ନୂଆଦିଲ୍ଲୀ, ୨୦/୦୮: ପୂର୍ବତନ କଂଗ୍ରେସ ସାଂସଦ ତଥା ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ସଜ୍ଜନ କୁମାରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଆଜୀବନ ସଜା ପାଇଁ ତିହାର ଜେଲ୍ରେ ରହୁଥିଲେ। କିନ୍ତୁ ଅସୁସ୍ଥତା କାରଣରୁ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ନିଆଯାଇଥିଲା। ହେଲେ, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି।
ସଜ୍ଜନ କୁମାର ୧୯୮୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦିଲ୍ଲୀରେ ଘଟିଥିବା ଶିଖ୍ ବିରୋଧୀ ହିଂସା ସହ ଜଡ଼ିତ ଏକାଧିକ ମାମଲାରେ ଅଭିଯୁକ୍ତ ହୋଇଥିଲେ। ଏହି ସମୟରେ ପାଞ୍ଚ ଜଣ ଶିଖଙ୍କୁ ହତ୍ୟା କରିବା ଓ ଗୁରୁଦ୍ୱାର ପୋଡ଼ିବା ଘଟଣାକୁ ନେଇ ୨୦୧୮ରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ।
ଏହାପରେ ୨୦୨୫ ମସିହାରେ ସରସ୍ୱତୀ ବିହାର ଅଞ୍ଚଳରେ ଘଟିଥିବା ଦୁଇଜଣ ଶିଖ୍—ଯଶବନ୍ତ ସିଂହ ଓ ତାଙ୍କ ପୁଅ ତରୁଣଦୀପ ସିଂହଙ୍କ ହତ୍ୟା ମାମଲାରେ ମଧ୍ୟ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ଦିଲ୍ଲୀର ଏକ ଅଦାଲତ ତାଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ।
ଦୀର୍ଘ ସମୟ ଧରି ତିହାର ଜେଲ୍ରେ ଆଜୀବନ ସଜା କାଟୁଥିବା ସଜ୍ଜନ କୁମାର ବିଭିନ୍ନ ସମୟରେ ସ୍ୱାସ୍ଥ୍ୟଗତ ଅବସ୍ଥା ଖରାପ ରହୁଥିଲା।
ସଜ୍ଜନ କୁମାର ଦିଲ୍ଲୀ ରାଜନୀତିରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଥିଲେ। ୧୯୮୪ ଦଙ୍ଗା ମାମଲାରେ ୨୦୧୮ରେ ଦୋଷୀ ସାବ୍ୟସ୍ତ ହେବା ପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ।
କିନ୍ତୁ ୨୦୨୬ ଜାନୁଆରୀରେ ଜନକପୁରୀ-ବିକାଶପୁରୀ ଅଞ୍ଚଳରେ ୧୯୮୪ରେ ଘଟିଥିବା ହିଂସା ସମ୍ପର୍କିତ ଅନ୍ୟ ଏକ ମାମଲାରେ ଦିଲ୍ଲୀର ଏକ ଅଦାଲତ ତାଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। କିନ୍ତୁ ଅନ୍ୟ ମାମଲା ପାଇଁ ସେ ଆଜୀବନ ସଜା କାଟୁଥିଲେ।