ପଞ୍ଜୀକରଣ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିୟମାନୁପାଳନ ସୁନିଶ୍ଚିତ କରିବା ପାଇଁ କଡ଼ା ନଜର ରଖିବା ନିମନ୍ତେ ରାଜସ୍ୱ ବିଭାଗର ନିର୍ଦ୍ଦେଶ
ନୂଆପଡ଼ା ଜିଲ୍ଲାରେ ଜମିର ଜାଲିଆତିପୂର୍ଣ୍ଣ ପଞ୍ଜୀକରଣ ଅଭିଯୋଗରେ କୋମନା ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର ନିଲମ୍ବିତ
ପଞ୍ଜୀକରଣ ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ ପ୍ରଯୁକ୍ତିଭିତ୍ତିକ ବ୍ୟବସ୍ଥା ଉପରେ ରାଜ୍ଯ ସରକାରଙ୍କ ଗୁରୁତ୍ବ
ଭୁବନେଶ୍ୱର, ୨୬/୦୮: ରାଜ୍ୟରେ ଜମି ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ଦାୟିତ୍ୱସମ୍ପନ୍ନ ଏବଂ ନିୟମ ଅନୁପାଳନ ସୁନିଶ୍ଚିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଆସୁଛନ୍ତି। ପଞ୍ଜୀକରଣ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି ପାଇଁ ଅନେକ ପ୍ରଯୁକ୍ତିଭିତ୍ତିକ ବ୍ୟବସ୍ଥା ମଧ୍ୟ ପ୍ରଚଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ପଞ୍ଜୀକରଣ କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟକଳାପ ଉପରେ ନିୟମିତ ମନିଟରିଂ ତଥା କଡ଼ା ନଜର ରଖିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି l
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଜିଲ୍ଲାପାଳମାନଙ୍କୁ ଦେଇଥିବା ବାର୍ତ୍ତାରେ ନୂଆପଡ଼ା ଜିଲ୍ଲାରେ ଜମି ପଞ୍ଜୀକରଣ ସମ୍ପର୍କିତ ଏକ ଗୁରୁତର ଜାଲିଆତି ଘଟଣା ସାମ୍ନାକୁ ଆସିଥିବା ଦର୍ଶାଇଛନ୍ତି l ସୂଚନାଯୋଗ୍ୟ ଯେ, ଏହି ଘଟଣାରେ ନୂଆପଡ଼ା ଜିଲ୍ଲାର କୋମନା ତହସିଲର ତହସିଲଦାର ଭାବେ କାର୍ଯ୍ୟରତ ତଥା ସବ୍-ରେଜିଷ୍ଟ୍ରାରଙ୍କ ଦାୟିତ୍ୱ ତୁଲାଉଥିବା ଅଧିକାରୀ ସର୍ବେଶ୍ଵର ଜାଲଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି l ପ୍ରାଥମିକ ତଦନ୍ତରୁ ସମ୍ପୃକ୍ତ ଅଧିକାରୀ ସ୍ୱାର୍ଥାନ୍ୱେଷୀ ମହଲ ସହ ମିଳିତ ଭାବେ ଏକ ବୃହତ୍ ଜମିଖଣ୍ଡର ଜାଲିଆତିପୂର୍ଣ୍ଣ ପଞ୍ଜୀକରଣକୁ ସହଜ କରିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ନୂଆପଡ଼ା ଜିଲ୍ଲାପାଳଙ୍କଠାରୁ ସୂଚନା ମିଳିବା ପରେ ସମ୍ପୃକ୍ତ ତହସିଲଦାରଙ୍କୁ ରାଜ୍ଯ ସରକାର ତୁରନ୍ତ ନିଲମ୍ବିତ କରିଛନ୍ତି।
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ADM) ତଥା ଜିଲ୍ଲା ରେଜିଷ୍ଟ୍ରାରଙ୍କୁ ପଞ୍ଜୀକରଣ ସମ୍ପର୍କିତ କାର୍ଯ୍ୟକଳାପର ନିୟମିତ ମନିଟରିଂ ସୁନିଶ୍ଚିତ କରି ସ୍ପଷ୍ଟ ନଜର ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି l
ଏଥିସହିତ, ପଞ୍ଜୀକରଣ କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟପ୍ରଣାଳୀ ଓ କାର୍ଯ୍ୟକଳାପର ଆକସ୍ମିକ ପରିଦର୍ଶନ ତଥା ଯାଞ୍ଚ କରିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ; ଯାହାଦ୍ୱାରା ଏଭଳି ଅନିୟମିତତାକୁ ସମୟୋପଯୋଗୀ ଭାବେ ଚିହ୍ନଟ କରି ରୋକାଯାଇପାରିବ।
ପ୍ରଯୁକ୍ତି ବିଦ୍ଯାର ସର୍ବାଧିକ ଉପଯୋଗ ପୂର୍ବକ ପଞ୍ଜୀକରଣ ପ୍ରକ୍ରିୟାରେ ସ୍ଵଚ୍ଛତା ଏବଂ ଉତ୍ତରଦାୟିତ୍ଵ ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରାଥମିକତା। ଏପରି ଅନିୟମିତତାକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବ ନାହିଁ ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ନିୟମର ସମୁଚିତ ଅନୁପାଳନ ସୁନିଶ୍ଚିତ କରିବା ସହ ଦୋଷୀଙ୍କ ବିରୋଧରେ ଯଥାବିଧି ପଦକ୍ଷେପ ନିଆଯିବ l