ସ୍ୱର୍ଗତ ହୋମଗାର୍ଡ ପ୍ରଦୀପ କୁମାର ମାର୍ଥାଙ୍କ ପରିବାରକୁ ୬.୫୫ ଲକ୍ଷ ଟଙ୍କାର ସହାୟତା

ପତ୍ନୀ ଉର୍ମିଳା ମାର୍ଥାଙ୍କୁ ଚେକ୍ ପ୍ରଦାନ କଲେ ଆରକ୍ଷୀ ମହାନିର୍ଦ୍ଦେଶକ

କଟକ, ୧୭/୦୮: ସ୍ୱର୍ଗତ ହୋମଗାର୍ଡ ପ୍ରଦୀପ କୁମାର ମାର୍ଥାଙ୍କ ପରିବାରକୁ ରାଜ୍ୟର ଆଇପିଏସ୍ ଅଧିକାରୀମାନଙ୍କ ଅବଦାନରୁ ସଂଗୃହୀତ ୬ ଲକ୍ଷ ୫୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।

ଆଜି ଅପରେସନ ମୁଖ୍ୟାଳୟଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆରକ୍ଷୀ ମହାନିର୍ଦ୍ଦେଶକ (ନକ୍ସଲ ବିରୋଧୀ ଅଭିଯାନ) ଶ୍ରୀ ସଞ୍ଜୀବ ପଣ୍ଡା ସ୍ୱର୍ଗତ ପ୍ରଦୀପ କୁମାର ମାର୍ଥାଙ୍କ ପତ୍ନୀ ଶ୍ରୀମତୀ ଉର୍ମିଳା ମାର୍ଥାଙ୍କୁ ଏହି ରାଶିର ଚେକ୍ ପ୍ରଦାନ କରିଥିଲେ। ଏହି ଅବସରରେ ଆଇଜିପି (ଅପରେସନ) ଶ୍ରୀ ଦୀପକ କୁମାର ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ, ହୋମଗାର୍ଡ ଶ୍ରୀ ପ୍ରଦୀପ କୁମାର ମାର୍ଥା ୨୪ ଏପ୍ରିଲ ୨୦୨୬ରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ପରଲୋକ ଗମନ କରିଥିଲେ। ସେ ଭୁବନେଶ୍ୱରସ୍ଥିତ ଆଇପିଏସ୍ ମେସ୍‌ରେ କାର୍ଯ୍ୟରତ ଥିଲେ।

ସ୍ୱର୍ଗତ ଶ୍ରୀ ମାର୍ଥାଙ୍କ ପରିବାରକୁ ଓଡ଼ିଶା ପୋଲିସ ପକ୍ଷରୁ ନିରନ୍ତର ସହଯୋଗ ଯୋଗାଇ ଦିଆଯାଉଛି। ଏହାପୂର୍ବରୁ ୧୭ ଜୁନ୍ ୨୦୨୬ରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ଶ୍ରୀମତୀ ଉର୍ମିଳା ମାର୍ଥାଙ୍କୁ ୪ ଲକ୍ଷ ଟଙ୍କାର ଅନୁଗ୍ରହ ରାଶି ପ୍ରଦାନ କରାଯାଇଥିଲା। ସେହିପରି, ଅବସରପ୍ରାପ୍ତ ଆଇପିଏସ୍ ଅଫିସର୍ସ ଆସୋସିଏସନ୍‌ର ସଭାପତି ଶ୍ରୀ ଏଲ୍‌.ସି. ଅମରନାଥନ୍ ୧୮ ଜୁନ୍ ୨୦୨୬ରେ ୧ ଲକ୍ଷ ୧୨ ହଜାର ୫୦୦ ଟଙ୍କାର ଚେକ୍ ପ୍ରଦାନ କରିଥିଲେ।

ଏଥିସହ, ଶ୍ରୀମତୀ ଉର୍ମିଳା ମାର୍ଥାଙ୍କୁ ୧୫ ଅଗଷ୍ଟ ୨୦୨୬ରେ ଭୁବନେଶ୍ୱର-କଟକ ପୋଲିସ କମିଶନରେଟ୍‌ରେ ହୋମଗାର୍ଡ ଭାବେ ନିଯୁକ୍ତି ମଧ୍ୟ ପ୍ରଦାନ କରାଯାଇଛି।

ସ୍ୱର୍ଗତ ପ୍ରଦୀପ କୁମାର ମାର୍ଥାଙ୍କ ପରିବାର ପ୍ରତି ଓଡ଼ିଶା ପୋଲିସର ଏହି ସହଯୋଗ ଓ ସମ୍ବେଦନଶୀଳ ପଦକ୍ଷେପ କେବଳ ଆର୍ଥିକ ସହାୟତା ନୁହେଁ, ବରଂ ଦୁଃଖର ଏହି ସମୟରେ ପରିବାର ପ୍ରତି ପୋଲିସ ବିଭାଗର ଦାୟିତ୍ୱବୋଧ, ମାନବିକତା ଓ ଆତ୍ମୀୟତାର ପ୍ରତିଫଳନ। ଏହା ପରିବାରର ମନୋବଳ ବୃଦ୍ଧି ସହ ଭବିଷ୍ୟତରେ ସେମାନଙ୍କୁ ଆଗକୁ ବଢ଼ିବାରେ ନିଶ୍ଚିତ ଭାବେ ସହାୟକ ହେବ।