ତାମିଲନାଡୁ, ୨୪/୦୮: ତାମିଲନାଡୁ ବିଧାନସଭାରେ ସୋମବାର ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ଏକାଧିକ ଜନକଲ୍ୟାଣମୂଳକ ଯୋଜନା ଘୋଷଣା କରିଛନ୍ତି। ଏଥିରେ ଆର୍ଥିକ ଦୁର୍ବଳ ପରିବାରଗୁଡ଼ିକୁ ବର୍ଷକୁ ୩ଟି ମାଗଣା ଏଲପିଜି ସିଲିଣ୍ଡର ଏବଂ ଟ୍ରାନ୍ସଜେଣ୍ଡରଙ୍କ ସମେତ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ପାଇଁ ଘୋଷଣା କରିଛନ୍ତି।
ବିଜୟ ସରକାର ‘ଅନ୍ନପୂର୍ଣ୍ଣୀ ସୁପର ସିକ୍ସ’ ଯୋଜନା ଅଧୀନରେ ଯୋଗ୍ୟ ପରିବାରଗୁଡ଼ିକୁ ବର୍ଷକୁ ୩ଟି ଏଲପିଜି ସିଲିଣ୍ଡର ଦେବାକୁ ଘୋଷଣା କରିଛନ୍ତି। ଏହି ଯୋଜନା ୨୦୨୭ ପୋଙ୍ଗଲ ପର୍ବଠାରୁ ଲାଗୁ ହେବ। ବାର୍ଷିକ ପରିବାର ଆୟ ୨.୫ ଲକ୍ଷ ଟଙ୍କାରୁ ଅଧିକ ନଥିବା ପରିବାର ଏହାର ଲାଭ ପାଇପାରିବେ। ସରକାରଙ୍କ ଆକଳନ ଅନୁସାରେ ପ୍ରାୟ ୧.୩୦ କୋଟି ପରିବାର ଏହାଦ୍ୱାରା ଉପକୃତ ହେବେ।
ସିଲିଣ୍ଡର କିଣିବା ଓ ଡେଲିଭରି ହେବା ପରେ ତାହାର ଖର୍ଚ୍ଚ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିଜିପି ମାଧ୍ୟମରେ ଜମା କରାଯିବ। ଏହି ଯୋଜନା ପାଇଁ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୪,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ଆକଳନ କରାଯାଇଛି।
ବିଧାନସଭାରେ ବିଜୟ କହିଛନ୍ତି ଯେ, ଗଲ୍ଫ ଅଞ୍ଚଳରେ ଚାଲିଥିବା ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ରନ୍ଧନ ଗ୍ୟାସ୍ ଯୋଗାଣରେ ବାଧା ଏବଂ ଦର ବୃଦ୍ଧି ଘଟିଛି। ଏହା ଫଳରେ ଘରୋଇ ବଜେଟ୍ ଉପରେ ଅତିରିକ୍ତ ଚାପ ପଡ଼ିଛି। ସେହି ଆର୍ଥିକ ବୋଝ କମାଇବା ଉଦ୍ଦେଶ୍ୟରେ ସରକାର ଏହି ଯୋଜନା ଆଣିଥିବା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ନିର୍ବାଚନ ସମୟରେ ବିଜୟଙ୍କ ଦଳ ଟିଭିକେ ପକ୍ଷରୁ ପରିବାର ପିଛା ବର୍ଷକୁ ୬ଟି ମାଗଣା ଏଲପିଜି ସିଲିଣ୍ଡର ଦେବାର ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ଏବେ ପ୍ରଥମ ପର୍ଯ୍ୟାୟରେ ୩ଟି ସିଲିଣ୍ଡର ପାଇଁ ବ୍ୟବସ୍ଥା କରାଯାଇଛି।
ଏହା ସହିତ ବିଜୟ ସରକାର ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପାଇଁ ମାଗଣା ବସ୍ ଯାତ୍ରା ପାଇଁ ଘୋଷଣା କରିଛନ୍ତି। ମହିଳାଙ୍କ ମାଗଣା ଯାତ୍ରା ସୁବିଧାକୁ ମଧ୍ୟ ଅଧିକ ବସ୍ ସେବାକୁ ବଢ଼ାଯିବ। ଏହି ବିସ୍ତାରିତ ବ୍ୟବସ୍ଥାକୁ ‘ଭେଟ୍ରି ପୟନମ୍’ ନାମରେ ଲାଗୁ କରାଯିବ।
ଏହି ଯୋଜନା ୨ ଅକ୍ଟୋବର ୨୦୨୬ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀଠାରୁ ଲାଗୁ ହେବ ବୋଲି ଘୋଷଣା କରାଯାଇଛି। ମହିଳା ଓ ଟ୍ରାନ୍ସଜେଣ୍ଡର ଯାତ୍ରୀମାନେ ସହରାଞ୍ଚଳରେ ସରକାରୀ ବସ୍ରେ ମାଗଣା ଯାତ୍ରା କରିପାରିବେ।
ମାଗଣା ବସ୍ ଯାତ୍ରା ଯୋଜନା ପାଇଁ ତାମିଲନାଡୁ ସରକାରଙ୍କୁ ବାର୍ଷିକ ପ୍ରାୟ ୬,୦୦୦ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିବ। ଏହି ସୁବିଧାରେ ଆୟ ସୀମା କିମ୍ବା ଯାତ୍ରା ସଂଖ୍ୟା ଉପରେ କୌଣସି ସୀମା ରହିବ ନାହିଁ।
ବିଜୟ କହିଛନ୍ତି ଯେ, ମହିଳାଙ୍କ ଯାତାୟାତ ସ୍ୱାଧୀନତା ସେମାନଙ୍କ ଆର୍ଥିକ ସ୍ୱାଧୀନତା ଓ ପରିବାରର ପ୍ରଗତି ସହ ଜଡ଼ିତ। ତେଣୁ ଯାତାୟାତ ଖର୍ଚ୍ଚ ଯୋଗୁଁ ଯେପରି କୌଣସି ମହିଳା ନିଜ ସୁଯୋଗରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଯୋଜନାକୁ ବ୍ୟାପକ କରାଯାଉଛି।
ବିଧାନସଭାରେ ବିଜୟ ସରକାର ଚେନ୍ନାଇ ନିକଟ ପ୍ରସ୍ତାବିତ ପାରନ୍ଦୁର ଗ୍ରୀନ୍ଫିଲ୍ଡ ବିମାନବନ୍ଦର ପ୍ରକଳ୍ପକୁ ଆଗକୁ ନେବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ଏଥି ପାଇଁ ବିକଳ୍ପ ସ୍ଥାନ ଚିହ୍ନଟ କରାଯାଇଥିବା ଏବଂ ସେଗୁଡ଼ିକର ସର୍ଭେ କରାଯିବ ବୋଲି କୁହାଯାଇଛି।