ଜମ୍ମୁ-କାଶ୍ମୀର, ୧୨/୧୧: ଜମ୍ମୁ-କଶ୍ମୀରର କିସ୍ତୱାର ଜିଲ୍ଲାରେ ଦୁଇ ନିଖୋଜ ସ୍ପେଶାଲ ପୋଲିସ ଅଫିସର (ଏସପିଓ)ଙ୍କ ମୃତଦେହ ଉଦ୍ଧାର ହୋଇଛି। ଗୁରୁବାର ସକାଳେ ଦଚ୍ଛନ ଅଞ୍ଚଳର ଏକ ଜଙ୍ଗଲରୁ ଉଭୟଙ୍କ ଗୁଳିବିଦ୍ଧ ମୃତଦେହ ମିଳିଛି। ମୃତ ଯବାନ ଦୁଇଜଣ ହେଲେ ବାବି ଚାନ୍ଦ (୫୭) ଓ ରଶପାଲ କୁମାର (୪୫)। ଉଭୟଙ୍କ ଶରୀରରେ ଏକାଧିକ ଗୁଳି ଚିହ୍ନ ରହିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଉଭୟ ଏସପିଓ ଜମ୍ମୁ-କଶ୍ମୀର ପୋଲିସର ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (ଏସଓଜି)ରେ କାର୍ଯ୍ୟରତ ଥିଲେ। ଦଚ୍ଛନ ଅଞ୍ଚଳର କିୟାର ଗାଁସ୍ଥିତ କ୍ୟାମ୍ପରେ ସେମାନେ ନିୟୋଜିତ ଥିଲେ। ବୁଧବାର ନିଜ କ୍ୟାମ୍ପରୁ ଧର୍ଣ୍ଣା-ମାରୱା ଅଞ୍ଚଳରେ ଥିବା ଏକ ଆର୍ମି ପୋଷ୍ଟକୁ ଯାଉଥିବା ବେଳେ ଉଭୟ ନିଖୋଜ ହୋଇଯାଇଥିଲେ। ନିର୍ଦ୍ଧାରିତ ସ୍ଥାନରେ ନ ପହଞ୍ଚିବାରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଚିନ୍ତା ପ୍ରକଟ କରିଥିଲେ।
ଉଭୟଙ୍କ ମୋବାଇଲ ଫୋନ୍ ପ୍ରଥମେ ରିଙ୍ଗ୍ ହେଉଥିବା ବେଳେ ପରେ ସୁଇଚ୍ ଅଫ୍ ହୋଇଯାଇଥିଲା। ଏହାପରେ ପୋଲିସ ଓ ସୁରକ୍ଷାବଳଙ୍କ ପକ୍ଷରୁ ମିଳିତ ଭାବେ ଖୋଜାଖୋଜି ଆରମ୍ଭ ହୋଇଥିଲା। ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଓ ଘଞ୍ଚ ଜଙ୍ଗଲରେ ସୁରକ୍ଷାକର୍ମୀମାନେ ତଲାସୀ ଅଭିଯାନ ଚଳାଇଥିଲେ। ଏଥିରେ ଡ୍ରୋନ୍ ଓ ସନ୍ଧାନୀ କୁକୁରଙ୍କ ସହାୟତା ମଧ୍ୟ ନିଆଯାଇଥିଲା।
ତେବେ ଉଭୟଙ୍କ ମୃତଦେହ ମିଳିବା ପରେ ଘଟଣାରେ ଆତଙ୍କୀ ସମ୍ପୃକ୍ତି ଥିବା ସନ୍ଦେହ ବଢ଼ିଛି। କାରଣ ମୃତଦେହ ଉଦ୍ଧାର ସମୟରେ ସେମାନଙ୍କ ସରକାରୀ ସେବା ଅସ୍ତ୍ରଶସ୍ତ୍ର ମିଳିନଥିବା ଅଧିକାରୀମାନେ କହିଛନ୍ତି। ତେବେ ଏହି ହତ୍ୟାକାଣ୍ଡ ପଛରେ କିଏ ରହିଛି ଏବଂ ଏହାର ପ୍ରକୃତ କାରଣ କ’ଣ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଘଟଣା ପରେ ଅଞ୍ଚଳରେ ସୁରକ୍ଷାବଳଙ୍କ ପକ୍ଷରୁ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି। ପୋଲିସ, ସେନା ଓ ସିଆରପିଏଫ ପକ୍ଷରୁ ମିଳିତ ଭାବେ ଅଞ୍ଚଳରେ ତଦନ୍ତ ଜାରି ରହିଛି।