ପଟିଆ ROB, ଡ୍ରେନେଜ୍ ଓ ମା’ ଶିଖରଚଣ୍ଡୀ ମନ୍ଦିରର ବିକାଶ କାର୍ଯ୍ୟ ସମୀକ୍ଷା
ଷ୍ଟାଣ୍ଡିଂ କମିଟିକୁ ଧନ୍ୟବାଦ ଜଣାଇଲେ ଗୋଲକ ମହାପାତ୍ର
ଭୁବନେଶ୍ୱର, ୨୬/୦୮: ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜନସମସ୍ୟା ଓ ବିକାଶମୂଳକ କାର୍ଯ୍ୟକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ଏକ ବିସ୍ତୃତ ସମୀକ୍ଷା କରାଯାଇଛି। ପଟିଆ ରେଳ ଷ୍ଟେସନ୍ ନିକଟରେ ପ୍ରସ୍ତାବିତ ROB, ୱାର୍ଡ ନଂ–୪ର ଜଳବନ୍ଦୀ ଓ ଡ୍ରେନେଜ୍ ସମସ୍ୟା, ଶିଖରଚଣ୍ଡୀ ପାନୀୟ ଜଳ ପ୍ରକଳ୍ପ ଏବଂ ମା’ ଶିଖରଚଣ୍ଡୀ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା ହୋଇଛି।
ଏହି ସମୀକ୍ଷା ସମୟରେ ବିଜେପି ନେତା ଶ୍ରୀ ଗୋଲକ ମହାପାତ୍ର ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଥିଲେ। ଉତ୍ତର ଭୁବନେଶ୍ୱରବାସୀଙ୍କ ଦୀର୍ଘଦିନର ସମସ୍ୟାଗୁଡ଼ିକର ସମାଧାନ ପାଇଁ ଷ୍ଟାଣ୍ଡିଂ କମିଟି ପକ୍ଷରୁ ଗୁରୁତ୍ୱ ଦିଆଯାଇଥିବାରୁ କମିଟିର ଚେୟାରମ୍ୟାନ ତଥା ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ, ସମସ୍ତ ସଦସ୍ୟ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ଧନ୍ୟବାଦ ଜଣାଇଛନ୍ତି।
ପଟିଆ ROB: ପଟିଆ ରେଳ ଷ୍ଟେସନ୍ ନିକଟରେ ପ୍ରସ୍ତାବିତ ROB ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ଜାନୁଆରୀ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ କରି କାମ ଆରମ୍ଭ କରିବା ଏବଂ ପରବର୍ତ୍ତୀ ଦୁଇ ବର୍ଷ ମଧ୍ୟରେ ନିର୍ମାଣ ସମ୍ପୂର୍ଣ୍ଣ କରିବା ନେଇ ଆଲୋଚନା ହୋଇଛି। ଜମି ଅଧିଗ୍ରହଣ ପ୍ରକ୍ରିୟା ସହିତ ଖୋର୍ଦ୍ଧା ରୋଡ୍ ରେଲୱେ ଓ ପୂର୍ତ୍ତ ବିଭାଗ ମଧ୍ୟରେ ଆବଶ୍ୟକ ସମନ୍ୱୟ ବୈଠକ କରି କାର୍ଯ୍ୟକୁ ଆଗେଇ ନେବାକୁ କୁହାଯାଇଛି।
ଡ୍ରେନେଜ୍ ଓ ଜଳବନ୍ଦୀ: ୱାର୍ଡ ନଂ–୪ର ବିଭିନ୍ନ ଅଞ୍ଚଳରେ ବର୍ଷାଜଳ ଜମି ରହୁଥିବା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଡ୍ରେନେଜ୍ ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ବର୍ଷାଜଳର ସୁଚାରୁ ନିଷ୍କାସନ ଓ ଜଳବନ୍ଦୀ ସମସ୍ୟାର ନିରାକରଣକୁ ପ୍ରାଥମିକତା ଦିଆଯାଇଛି।
ଶିଖରଚଣ୍ଡୀ ପାନୀୟ ଜଳ ପ୍ରକଳ୍ପ: ପ୍ରକଳ୍ପର ବିଭିନ୍ନ ସ୍ଥାନରେ ପାଇପ୍ ସଂଯୋଗ ଓ ପାଣି ଯୋଗାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଛି। କିଛି ସ୍ଥାନରେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ପାଇପ୍ ବିଛାଇବା କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ଏହାର ଶୀଘ୍ର ସମାଧାନ କରି ସମଗ୍ର ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦିଆଯାଇଛି।
ମା’ ଶିଖରଚଣ୍ଡୀ ମନ୍ଦିର: ଶିଖରଚଣ୍ଡୀ ପାହାଡ଼ରେ ଅବସ୍ଥିତ ପବିତ୍ର ମା’ ଶିଖରଚଣ୍ଡୀ ମନ୍ଦିରରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରାଯାଇଛି। ଆସନ୍ତା ଦଶହରା ପୂଜା ପୂର୍ବରୁ ଚାଲିଥିବା କାର୍ଯ୍ୟ ସମାପ୍ତ କରିବା ସହ କାମର ଗୁଣବତ୍ତା ବଜାୟ ରଖିବା ଏବଂ ଭକ୍ତମାନଙ୍କ ସୁବିଧା ପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି।
ଉତ୍ତର ଭୁବନେଶ୍ୱରର ଯାତାୟାତ, ଡ୍ରେନେଜ୍, ପାନୀୟ ଜଳ, ମୌଳିକ ସୁବିଧା ଏବଂ ଧାର୍ମିକ ପୀଠର ବିକାଶକୁ ପ୍ରାଥମିକତା ଦେଇ ଷ୍ଟାଣ୍ଡିଂ କମିଟି ପକ୍ଷରୁ ସମୀକ୍ଷା କରାଯାଇଥିବାରୁ ଶ୍ରୀ ଗୋଲକ ମହାପାତ୍ର କମିଟିର ଚେୟାରମ୍ୟାନ, ସଦସ୍ୟ ଓ ସମ୍ପୃକ୍ତ ଅଧିକାରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଓ ଉତ୍ତର ଭୁବନେଶ୍ୱରର ସାମଗ୍ରିକ ବିକାଶ ପାଇଁ ଆଗାମୀ ଦିନରେ ମଧ୍ୟ ସମସ୍ତଙ୍କ ସହଯୋଗରେ ପ୍ରୟାସ ଜାରି ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।