ଭୁବନେଶ୍ୱର, ୨୦/୦୮: ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଓ ଲୋୟର ପିଏମଜି ଅଞ୍ଚଳରେ ଅନଲାଇନ୍ ଅଟୋ ଓ ଟାକ୍ସି ଚାଳକଙ୍କ ବିଶୃଙ୍ଖଳା ଘଟଣାକୁ ନେଇ ପୋଲିସ ଏବଂ ପରିବହନ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆନ୍ଦୋଳନ ସମୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ସହ ପୋଲିସ ଓ ଚାଳକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୧୩ ଜଣଙ୍କୁ ଗିରଫ କରାଯାଇଛି।
ପୋଲିସ ସୂଚନା ଅନୁସାରେ, ଘଟଣାରେ ସମ୍ପୃକ୍ତ କିଛି ବ୍ୟକ୍ତିଙ୍କୁ ତଦନ୍ତ ପରେ ଛାଡ଼ି ଦିଆଯାଇଛି। ଉତ୍ତମ ବ୍ୟବହାର ଦେଖାଇଥିବା ୬୦ ଜଣଙ୍କୁ ଛାଡ଼ି ଦିଆଯାଇଥିବା ବେଳେ ମୋଟ ୩୫୪ଟି ଯାନବାହନ ଜବତ ହୋଇଛି। ଏହାସହ ଖାରବେଳନଗର ଥାନାରେ ଘଟଣାକୁ ନେଇ ୭ଟି ଏଫଆଇଆର୍ ରୁଜୁ ହୋଇଛି।
ଘଟଣାକୁ ଗୁରୁତ୍ୱର ସହ ନେଇଛି ପରିବହନ ବିଭାଗ। ବିଶୃଙ୍ଖଳାରେ ସାମିଲ ଥିବା ଯାନବାହନଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାଥମିକ ଭାବେ ପ୍ରାୟ ୪୦୦ଟି ଗାଡ଼ି ଚିହ୍ନଟ କରାଯାଇ ସେଗୁଡ଼ିକର ପରମିଟ୍ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଇଛି।
ବିଭାଗର ଆଭିମୁଖ୍ୟ କେବଳ ପରମିଟ୍ ବାତିଲରେ ସୀମିତ ରହିବ ନାହିଁ। ଆବଶ୍ୟକ ହେଲେ ସମ୍ପୃକ୍ତ ଗାଡ଼ିଗୁଡ଼ିକର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (RC) ମଧ୍ୟ ରଦ୍ଦ କରାଯାଇପାରେ। ଫଳରେ ଏହି ଯାନଗୁଡ଼ିକ ଯେପରି ଅନ୍ୟ କୌଣସି ସ୍ଥାନରେ ଚଳାଚଳ କରିପାରିବେ ନାହିଁ, ସେନେଇ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରାଯିବ।
ଘଟଣାରେ ସାମିଲ ଥିବା ଡ୍ରାଇଭରମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବା ନେଇ ମଧ୍ୟ ପରିବହନ ବିଭାଗ ବିଚାର କରୁଛି। ନିୟମ ଅନୁଯାୟୀ ଆବଶ୍ୟକ ଅନୁମତି ମିଳିଲେ ସମ୍ପୃକ୍ତ ଡ୍ରାଇଭରଙ୍କ ଲାଇସେନ୍ସ ମଧ୍ୟ ବାତିଲ କରାଯାଇପାରେ ବୋଲି ଅତିରିକ୍ତ ପରିବହନ କମିଶନର କହିଛନ୍ତି।
ଅର୍ଥାତ୍, ଘଟଣାରେ ସମ୍ପୃକ୍ତ ଯାନଗୁଡ଼ିକ ବିରୋଧରେ ପରମିଟ୍, RC ଏବଂ ଆବଶ୍ୟକ ସ୍ଥଳେ ଡ୍ରାଇଭରଙ୍କ ଲାଇସେନ୍ସ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରେ।
ଅନ୍ୟପଟେ ଆଜି ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଅନଲାଇନ ଅଟୋ ଷ୍ଟାଣ୍ଡ ଉପରେ ବୁଲିଛି ବୁଲଡୋଜର। ସ୍ମାର୍ଟ ସିଟି ଅଟୋ ଓ ଟ୍ୟାକ୍ସି ଷ୍ଟାଣ୍ଡ ଭାଙ୍ଗିଛି ପୋଲିସ। ଏହି ଅଟୋ ଷ୍ଟାଣ୍ଡରେ ଅସାମାଜିକ କାର୍ଯ୍ୟକଳାପର ଯୋଜନା କରୁଥିବା ପୋଲିସ୍ କହିଛି। ଗତ କାଲି ମଧ୍ୟ ଏହିଠାରୁ ହିଁ ବ୍ଲୁ-ପ୍ରିଣ୍ଟ ରଚାଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ୧୭ ତାରିଖରୁ ଅନଲାଇନ୍ ଅଟୋ ଓ ଟାକ୍ସି ଚାଳକମାନେ ବିଭିନ୍ନ ଦାବି ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ କରୁଥିଲେ। କିନ୍ତୁ ତୃତୀୟ ଦିନରେ ଆନ୍ଦୋଳନ ସମୟରେ ସ୍ଥିତି ଧୀରେ ଧୀରେ ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ପରେ ପୋଲିସ ସହ ଚାଳକଙ୍କ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ପରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।