ରାଜ୍ୟରେ ବନ୍ୟା ଓ ଅତିପ୍ରବଳ ବର୍ଷାଜନିତ ପରିସ୍ଥିତି ନିୟନ୍ତ୍ରଣାଧୀନ
ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ସମନ୍ଵିତ ପ୍ରୟାସରେ ଜନସାଧାରଣଙ୍କ ନିମନ୍ତେ ଉଦ୍ଧାରକାର୍ଯ୍ଯ ଏବଂ ସହାୟତା ସୁନିଶ୍ଚିତ
ଲୋକମାନଙ୍କ ଧନଜୀବନର ସୁରକ୍ଷା ନିମନ୍ତେ ନିରବଚ୍ଛିନ୍ନ କାର୍ଯ୍ୟ କରୁଛି ସ୍ପେଶାଲ୍ ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ
ଭୁବନେଶ୍ୱର, ୨୬/୦୮: ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ (SEOC) ପକ୍ଷରୁ ରାଜ୍ୟର ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିର ସଫଳ ପରିଚାଳନା ଅବ୍ୟାହତ ରହିଛି l ୨୬ ଅଗଷ୍ଟ ୨୦୨୬, ପୂର୍ବାହ୍ନ ୧୧ଟା ସୁଦ୍ଧା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାଜ୍ୟର ବନ୍ୟା ଓ ବର୍ଷା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି l ୧୩ ଅଗଷ୍ଟରୁ ୨୬ ଅଗଷ୍ଟ ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାର ମୋଟ୍ ୯୧ଟି ବ୍ଲକ୍, ୬୦୪ଟି ଗ୍ରାମପଞ୍ଚାୟତ, ୧୮୯୫ଟି ଗ୍ରାମ ଏବଂ ୧୩,୫୦,୩୦୬ ଜଣ ଲୋକ ସାମଗ୍ରିକ ଭାବେ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ନଦୀର ଜଳସ୍ତର ବୃଦ୍ଧି, ଜଳବନ୍ଦୀ ସମସ୍ୟା, ଘାଇ ସୃଷ୍ଟି ଏବଂ ଯୋଗାଯୋଗ ବିଚ୍ଛିନ୍ନ ଆଦି ସମସ୍ତ ସମସ୍ୟା ଉପରେ ନଜର ରଖି ସଫଳତାର ସହ ମୁକାବିଲା କରାଯାଇଛି l ବର୍ତ୍ତମାନ ସାମଗ୍ରିକ ସ୍ଥିତି ସ୍ଥିର ରହିଛି, ତଥାପି କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଜିଲ୍ଲା ଉପରେ କଡ଼ା ନଜର ରଖାଯାଇଛି।
୨୬ ଅଗଷ୍ଟ ୨୦୨୬ ସକାଳ ୮.୩୦ ସୁଦ୍ଧା ପ୍ରାପ୍ତ ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୩.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ସମ୍ବଲପୁର ଜିଲ୍ଲାର ବାମରା ବ୍ଲକରେ ସର୍ବାଧିକ ୪୯.୦ ମିଲିମିଟର ବର୍ଷା ହୋଇଥିବା ବେଳେ ରାଜ୍ୟର ୩୨ଟି ବ୍ଲକ୍ ଏବଂ ୨ଟି ପୌରାଞ୍ଚଳର ୫ଟି ଷ୍ଟେସନରେ ୧୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଅନ୍ୟ ପ୍ରମୁଖ ବର୍ଷା ହୋଇଥିବା ଅଞ୍ଚଳଗୁଡ଼ିକ ମଧ୍ୟରେ ପୁରୀ ଜିଲ୍ଲାର କାକଟପୁରରେ ୪୭.୦ ମିଲିମିଟର, ରାଉରକେଲା ମ୍ୟୁନିସିପାଲ କର୍ପୋରେସନରେ ୩୩.୬ ମିଲିମିଟର, ମାଲକାନଗିରିର ଖଇରପୁଟରେ ୩୩.୦ ମିଲିମିଟର ଏବଂ ଭୁବନେଶ୍ୱର ମହାନଗର ନିଗମ(ଉତ୍ତର ଅଞ୍ଚଳ) ଅଧୀନରେ ୩୩.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଅଗଷ୍ଟ ୧ ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସଞ୍ଚିତ ବର୍ଷା ପରିମାଣ ୩୪୭.୭ ମିଲିମିଟର ରହିଛି, ଯାହାକି ସ୍ୱାଭାବିକ ହାରାହାରି ୨୯୮.୬ ମିଲିମିଟର ତୁଳନାରେ ୧୬.୪% ଅଧିକ ଅଟେ। ସେହିପରି ଚଳିତ ମୌସୁମୀ ଋତୁ ଅର୍ଥାତ ୧ ଜୁନ ୨୦୨୬ ରୁ ୨୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୧୦୩.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ହାରାହାରି ୮୪୩.୦ ମିଲିମିଟର ତୁଳନାରେ ୩୦.୯% ଅଧିକ ଅଟେ।
ମୌସୁମୀ ସମୟର ଜିଲ୍ଲାଗୁଡ଼ିକର ବର୍ଷା ସ୍ଥିତିକୁ ଦେଖିଲେ, ରାଜ୍ୟର ୨୧ଟି ଜିଲ୍ଲାରେ (ବରଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, କଟକ, ସମ୍ବଲପୁର, ଢେଙ୍କାନାଳ, ଭଦ୍ରକ, ଅନୁଗୋଳ, ବଲାଙ୍ଗୀର, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ଜଗତସିଂହପୁର, ଯାଜପୁର, ଏବଂ ପୁରୀ) ସ୍ୱାଭାବିକଠାରୁ ଅଧିକ ବର୍ଷା (+୧୯% ରୁ ଅଧିକ) ହୋଇଛି। ଅବଶିଷ୍ଟ ୯ଟି ଜିଲ୍ଲାରେ (ଝାରସୁଗୁଡ଼ା, କନ୍ଧମାଳ, ରାୟଗଡ଼ା, କୋରାପୁଟ, ଗଞ୍ଜାମ, ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ଏବଂ ଗଜପତି) ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର କୌଣସି ବି ଜିଲ୍ଲାରେ ନିଅଣ୍ଟିଆ କିମ୍ବା ସ୍ୱଳ୍ପ ବର୍ଷା ସ୍ଥିତି ଉପୁଜି ନାହିଁ।
ବର୍ତ୍ତମାନର ରିପୋର୍ଟ୍ ଅନୁଯାୟୀ ୩ଟି ଜିଲ୍ଲା ଯଥା କେନ୍ଦ୍ରାପଡ଼ାର ୫ଟି ବ୍ଲକ୍ , ଭଦ୍ରକର ୨ଟି ବ୍ଲକ୍ ଏବଂ ଯାଜପୁରର ୨ଟି ବ୍ଲକ୍ ବନ୍ୟା ଦ୍ଵାରା ପ୍ରଭାବିତ ଥିବା ବେଳେ ୬୮ଟି ଗ୍ରାମପଞ୍ଚାୟତର ୧୮୯ଟି ଗ୍ରାମର ୮୦୨୮୪ ଲୋକ ପ୍ରଭାବିତ ଅଛନ୍ତି l ବର୍ତ୍ତମାନ ୮୭ଟି ଫ୍ରି କିଚେନ୍ ମାଧ୍ୟମରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି l ୧,୦୨,୪୮୧.୫ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି l ବର୍ତ୍ତମାନର ରିପୋର୍ଟ୍ ଅନୁଯାୟୀ ୨୧ଟି ODRAF, ୧ଟି NDRF, ୩୩ଟି ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ ୨ଟି ପୋଲିସ/ସିଭିଲ ଡିଫେନ୍ସ/ସ୍ଥାନୀୟ ଟିମକୁ ମିଶାଇ ସମୁଦାୟ ୫୭ଟି ଟିମ୍ ନିୟୋଜିତ ଅଛନ୍ତି l
କେନ୍ଦୁଝରର ଆନନ୍ଦପୁରଠାରେ ବୈତରଣୀ ବାମପାର୍ଶ୍ୱରେ ଏବଂ ଯାଜପୁର ତାରାପଡ଼ା ଗ୍ରାମପଞ୍ଚାୟତ ଠାରେ ବୈତରଣୀ-କାଣୀର ଡାହାଣପାର୍ଶ୍ୱରେ ସୃଷ୍ଟ ଘାଇ ଉପରେ କଡ଼ା ନଜର ରଖାଯାଇଛି l
ସଦ୍ୟ ପ୍ରକାଶିତ ତଥ୍ୟ ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ବ୍ଲକ୍, ୩୦ଟି ଗ୍ରାମ ପଞ୍ଚାୟତର ୫୫ଟି ଗ୍ରାମ ଏବଂ ୪,୭୧୦ ଜଣ ଲୋକ ପ୍ରଭାବିତ ଥିବା ବେଳେ ଭଦ୍ରକ ଜିଲ୍ଲାର ୨ଟି ବ୍ଲକ୍, ୧୮ଟି ଗ୍ରାମ ପଞ୍ଚାୟତ, ୭୦ଟି ଗ୍ରାମ ଏବଂ ୨୫,୪୩୨ ଜଣ ଲୋକ ପ୍ରଭାବିତ ଅଛନ୍ତି l ଯାଜପୁର ଜିଲ୍ଲାର ୨ଟି ବ୍ଲକ୍, ୨୦ଟି ଗ୍ରାମ ପଞ୍ଚାୟତ, ୬୪ଟି ଗ୍ରାମ ଏବଂ ୫୦,୧୪୨ ଜଣ ଲୋକ ପ୍ରଭାବିତ ଅଛନ୍ତି l
ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୪୧,୭୬୧ ଜଣ ଉଦ୍ଧାର ହୋଇଥିବା ବେଳେ ୭୬,୦୫୧ ଜଣଙ୍କୁ ଡଙ୍ଗା ଦ୍ୱାରା ସ୍ଥାନାନ୍ତରଣ କରାଯାଇଛି l ୭୭୫ଟି ବିଚ୍ଛିନ୍ନ ଗ୍ରାମକୁ ଯୋଗାଯୋଗ ସଂଯୋଗ କରାଯାଇଥିବା ବେଳେ ୨୧୫ ଜଣଙ୍କୁ ଜରୁରିକାଳୀନ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରଣ କରାଯାଇଛି l ଉଦ୍ଧାର କାର୍ଯ୍ୟରେ ସମୁଦାୟ ୨୧୦ଟି ଡଙ୍ଗା ମୁତୟନ କରାଯାଇଛି l
ସେହିପରି ଆଜି ୨୫,୭୨୦ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୫,୨୫,୩୯୬ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ସମୁଦାୟ ୧.୫ କ୍ୱିଣ୍ଟାଲ ଚାଉଳ, ୬୩୪୬.୭୬ କ୍ୱିଣ୍ଟାଲ ଚୁଡ଼ା, ୬୩୨.୦୧ କ୍ୱିଣ୍ଟାଲ ଗୁଡ଼ ଏବଂ ଆଜି ୪୨୯ଟି (ସମୁଦାୟ ୧୦,୫୧୯ଟି) ପଲିଥିନ୍ ସିଟ୍/ରୋଲ୍ ବଣ୍ଟାଯାଇଛି।
ଆଶ୍ରୟସ୍ଥଳୀ ଗୁଡ଼ିକରେ ପିଇବା ପାଣି, ପରିମଳ, ଆଲୋକ, ଚିକିତ୍ସା ସୁବିଧା ଏବଂ ଶିଶୁ, ଗର୍ଭବତୀ, ବୃଦ୍ଧ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି।
୮୬୧୧ଟି ଟ୍ୟୁବୱେଲ୍ ଓ ୨୪୫ଟି PWS ପ୍ରକଳ୍ପ ପ୍ରଭାବିତ ହୋଇଥିବା ବେଳେ ୫୮୧୬ଟି ଟ୍ୟୁବୱେଲ୍ ଓ ୧୪୪ଟି PWS ବିଶୋଧିତ/ପୁନରୁଦ୍ଧାର କରାଯାଇଛି। ୭୬ଟି ୱାଟର ଟ୍ୟାଙ୍କର, ୧୦,୨୮,୨୬୪ଟି ପାଣି ବୋତଲ/ପାଉଚ୍ ବଣ୍ଟାଯାଇଛି ଏବଂ ୬ଟି ମୋବାଇଲ୍ ୱାଟର ଟ୍ରିଟମେଣ୍ଟ ୟୁନିଟ୍ ନିୟୋଜିତ ଅଛନ୍ତି।ବନ୍ୟାରେ ୭୩,୪୯୫ ଗ୍ରାହକ ପ୍ରଭାବିତ ହୋଇଥିବା ବେଳେ ବିଦ୍ୟୁତ୍ ଯୋଗାଣ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି।
ଯାଜପୁରରେ ୧୮ଟି ସ୍ୱାସ୍ଥ୍ୟ କେନ୍ଦ୍ର/ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ଆଜି ୮୪ଟି ମେଡିକାଲ ଟିମ୍ ଏବଂ ୫୩ଟି ମେଡିକାଲ କ୍ୟାମ୍ପ (ସମୁଦାୟ ୧୫୯ଟି) କାର୍ଯ୍ୟକ୍ଷମ ଅଛନ୍ତି । ସମୁଦାୟ ୩୩,୬୫୩ ଜଣଙ୍କୁ ଚିକିତ୍ସା କରାଯାଇଛି, ୩୦୪ ଝାଡ଼ାବାନ୍ତି ମାମଲା, ୪୯ ସାପକାମୁଡ଼ା ମାମଲା ରିପୋର୍ଟ ହୋଇଛି। ୩୨୭ ଜଣ ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ଓ ୯୯ଟି ପ୍ରସବ କରାଯାଇଛି। ପର୍ଯ୍ୟାପ୍ତ ଔଷଧ, ORS, IV ଫ୍ଲୁଇଡ୍ ଏବଂ ଆଣ୍ଟି ସ୍ନେକ୍ ଭେନମ୍ ଉପଲବ୍ଧ ଅଛି।
୮୮ଟି ରାସ୍ତା ତଥା ପୋଲ ପ୍ରଭାବିତ ହୋଇଥିବା ବେଳେ ୨୬ଟି ଅଞ୍ଚଳରେ ଜଳବନ୍ଦୀଜନିତ ଦୂଷିତ ଜଳ ନିଷ୍କାସନ ଓ ବିଶୋଧନ ଜାରି ରହିଛି। ଟେଲିକମ୍ ଟାୱାର ପ୍ରଭାବିତ ହୋଇନାହିଁ।
ପ୍ରାୟ ୧,୦୨,୪୮୧.୫ ହେକ୍ଟର ଜମିର ଧାନ ଫସଲ ପ୍ରଭାବିତ ହୋଇଥିବା ବେଳେ ୫,୬୦,୩୫୬ ପଶୁ ସମ୍ପଦ ଓ ୫୬,୯୮୩ କୁକୁଡ଼ା ପ୍ରଭାବିତ ହୋଇଛନ୍ତି l ୯୮ଟି ପ୍ରାଣୀଚିକିତ୍ସା ଟିମ୍, ୨୪୨ଟି କ୍ୟାମ୍ପ ମାଧ୍ୟମରେ ୨୫,୨୩୦ ପଶୁଙ୍କୁ ଚିକିତ୍ସା ଏବଂ ଟୀକାକରଣ କରାଯାଇଛି ଏବଂ ୧୫୮୭.୫୬ ମେଟ୍ରିକ୍ ଟନ୍ ଗୋଖାଦ୍ୟ ଯୋଗାଇ ଦିଆଯାଇଛି। ମୋଟ ୪୧ଟି ପଶୁ ମୃତ୍ୟୁ ରିପୋର୍ଟ ହୋଇଛି।
କେନ୍ଦୁଝର ଆନନ୍ଦପୁର ପୌରାଞ୍ଚଳ (ବୈତରଣୀ ବାମପାର୍ଶ୍ୱ ସ୍ଲିପ୍), ହରିଚନ୍ଦନପୁର ଜିରଙ୍ଗ (ଘାଇ), ଏବଂ ଯାଜପୁର ଦଶରଥପୁର ବ୍ଲକର ତାରାପଡ଼ା ଗ୍ରାମ ପଞ୍ଚାୟତ ଏବଂ ବିଞ୍ଝାରପୁର ବ୍ଲକର ଜରି ଗ୍ରାମ ପଞ୍ଚାୟତର ନଉବାଙ୍କ ଗ୍ରାମ (ବୈତରଣୀ/କାଣୀ ଡାହାଣପାର୍ଶ୍ୱ ଘାଇ) ଅଞ୍ଚଳରେ ବିକଳ୍ପ ଯୋଗାଯୋଗ ବ୍ୟବସ୍ଥା କରାଯାଉଛି।
କେନ୍ଦୁଝର ତେଲକୋଇ ବ୍ଲକ୍ରେ NH-49 ବାଧାପ୍ରାପ୍ତ, ୧୦୪ଟି ଜିଲ୍ଲା/ଗ୍ରାମୀଣ ରାସ୍ତା (ସମୁଦାୟ ୨୧୭ଟି) ଏବଂ ୨ଟି ପୋଲ କ୍ଷତିଗ୍ରସ୍ତ ହୋଇଛି। ସମୁଦାୟ ୨୭୯ଟି ଗ୍ରାମ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ବେଳେ ତ୍ଵରିତ ବିକଳ୍ପ ଯୋଗାଯୋଗ ବ୍ୟବସ୍ଥା କରାଯାଇଥିଲା ବେଳେ ମରାମତି ମଧ୍ଯ କରାଯାଉଛି l
ସ୍ପେଶାଲ୍ ରିଲିଫ୍ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ୍ରା କହିଛନ୍ତି ଯେ, ରାଜ୍ୟରେ ଉଦ୍ଧାର ବାହିନୀ, ଖାଦ୍ୟ, ବିଶୁଦ୍ଧ ପିଇବା ପାଣି, ଔଷଧ କିମ୍ବା ରିଲିଫ୍ ସାମଗ୍ରୀର କୌଣସି ଅଭାବ ନାହିଁ ଏବଂ ଆବଶ୍ୟକତା ଅନୁଯାୟୀ ଅଧିକ ସମ୍ବଳ ଯୋଗାଇ ଦେବାକୁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି l ଲୋକମାନେ ବିଭିନ୍ନ ସୁରକ୍ଷା ନିର୍ଦ୍ଦେଶାବଳୀର ଅନୁପାଳନ କରି ନିଜର ଧନଜୀବନ ସହ ସୁରକ୍ଷିତ ରହିବାକୁ ଅନୁରୋଧ କରାଯାଇଛି।