ଭୁବନେଶ୍ୱର, ୦୭/୧୦: ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କାଲି ଓଡ଼ିଶା ବନ୍ଦ ପାଳନ ବେଳେ ରାଜ୍ୟରେ ବନ୍ଦ ରହିବ ଅଟୋ ଚଳାଚଳ। ଅଟୋ ବନ୍ଦ ନେଇ ସୂଚନା ଦେଲେ ଅଟୋ ଚାଳକ ସଂଘ ସମ୍ପାଦକ। ଭୁବନେଶ୍ୱରରେ ୨୦ ହଜାର ଅଟୋ ସାରା ରାଜ୍ୟରେ ୧ ଲକ୍ଷ ଅଟୋ ଗଡିବ ନାହିଁ।
କିନ୍ତୁ କାଲିର ଓଡ଼ିଶା ବନ୍ଦ୍ରେ ସାମିଲ ହେବନି ଘରୋଇ ବସ୍। ଏ ନେଇ ସୂଚନା ଦେଇଛନ୍ତି ଘରୋଇ ବସ୍ ମାଲିକ ସଂଘ ସଭାପତି ଲୋକନାଥ ପାଣି। ବସ୍ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ ବନ୍ଦ୍ରେ ସାମିଲ ହେବୁନି। କାଲି ଘରୋଇ ବସ୍ ଗଡ଼ିବ, ଯାତ୍ରୀ ପରିବହନ ଜାରି ରହିବ। କାଲିର ବନ୍ଦ ବେଳେ ସରକାର ବସ୍ ଚଳାଚଳ ପାଇଁ ସୁରକ୍ଷା ଯୋଗାନ୍ତୁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏମଏମଡିଆର ବିଲ୍ ପ୍ରତ୍ୟାହାର ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଇଣ୍ଡି ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପାଳନରେ ସାମିଲ ହୋଇପାରନ୍ତି ସିପିଆଇ, ସିପିଆଇ(ଏମ), ସିପିଆଇ(ଏମଏଲ), ଏନସିପି, ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି, ଆରଜେଡି, ଜେଏମଏମ ଭଳି ଦଳ।
କାଲି କଣ ବନ୍ଦ ରହିବ:
ବନ୍ଦ ପାଳନ ବେଳେ ଗାଡ଼ି ମୋଟର ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପ୍ରଭାବିତ ହୋଇପାରେ। ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିପାରେ।
କାଲି କଣ ଖୋଲା ରହିବ:
ବନ୍ଦ ପାଳନରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି। ହସ୍ପିଟାଲ, ଆମ୍ବୁଲାନ୍ସ, ଦମକଳ ସେବା, ମେଡିସିନ୍ ଦୋକାନ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଓ ଜରୁରୀ ସେବା ଜାରି ରହିବ।