ପାଟନା, ୧୭/୦୮: ବିହାରର ଲକ୍ଷୀସରାଇ ଜିଲ୍ଲାର ଅଶୋକ ଧାମ ମନ୍ଦିରରେ ସୋମବାର ସକାଳେ ଭୟଙ୍କର ଦଳାଚକଟା ଘଟି ୭ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।
ଶ୍ରାବଣ ମାସର ତୃତୀୟ ସୋମବାର ଭଗବାନ ଶିବଙ୍କୁ ଜଳାଭିଷେକ କରିବା ପାଇଁ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ସମୟରେ ହଠାତ୍ ବିଦ୍ୟୁତ୍ ତାର ଛିଡିଯିବାକୁ ନେଇ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା। ଯାହା ପରେ ଶ୍ରଦ୍ଧାଳୁମାନେ ଦୌଡ଼ୁଥିବା ବେଳେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।
ଅନ୍ୟପଟେ ଲକ୍ଷୀସରାଇ ଜିଲ୍ଲାପାଳ ଶୈଳେନ୍ଦ୍ର କୁମାରଙ୍କ ସୂଚନା ଅନୁସାରେ, ସକାଳ ପ୍ରାୟ ୬ଟା ୩୦ରୁ ୬ଟା ୪୫ ମଧ୍ୟରେ ଦୁଇଟି ଟ୍ରେନ୍ ଏକାସାଙ୍ଗରେ ଆସିବାରୁ ମନ୍ଦିର ନିକଟରେ ହଠାତ୍ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିଯାଇଥିଲା। ଫଳରେ ପ୍ରବେଶପଥ ନିକଟରେ ଭିଡ଼ ଅତ୍ୟଧିକ ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଲଗାଯାଇଥିବା ବ୍ୟାରିକେଡ୍ ଭାଙ୍ଗିଯିବା ପରେ ପରିସ୍ଥିତି ଆହୁରି ଅଣାୟତ୍ତ ହୋଇଥିଲା। ଲୋକେ ଭୟରେ ଏକାସାଙ୍ଗରେ ଆଗକୁ ଯିବାକୁ ଚେଷ୍ଟା କରିବାରୁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।
ତେବେ ଜାତୀୟ ଗଣମାଧ୍ୟମରେ ବିଦ୍ୟୁତ୍ ତାର ଛିଡି ପଡିବା ହେତୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହେବା କୁହାଯାଇଛି। ତେଣୁ ଦଳାଚକଟାର ପ୍ରକୃତ କାରଣ ନେଇ ତଦନ୍ତ ଚାଲିଛି।
ଘଟଣାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ମୃତ ଭକ୍ତଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି।