କ୍ଷତିପୂରଣ ଭରଣା କରିବେ ଅଟୋ ଚାଳକ

ଅଟୋ ଚାଳକଙ୍କ ହଙ୍ଗାମା; ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୨୦/୦୮: ଭୁବନେଶ୍ୱରରେ ଅଟୋ ଚାଳକଙ୍କ ଆନ୍ଦୋଳନ ଓ ହଙ୍ଗାମାକୁ ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଘଟଣାକୁ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଆଇନକୁ ହାତକୁ ନେଇ ଭଙ୍ଗାରୁଜା ଓ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଥିବା ଅଟୋ ଚାଳକଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ମନ୍ତ୍ରୀ କହିଛନ୍ତି, ଆନ୍ଦୋଳନ କରିବା ପାଇଁ ସମସ୍ତଙ୍କର ଗଣତାନ୍ତ୍ରିକ ଅଧିକାର ରହିଛି। କିନ୍ତୁ ଆନ୍ଦୋଳନ ନାଁରେ ଗୁଣ୍ଡାଗିରି, ସାଧାରଣ ଲୋକଙ୍କୁ ଆକ୍ରମଣ, ସରକାରୀ ସମ୍ପତ୍ତି ନଷ୍ଟ କିମ୍ବା ଗାଡ଼ି ଭଙ୍ଗାରୁଜାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ।

ଘଟଣାରେ କିଛି ଅଟୋ ଚାଳକ ଆଇନକୁ ହାତକୁ ନେଇଥିବା ଅଭିଯୋଗ ହୋଇଛି। ସେମାନେ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିବା ସହ ସରକାରୀ ଗାଡ଼ି ଭାଙ୍ଗିଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଏଭଳି ଘଟଣାରେ ସଂପୃକ୍ତ ଲୋକଙ୍କୁ ଚିହ୍ନଟ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ଭଙ୍ଗାରୁଜା ଓ ହିଂସାତ୍ମକ କାର୍ଯ୍ୟରେ ସାମିଲ ଅଟୋ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ ବୋଲି ମଧ୍ୟ ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ଏହା ସହ ଗୁଣ୍ଡାଗିରିରେ ସାମିଲ ଥିବା ଚାଳକମାନେ ଯେଉଁ ବେଆଇନ ଅଟୋ ଷ୍ଟାଣ୍ଡ ଚଳାଉଛନ୍ତି, ସେଗୁଡ଼ିକୁ ଭଙ୍ଗାଯିବ ବୋଲି ସେ କହିଛନ୍ତି।

କ୍ଷୟକ୍ଷତିକୁ ନେଇ ମନ୍ତ୍ରୀ କହିଛନ୍ତି, ଆନ୍ଦୋଳନ ସମୟରେ ଯେଉଁ କ୍ଷତି ହୋଇଛି, ତାହା କ୍ଷୟକ୍ଷତି ଘଟାଇଥିବା ଅଟୋ ଚାଳକଙ୍କଠାରୁ ଭରଣା କରାଯିବ। ସରକାରୀ ସମ୍ପତ୍ତି କିମ୍ବା ଅନ୍ୟ କୌଣସି ସମ୍ପତ୍ତି ନଷ୍ଟ କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।