ମାସାଚୁସେଟ୍ସ, ୧୪/୦୮: ଚାଟ ଜିପିଟି ଶିଖାଇଲା ମର୍ଡ଼ର ପ୍ଲାନ। ଇଣ୍ଟରନେଟରେ ଖୋଜି ଖୋଜି ପାଇଲେ କଳ୍ପନାଭିତ୍ତିକ କାହାଣୀ। ଏଆଇରୁ ଶିଖି ମାଆ ଭାଇକୁ ହତ୍ୟା କଲା ନାବାଳକ। ଏଭଳି ଘଟଣା ଘଟିଛି ଆମେରିକାର ମାସାଚୁସେଟ୍ସର ଅକ୍ଟନରେ। ଆଉ ଏଭଳି ଜଘନ୍ୟ କାଣ୍ଡ ଭିଆଇଛି ଜଣେ ଭାରତୀୟ ବଂଶଜ।
୧୭ ବର୍ଷୀୟ ଅର୍ଜୁନ ଅରବିନ୍ଦ ନାମକ ଜଣେ ନାବାଳକ ତାଙ୍କ ୪୫ ବର୍ଷୀୟ ମା’ ସୁଧା ଭେଙ୍କଟେସନ ଓ ୧୪ ବର୍ଷୀୟ ଭାଇ ସିଦ୍ଧାର୍ଥ ଅରବିନ୍ଦଙ୍କ ହତ୍ୟା କରିଛନ୍ତି। ସେ ଅଦାଲତରେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। କିନ୍ତୁ ପୋଲିସ ହେପାଜତକୁ ନେଇଛି।
ମାସାଚୁସେଟ୍ସର ମିଡିଲସେକ୍ସ କାଉଣ୍ଟି ଡିଷ୍ଟ୍ରିକ୍ଟ ଆଟୋର୍ଣ୍ଣିଙ୍କ ଅନୁସାରେ, ଘଟଣା ପୂର୍ବରୁ ଅର୍ଜୁନ ଇଣ୍ଟରନେଟ୍ ଓ ଚାଟ ଜିପିଟି ବ୍ୟବହାର କରି ନିଜ ପରିବାରକୁ କ୍ଷତି କରିବା ସମ୍ପର୍କିତ କାଳ୍ପନିକ କାହାଣୀ ଓ ପ୍ରଶ୍ନ ଖୋଜୁଥିଲେ। କିନ୍ତୁ ଚାଟ ଜିପିଟି ହତ୍ୟା କରିବାକୁ ପ୍ରେରଣା ଦେଇଥିଲା ବୋଲି ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। ଅଧିକାରୀମାନେ କେବଳ କହିଛନ୍ତି ଯେ ଘଟଣା ପୂର୍ବରୁ ସେ ଏଆଇ ଓ ଇଣ୍ଟରନେଟ୍ରେ ଏଭଳି ବିଷୟ ଖୋଜୁଥିଲେ।
ଅଗଷ୍ଟ ୧୧ରେ ଜଣେ ଟ୍ୟୁଟର ପରିବାର ସହ ଯୋଗାଯୋଗ କରିପାରିନଥିଲେ। ପରେ ଅର୍ଜୁନଙ୍କ ବାପା ମଧ୍ୟ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିନପାରି ପୋଲିସକୁ ଘରକୁ ଯାଇ ଯାଞ୍ଚ କରିବାକୁ କହିଥିଲେ। ପୋଲିସ ଘରେ ପହଞ୍ଚି ଦୁଇଜଣଙ୍କୁ ମୃତ ଅବସ୍ଥାରେ ପାଇଥିଲା। ପରେ ଅର୍ଜୁନଙ୍କୁ ତାଙ୍କ ମା’ଙ୍କ କାର୍ରେ ନିକଟସ୍ଥ ୱେଲ୍ୟାଣ୍ଡ ଅଞ୍ଚଳରୁ ଧରାଯାଇଥିଲା। ଘଟଣାର ବର୍ତ୍ତମାନ ତଦନ୍ତ ଚାଲିଛି।