ସ୍କୁଲକୁ ହିଜାବ ପିନ୍ଧି ଯାଇପାରିବେନି ଛାତ୍ରୀ: ହାଇକୋର୍ଟ

‘ଇସଲାମରେ ହିଜାବ ପିନ୍ଧିବା ଅତ୍ୟାବଶ୍ୟକ ଧାର୍ମିକ ପ୍ରଥା ନୁହେଁ’

ନୂଆଦିଲ୍ଲୀ, ୨୬/୦୮: ସ୍କୁଲରେ ହିଜାବ ପିନ୍ଧିବା ଉପରେ ରୋକ୍ ଲଗାଇଲେ ହାଇକୋର୍ଟ। ଇସଲାମ ଧର୍ମରେ ମହିଳାମାନଙ୍କ ପାଇଁ ମୁଣ୍ଡରେ ସ୍କାର୍ଫ କିମ୍ବା ହିଜାବ ପିନ୍ଧିବା ଏକ ‘ଅତ୍ୟାବଶ୍ୟକ ଧାର୍ମିକ ପ୍ରଥା’ ନୁହେଁ ବୋଲି ଆହ୍ଲାବାଦ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

ପ୍ରୟାଗରାଜର ଜଣେ ମୁସଲିମ୍ ଛାତ୍ରୀ ସ୍କୁଲରେ ଥିବା ନିୟମାନୁଯାୟୀ ୟୁନିଫର୍ମ ସହିତ ହିଜାବ ପିନ୍ଧିବାକୁ ଅନୁମତି ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ସେ ଦଶମ ଶ୍ରେଣୀ ପାସ୍ କରିବା ପରେ ସେହି ସ୍କୁଲରେ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ। କିନ୍ତୁ ହିଜାବ ପିନ୍ଧିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ଅନୁମତି ନ ଦେବାରୁ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ସେ କହିଥିଲେ ଯେ, ଷଷ୍ଠ ଶ୍ରେଣୀରୁ ସ୍କୁଲରେ ହିଜାବ ପିନ୍ଧି ଆସୁଛନ୍ତି ଏବଂ ଇସଲାମରେ ଏହା ଧାର୍ମିକ ଦୃଷ୍ଟିରୁ ଏହା ଅତ୍ୟାବଶ୍ୟକ। ତେଣୁ ଏବେ ମଧ୍ୟ ପିନ୍ଧିବାକୁ ଅନୁମତି ମାଗିଥିଲେ।

ତେବେ ଜଷ୍ଟିସ୍ ଜେ.ଜେ. ମୁନିର ଏବଂ ଜଷ୍ଟିସ୍ ଇନ୍ଦ୍ରଜିତ୍ ଶୁକ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଥିଲେ। କୋର୍ଟ କହିଥିଲେ ଯେ ହିଜାବ ପିନ୍ଧିବା ଇସଲାମର ଏକ ବାଧ୍ୟତାମୂଳକ କିମ୍ବା ଅତ୍ୟାବଶ୍ୟକ ପ୍ରଥା ବୋଲି ପ୍ରମାଣ କରିବା ପାଇଁ ଆବେଦନକାରୀ କୌଣସି ଠୋସ ଧାର୍ମିକ ତଥ୍ୟ କିମ୍ବା ପ୍ରମାଣ ଉପସ୍ଥାପନ କରିପାରିନାହାନ୍ତି। ଏକ ଘରୋଇ ଶିକ୍ଷାନୁଷ୍ଠାନ ନିଜ ପରିସରରେ ଶୃଙ୍ଖଳା ଓ ସମାନତା ବଜାୟ ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ଡ୍ରେସ କୋଡ୍ ଲାଗୁ କରିବାର ଅଧିକାର ରଖିଛି। ୟୁନିଫର୍ମର ସଂଜ୍ଞା ସମସ୍ତଙ୍କ ପାଇଁ ସମାନ। ଏପରିକି କୋର୍ଟ ଉକ୍ତ ନାବାଳିକା ଛାତ୍ରୀ ପଢୁଥିବା ଶ୍ରେଣୀଗୃହର ଫଟୋ ମଧ୍ୟ ଦେଖିଥିଲେ। ସେଠାରେ ଇସଲାମ ଧର୍ମର ଅନ୍ୟ କୌଣସି ବି ଛାତ୍ରୀ ହିଜାବ ପିନ୍ଧି ନଥିଲେ। ତେଣୁ ଆବଶ୍ୟକ ପ୍ରମାଣ ଅଭାବରୁ ଛାତ୍ରୀଙ୍କ ଆବେଦନ ଖାରଜ କରିଥିଲେ ହାଇକୋର୍ଟ।

ତେବେ ଏହି ରାୟ ପରେ କେତେକ ଧାର୍ମିକ ସଂଗଠନ ଓ ଆଇନ ବିଶାରଦ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ କହିବାନୁଯାୟୀ, କୋର୍ଟରେ ସଠିକ୍ ଭାବେ ତଥ୍ୟ ଉପସ୍ଥାପନ କରାଯାଇପାରିନଥିଲା, ତେଣୁ ସେମାନେ ଏହି ନିଷ୍ପତ୍ତିର ପୁନର୍ବିଚାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ।