ଗିଚାମୁଡ଼ା ଗ୍ରାମପଞ୍ଚାୟତରେ ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେସନ୍‌ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ସ୍ୱାସ୍ଥ୍ୟସେବାର ସୁବିଧା ପାଇଲେ ୨୬୭ ଜଣ ହିତାଧିକାରୀ

ଝାରସୁଗୁଡ଼ା, ୨୬/୦୮: ସ୍ଥାନୀୟ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେସନ୍‌ ପକ୍ଷରୁ ଗିଚାମୁଡ଼ା ଗ୍ରାମପଞ୍ଚାୟତଠାରେ ଏକ ବହୁମୁଖୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ମାଗଣାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି।

ଏହି ଶିବିରରେ ଅସ୍ଥିଶଲ୍ୟ, ଶିଶୁରୋଗ ଏବଂ ସାଧାରଣ ଚିକିତ୍ସା ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ରୋଗୀଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ଦେଇଥିଲେ। ଚିକିତ୍ସା ପରାମର୍ଶ ସହ ଲୋକଙ୍କୁ ମାଗଣା ଔଷଧ ଏବଂ ରକ୍ତଚାପ, ହିମୋଗ୍ଲୋବିନ୍ ଓ ରକ୍ତଗ୍ଲୁକୋଜ୍ ପରି ପ୍ରାଥମିକ ରକ୍ତ ପରୀକ୍ଷା ସେବା ଯୋଗାଇ ଦିଆଯାଇଥିଲା।

ସମୁଦାୟ ୨୬୭ ଜଣ ହିତାଧିକାରୀ ଏହି ଶିବିରରୁ ସ୍ୱାସ୍ଥ୍ୟସେବା ସୁବିଧା ପାଇଛନ୍ତି। ସାଧାରଣତଃ ଏହି ଅଞ୍ଚଳର ଲୋକଙ୍କୁ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ପାଇଁ ୪୦ରୁ ୫୦ କିଲୋମିଟର ଦୂରକୁ ଯିବାକୁ ପଡ଼ିଥାଏ। ତେଣୁ ଏହି ଗ୍ରାମୀଣ ଶିବିର ମାଧ୍ୟମରେ ସେମାନଙ୍କ ଘର ପାଖରେ ଠିକ୍ ସମୟରେ ବିଶେଷଜ୍ଞ ଚିକିତ୍ସା ସେବା ପହଞ୍ଚିପାରିଛି, ଯାହା ସ୍ଥାନୀୟ ଲୋକଙ୍କ ପାଇଁ ଅତ୍ୟନ୍ତ ସହାୟକ ହୋଇଛି।

ଏହି ସ୍ୱାସ୍ଥ୍ୟ ଶିବିରରେ ପଶ୍ଚିମ ଓଡ଼ିଶା ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେସନ୍‌ର ମୁଖ୍ୟ ଶ୍ରୀ ବିଶାଳ ରାଜ୍, ଗିଚାମୁଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ରାଜୀବ କିଶାନ ଏବଂ ସ୍ଥାନୀୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଗ୍ରାମାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏବଂ ଲୋକଙ୍କ ଆରୋଗ୍ୟ ସାଧନ ପାଇଁ ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେସନ୍‌ ଏବଂ ‘ଦି ହାନ୍ସ ଫାଉଣ୍ଡେସନ୍‌’ ର ନିରନ୍ତର ପ୍ରଚେଷ୍ଟାକୁ ଏହି କାର୍ଯ୍ୟକ୍ରମ ପ୍ରତିଫଳିତ କରୁଛି।