ଆଜି ଓଡ଼ିଶା ଅର୍ବାନ କନକ୍ଲେଭ୍ ୨୦୨୬
ଆର୍ଥିକ ସ୍ୱାବଲମ୍ବୀ ଓ ନାଗରିକ କେନ୍ଦ୍ରିକ ସହରାଞ୍ଚଳ ଶାସନ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ମଞ୍ଚ
ଭୁବନେଶ୍ୱର, ୨୨/୦୮: ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟର ଅଡିଟୋରିୟମରେ ପୌରସଂସ୍ଥା ଗୁଡ଼ିକ ପାଇଁ ଏକ ସାମଗ୍ରିକ ସମୀକ୍ଷା ତଥା ଅନୁସ୍ଥାପନ (ଓରିଏଣ୍ଟେସନ) କାର୍ଯ୍ୟକ୍ରମ ‘ଓଡ଼ିଶା ଅର୍ବାନ କନକ୍ଲେଭ୍ ୨୦୨୬’ ଆୟୋଜିତ ହେବ ।
ଏହି ସମ୍ମିଳନୀରେ ବରିଷ୍ଠ ପ୍ରଶାସକ, ନଗର ଯୋଜନାକାରୀ, ପୌର ପ୍ରତିନିଧି ଓ ଯନ୍ତ୍ରୀମାନେ ଏକତ୍ରିତ ହୋଇ ଜାରି ରହିଥିବା ଯୋଜନାଗୁଡ଼ିକର ସମୀକ୍ଷା କରିବେ, କ୍ଷେତ୍ରସ୍ତରୀୟ ସମସ୍ୟାଗୁଡ଼ିକୁ ଚିହ୍ନଟ କରିବେ ଏବଂ ସମଗ୍ର ଓଡ଼ିଶାରେ ତ୍ୱରିତ ତଥା ଅଧିକ ପ୍ରଭାବଶାଳୀ ସହରାଞ୍ଚଳ ରୂପାନ୍ତରଣ ପାଇଁ ରଣନୈତିକ ପ୍ରାଥମିକତା ସ୍ଥିର କରିବେ । କାର୍ଯ୍ୟକ୍ରମରେ ମାନ୍ୟବର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିବେ ଏବଂ ଏହାପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ପ୍ରମୁଖ ପ୍ରାଥମିକତା ଉପରେ ଉପସ୍ଥାପନା ରଖିବେ ।
ଦିନବ୍ୟାପୀ ଚାଲିବାକୁ ଥିବା ଏହି ସମ୍ମିଳନୀରେ ସହରାଞ୍ଚଳ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଦିଗ, ଯଥା—ପୌରସଂସ୍ଥାର ରାଜସ୍ୱ ବୃଦ୍ଧି, ଟାୟାର-୨ ଏବଂ ଟାୟାର-୩ ସହରଗୁଡ଼ିକ ପାଇଁ ଟାଉନ ପ୍ଲାନିଂ ଯୋଜନାର ଏସଓପି , ସମୃଦ୍ଧ ସହର, ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ ଏବଂ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ଅଧୀନରେ ଭିତ୍ତିଭୂମି ବିକାଶ ଉପରେ ଆଲୋଚନା କରାଯିବ ।
ଏଥିସହିତ ଅମୃତ ୨.୦ ଅଧୀନରେ ଜଳାଶୟଗୁଡ଼ିକର ପୁନରୁଦ୍ଧାର, ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣ, ପଦଯାତ୍ରୀ-ଅନୁକୂଳ ଗମନାଗମନ, କ୍ରୁଟ୍ ଅଧୀନରେ ଆମ ବସ୍ ସେବାର ସମ୍ପ୍ରସାରଣ ଏବଂ ପିଏମ୍ ସ୍ୱନିଧି, ସହରାଞ୍ଚଳ ଗୃହହୀନଙ୍କ ପାଇଁ ଆଶ୍ରୟସ୍ଥଳୀ ଓ ଆହାର ଭଳି କଲ୍ୟାଣକାରୀ ଯୋଜନା ଉପରେ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ସମାନ୍ତରାଳ ବୈଷୟିକ ଅଧିବେଶନରେ ବ୍ୟବହୃତ ଜଳ ପରିଚାଳନା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମାବଳୀର ଅନୁପାଳନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ୨.୦ ଗୃହନିର୍ମାଣ ପଦକ୍ଷେପ ଉପରେ ଆଲୋଚନା କରାଯିବ ।
ଅପେକ୍ଷାକୃତ କମ୍ ପ୍ରଦର୍ଶନ କରୁଥିବା ପୌରସଂସ୍ଥାଗୁଡ଼ିକର ପ୍ରତିବନ୍ଧକ ଚିହ୍ନଟ କରି ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ନେବା ପାଇଁ ଏକ ସ୍ୱତନ୍ତ୍ର ସମୀକ୍ଷା ମଧ୍ୟ କରାଯିବ । ଏଥିସହ ଉନ୍ନତ ପ୍ରଦର୍ଶନ କରୁଥିବା ପୌରସଂସ୍ଥାଗୁଡ଼ିକର ସଫଳ ଅଭ୍ୟାସ ଓ ମଡେଲକୁ ଅନ୍ୟମାନଙ୍କ ଦ୍ୱାରା ଆପଣାଇବା ଉଦ୍ଦେଶ୍ୟରେ ଉପସ୍ଥାପନ କରାଯିବ ।
‘ଓଡ଼ିଶା ଅର୍ବାନ କନକ୍ଲେଭ୍ ୨୦୨୬’ ରାଜ୍ୟବ୍ୟାପୀ ସମନ୍ୱୟ ସୁଦୃଢ଼ କରିବା, ସାଂସ୍ଥାଗତ ଦକ୍ଷତା ବୃଦ୍ଧି କରିବା ସହିତ ଏକ ଉତ୍ତରଦାୟୀ, ସ୍ଥିର, ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ତଥା ନାଗରିକ-କେନ୍ଦ୍ରିକ ସହରାଞ୍ଚଳ ଶାସନ ବ୍ୟବସ୍ଥା ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ହେବ ବୋଲି ଲକ୍ଷ୍ୟ ରଖାଯାଇଛି ।