ବିଫଳ ହେଲା ଆମେରିକା-କାନାଡା ବାଣିଜ୍ୟ ଆଲୋଚନା: ୫୦% ଶୁଳ୍କ ଲାଗୁ

‘ଡଲାର ବଦଳରେ ଡଲାର’ ଦେବୁ: କାର୍ନୀଙ୍କ ଚେତାବନୀ

ୱାଶିଂଟନ୍ / ଓଟାୱା, ୨୨/୦୮: ଆମେରିକା ଏବଂ କାନାଡ଼ା ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ଆଲୋଚନା ଶେଷ ମୁହୂର୍ତ୍ତରେ ବିଫଳ ହୋଇଛି। ଏହା ପରେ ଆମେରିକାର ଟ୍ରମ୍ପ ପ୍ରଶାସନ କାନାଡ଼ାର ପ୍ରାୟ ୨୦ ବିଲିୟନ୍ ଆମେରିକୀୟ ଡଲାର (ପ୍ରାୟ ୨୮ ବିଲିୟନ୍ କାନାଡ଼ିଆନ୍ ଡଲାର) ମୂଲ୍ୟର ସାମଗ୍ରୀ ଉପରେ ୫୦ ପ୍ରତିଶତ ଭାରୀ ଶୁଳ୍କ ଲାଗୁ କରିଛି।

ଏହାର କଡ଼ା ପ୍ରତିକ୍ରିୟା ପ୍ରକାଶ କରି କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନୀ ଆମେରିକାକୁ “ଡଲାର ବଦଳରେ ଡଲାର” ହିସାବରେ ସମାନ ପରିମାଣର କର ଲଗାଇ ଜବାବ ଦେବାକୁ ଚେତାବନୀ ଦେଇଛନ୍ତି।

ଟ୍ରମ୍ପ ପ୍ରଶାସନ ଦେଇଥିବା ୩ ଦିନର ସମୟସୀମା ଶେଷ ହେବା ପରେ କାନାଡ଼ା ପ୍ରଧାନମନ୍ତ୍ରୀ ଆମେରିକାରେ ଥିବା ନିଜର ଆଲୋଚନାକାରୀ ଦଳକୁ ତୁରନ୍ତ ଓଟାୱା ଫେରିଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ଶେଷ ମୁହୂର୍ତ୍ତର ସର୍ତ୍ତଗୁଡ଼ିକ ଅନ୍ୟାୟ ଓ ଅଯୌକ୍ତିକ ବୋଲି କାନାଡ଼ା ଦର୍ଶାଇଛି।

ଆମେରିକାର ବ୍ୟବସାୟ ପ୍ରତି କାନାଡ଼ାର ନୀତି ପକ୍ଷପାତମୂଳକ ବୋଲି ଆମେରିକା ଅଭିଯୋଗ କରିଥିଲା। ବିଶେଷ କରି ଦୁଗ୍ଧଜାତ ଦ୍ରବ୍ୟ ଓ ମଦ ବିକ୍ରି ଉପରେ କଟକଣା) କରିଥିଲା। ଅନ୍ୟପଟେ କାନାଡ଼ା ନିଜର ଶ୍ରମିକ ଓ କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ କୌଣସି ଆପୋଷ ବୁଝାମଣା କରିବ ନାହିଁ ବୋଲି ସ୍ପଷ୍ଟ କରିଛି। ଏହି ୫୦% ଶୁଳ୍କ ଫଳରେ ସିମେଣ୍ଟ, ହକି ଷ୍ଟିକ୍, ଷ୍ଟିଲ୍, ଆଲୁମିନିୟମ୍ ଏବଂ ଅନ୍ୟାନ୍ୟ ପ୍ରମୁଖ କାନାଡ଼ିଆନ୍ ସାମଗ୍ରୀ ପ୍ରଭାବିତ ହେବ।

ଶୁଳ୍କ ଲାଗୁ ହେଲା ନେଇ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନୀ କହିଛନ୍ତି, ଆମେ ଆମର ବ୍ୟବସାୟୀ ଏବଂ ଶ୍ରମିକଙ୍କ ସୁରକ୍ଷା ପାଇଁ ଆମେରିକାର ଏହି ଶୁଳ୍କର ସମାନ ପରିମାଣରେ ‘ଡଲାର ବଦଳରେ ଡଲାର’ କର ଲଗାଇ ଜବାବ ଦେବୁ।”