବ।