ଜମି ଦୁର୍ନୀତି ମାମଲାରେ ତହସିଲଦାର ଓ ଏଆରଆଇ ସସ୍‌ପେଣ୍ଡ

ଉଭୟଙ୍କୁ ଜିଲ୍ଲା ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ

ନୂଆପଡ଼ା, ୨୬/୦୮: ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅଧୀନରେ ଜମି ମାଲିକାନା ହସ୍ତାନ୍ତରକୁ ନେଇ ଉଠିଥିବା ଅଭିଯୋଗ ମାମଲାରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହୋଇଛି। ଘଟଣାରେ କୋମନା ତହସିଲଦାର ତଥା ସବ୍‌-ରେଜିଷ୍ଟ୍ରାର ସର୍ବେଶ୍ୱର ଜାଲଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଏଆର୍‌ଆଇ ରାମନାଥ ମିଶ୍ରଙ୍କୁ ମଧ୍ୟ ସସ୍‌ପେଣ୍ଡ କରାଯାଇଛି।

ସୂଚନା ଅନୁସାରେ, କୋମନା ତହସିଲ ଅଧୀନ ଚାନ୍ଧୋପଲା ମୌଜାର ଜମି ମାଲିକାନାକୁ ନେଇ ବିବାଦ ଉପୁଜିଥିଲା। ପ୍ରକୃତ ଜମି ମାଲିକଙ୍କ ଅଜାଣତରେ ତାଙ୍କ ଜମି ଅନ୍ୟ ଜଣଙ୍କ ନାମରେ ହସ୍ତାନ୍ତର ହୋଇଥିବା ଅଭିଯୋଗ ଆସିଥିଲା। ଏପରିକି ଜାଲ୍‌ ପରିଚୟପତ୍ର ବ୍ୟବହାର କରି ଜମି ବିକ୍ରି କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା।

ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ରିପୋର୍ଟ ଅନୁସାରେ, ବିଭାଗୀୟ ହସ୍ତକ୍ଷେପ ପରେ ମୂଳ ଖାତାକୁ ୪.୪୦ ଡିସିମିଲ ଜମି ଫେରସ୍ତ କରାଯାଇଥିବା ଜଣାପଡ଼ିଛି। ତେବେ ଜମି ହସ୍ତାନ୍ତର ସମ୍ପର୍କିତ ଡିଲକୁ ବାତିଲ କରିବାର କ୍ଷମତା ରାଜସ୍ୱ ଅଧିକାରୀଙ୍କ ପାଖରେ ନଥିବାରୁ ଏଥିପାଇଁ ଆଇନଗତ ପ୍ରକ୍ରିୟାର ଆଶ୍ରୟ ନେବାକୁ ଜମି ମାଲିକଙ୍କୁ ପରାମର୍ଶ ଦିଆଯାଇଥିବା ସୂଚନା ମିଳିଛି।

ଏହି ଘଟଣାରେ କୋମନା ତହସିଲଦାର ତଥା ସବ୍‌-ରେଜିଷ୍ଟ୍ରାର ସର୍ବେଶ୍ୱର ଜାଲଙ୍କ ବିରୋଧରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି। ସେହିପରି ଏଆର୍‌ଆଇ ରାମନାଥ ମିଶ୍ରଙ୍କୁ ନୂଆପଡ଼ା ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। ନିଲମ୍ବନ ସମୟରେ ଉଭୟ ଅଧିକାରୀଙ୍କୁ ଜିଲ୍ଲା ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।