କଟକ, ୧୭/୦୮: ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ଅଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ହାଇକୋର୍ଟ ବାର୍ ଆସୋସିଏସନ। ଖାଲି ପଡ଼ିଥିବା ବିଚାରପତି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି। ଏନେଇ ରାଷ୍ଟ୍ରପତିଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦିଆଯାଇଥିବା ଜଣାପଡ଼ିଛି।
ହାଇକୋର୍ଟରେ ମାମଲା ସଂଖ୍ୟା ଲଗାତାର ବଢ଼ୁଥିବା ବେଳେ ଆବଶ୍ୟକ ସଂଖ୍ୟକ ବିଚାରପତି ନଥିବାରୁ ମାମଲା ଶୁଣାଣି ଓ ଫଇସଲା ପ୍ରକ୍ରିୟା ପ୍ରଭାବିତ ହେଉଥିବା ବାର୍ ଆସୋସିଏସନ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି। ଫଳରେ ନ୍ୟାୟ ପାଇଁ ଅପେକ୍ଷା କରୁଥିବା ମାମଲାକାରୀଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି। ତେଣୁ ବିଚାରପତି ନିଯୁକ୍ତି ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ ଦିଆଯାଇଛି।
ସୂଚନା ଅନୁସାରେ, ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ଅନୁମୋଦିତ ସଂଖ୍ୟା ୩୩। ତେବେ ବର୍ତ୍ତମାନ କାର୍ଯ୍ୟରତ ବିଚାରପତିଙ୍କ ସଂଖ୍ୟା ମାତ୍ର ୧୭ ରହିଛି। ଅର୍ଥାତ୍ ଅନୁମୋଦିତ ପଦବୀର ପ୍ରାୟ ଅର୍ଦ୍ଧେକ ଖାଲି ରହିଛି।
ଜୁଲାଇ ୧୬, ୨୦୨୬ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ପ୍ରାୟ ୧ ଲକ୍ଷ ୬୯ ହଜାର ୩୨୦ଟି ମାମଲା ବିଚାରାଧୀନ ଥିବା ରାଜ୍ୟସଭାରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଦ୍ୱାରା ତଥ୍ୟ ଦିଆଯାଇଛି। ଏଥିରୁ ୬୯,୬୮୪ଟି ମାମଲା ୫ ବର୍ଷରୁ ଅଧିକ ସମୟ ଧରି ଏବଂ ୩୮,୮୬୬ଟି ମାମଲା ୧୦ ବର୍ଷରୁ ଅଧିକ ସମୟ ଧରି ପଡ଼ିରହିଛି।
ଏପରି ପରିସ୍ଥିତିରେ ବିଚାରପତିଙ୍କ ଖାଲି ପଦବୀ ପୂରଣ ନହେଲେ ମାମଲା ଫଇସଲାରେ ଆହୁରି ବିଳମ୍ବ ହେବା ନେଇ ଆଇନଜୀବୀ ମହଲରେ ଚିନ୍ତା ପ୍ରକାଶ ପାଇଛି।