ଓଡ଼ିଶାର ସେମିକଣ୍ଡକ୍ଟର ଓ ପ୍ରଯୁକ୍ତି ଭିତ୍ତିଭୂମି ବିକାଶ ପାଇଁ ନୂଆ ଦିଗ
ଓଡ଼ିଶାର ଟେକ୍ ଭିତ୍ତିଭୂମି ନିର୍ମାଣ ପାଇଁ ଧୋଲେରା, ଟାଟା ଇଲେକ୍ଟ୍ରୋନିକ୍ସ ସେମିକଣ୍ଡକ୍ଟର ଫ୍ୟାବ୍ ପରିଦର୍ଶନ କଲେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ
ଭୁବନେଶ୍ୱର, ୧୯/୦୮: ଓଡ଼ିଶାରେ ଆଧୁନିକ ପ୍ରଯୁକ୍ତି ଓ ଶିଳ୍ପ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏକ ଦୃଢ଼ ପରିବେଶ ଗଠନ ଲକ୍ଷ୍ୟରେ ମାନ୍ୟବର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଗୁଜରାଟର ଧୋଲେରା ଶିଳ୍ପ ପରିଦର୍ଶନ କରିଛନ୍ତି ।
ଏହି ଅବସରରେ ଧୋଲେରାରେ ସମନ୍ୱିତ ଭିତ୍ତିଭୂମି ଓ ସହର ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ଆକ୍ଟିଭେସନ୍ ଏରିଆ ପରିଦର୍ଶନ କରିଛନ୍ତି । ଧୋଲେରାରେ ଦେଖାଯାଇଥିବା ଆଧୁନିକ ନଗର ଯୋଜନା ଓ ଭିତ୍ତିଭୂମି ବିକାଶର ବ୍ୟାପକତା ଏହି ପରିଦର୍ଶନର ମୁଖ୍ୟ ଆକର୍ଷଣ ଥିଲା ।
ଏହା ସହିତ, ଟାଟା ଇଲେକ୍ଟ୍ରୋନିକ୍ସର ସେମିକଣ୍ଡକ୍ଟର ଫ୍ୟାବ୍ ପରିଦର୍ଶନ କରି ଥିଲେ । ସେମିକଣ୍ଡକ୍ଟର ଶିଳ୍ପର ବିକାଶ କେବଳ ଏକ ଫ୍ୟାବ୍ ସ୍ଥାପନରେ ସୀମିତ ନୁହେଁ; ଏହା ସହିତ ଆବଶ୍ୟକୀୟ ଶିଳ୍ପ ଇକୋସିଷ୍ଟମ୍, ଭେଣ୍ଡର ନେଟୱର୍କ, ଉଚ୍ଚମାନର ଭିତ୍ତିଭୂମି ଓ ଦକ୍ଷ ମାନବ ସମ୍ବଳର ବିକାଶ ମଧ୍ୟ ଜଡ଼ିତ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ,”ଏହି ପରିଦର୍ଶନ ଓଡ଼ିଶାରେ ଭବିଷ୍ୟତ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ଗଠନ ପାଇଁ ମୂଲ୍ୟବାନ ଅନୁଭୂତି ଓ ଶିକ୍ଷା ପ୍ରଦାନ କରିଛି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ଆଧୁନିକ ଭିତ୍ତିଭୂମି, ଉନ୍ନତ ପ୍ରଯୁକ୍ତି ଓ ଶିଳ୍ପ ଇକୋସିଷ୍ଟମ୍ର ସମନ୍ୱୟ ମାଧ୍ୟମରେ ରାଜ୍ୟକୁ ଭାରତର ଆଗାମୀ ସେମିକଣ୍ଡକ୍ଟର ଓ ଟେକ୍ନୋଲୋଜି ହବ୍ ଭାବେ ଗଢ଼ି ତୋଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ”
ଏହି ପରିଦର୍ଶନରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଓପିଟିସିଏଲ ଚେୟାରମ୍ୟାନ ଭାସ୍କର ଜ୍ୟୋତି ଶର୍ମା, ଓକାକ ସିଇଓ ଡ଼. ପ୍ରଦୀପ କୁମାର ରାଉତ, ଯୁଗ୍ମ ସଚିବ କୌସ୍ତୁଭ ପାଣିଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।