ସ୍ୱାୟତ୍ତ ଶାସନ ଦିବସ ପାଳନ ପ୍ରସ୍ତୁତିର ସମୀକ୍ଷା କଲେ ଏ ସି ଏସ୍ ଶ୍ରୀମତୀ ଉଷା ପାଢ଼ୀ

ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୮/୦୮: ଆସନ୍ତା ଅଗଷ୍ଟ ୩୧ ତାରିଖରେ ପାଳିତ ହେବାକୁ ଥିବା ସ୍ୱାୟତ୍ତ ଶାସନ ଦିବସର ପ୍ରସ୍ତୁତି ଓ ବ୍ୟବସ୍ଥା ସମ୍ପର୍କରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଆଜି ସମୀକ୍ଷା କରିଛନ୍ତି ।

ବୈଠକରେ ଶ୍ରୀମତୀ ପାଢ଼ୀ ପ୍ରସ୍ତାବିତ କାର୍ଯ୍ୟକ୍ରମ ଓ ବିଭିନ୍ନ ବ୍ୟବସ୍ଥାର ଏଜେଣ୍ଡା ଅନୁଯାୟୀ ସମୀକ୍ଷା କରିଥିଲେ । ଆନୁଷ୍ଠାନିକ କାର୍ଯ୍ୟକ୍ରମ, ଜନସାଧାରଣଙ୍କ ପାଇଁ ବିଭିନ୍ନ ନାଗରିକମୁଖୀ ପଦକ୍ଷେପ, କାର୍ଯ୍ୟକ୍ରମ ସ୍ଥଳର ବ୍ୟବସ୍ଥା, ଜନଭାଗୀଦାରିତା, ପ୍ରଚାରପ୍ରସାର ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବିଷୟ ଉପରେ ସେ ବିସ୍ତୃତ ଆଲୋଚନା କରିଥିଲେ ।

ନାଗରିକ-କେନ୍ଦ୍ରିକ ସେବା ପ୍ରଦାନ, ସମାବେଶୀ ନଗର ଉନ୍ନୟନ ଏବଂ ସ୍ଥାନୀୟ ସ୍ୱଶାସନକୁ ସୁଦୃଢ଼ କରିବାରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗୁଡ଼ିକର ଭୂମିକା ଓ ସଫଳତାକୁ ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଅବସର ଭାବେ ସ୍ୱାୟତ୍ତ ଶାସନ ଦିବସର ଗୁରୁତ୍ୱ ଉପରେ ଶ୍ରୀମତୀ ପାଢ଼ୀ ଗୁରୁତ୍ୱାରୋପ କରିଥିଲେ । ସମସ୍ତ କାର୍ଯ୍ୟକ୍ରମର ସୁଚିନ୍ତିତ ଯୋଜନା, ବିଭାଗୀୟ ସମନ୍ୱୟ ଏବଂ ସମୟବଦ୍ଧ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଥିଲେ ।

କାର୍ଯ୍ୟକ୍ରମର ପ୍ରତ୍ୟେକ ଦିଗ ପ୍ରତି ଯଥୋଚିତ ଧ୍ୟାନ ଦେବା ସହ ସମସ୍ତ ପ୍ରସ୍ତୁତି ସମୟସୀମା ମଧ୍ୟରେ ସମାପ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ବିଭାଗ, ସମ୍ପୃକ୍ତ ସଂସ୍ଥା ଓ ପୌରାଞ୍ଚଳ ମଧ୍ୟରେ ନିରନ୍ତର ସମନ୍ୱୟ ରକ୍ଷା କରି କାର୍ଯ୍ୟକ୍ରମକୁ ସୁଚାରୁ ଓ ସଫଳ ଭାବେ ସମ୍ପାଦନ କରିବା ଉପରେ ସେ ଜୋର ଦେଇଥିଲେ ।

ବୈଠକରେ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁ ଚାଲିଥିବା ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରାଯାଇଥିଲା । ସ୍ୱାୟତ୍ତ ଶାସନର ମହତ୍ତ୍ୱ, ନଗର ଉନ୍ନୟନରେ ଏହାର ଅବଦାନ ଏବଂ ନାଗରିକ ସେବାକୁ ଅଧିକ ସୁଦୃଢ଼ କରିବାରେ ପୌର ପରିଷଦ ଗୁଡ଼ିକର ଭୂମିକା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ ସକ୍ରିୟ ଜନଭାଗୀଦାରିତା ଓ ପ୍ରଭାବଶାଳୀ ପ୍ରଚାରପ୍ରସାର ନିଶ୍ଚିତ କରିବାକୁ ଶ୍ରୀମତୀ ପାଢ଼ୀ ପରାମର୍ଶ ଦେଇଥିଲେ ।

ଖାରବେଳ ଭବନ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଗଙ୍ଗାଧର ନାୟକ, ଶ୍ରୀ ବିନୟ କୁମାର ଦାଶ ଓ ଶ୍ରୀମତୀ ଶିଖା ବିଶ୍ୱାଳ, ଅତିରିକ୍ତ ଶାସନ ସଚିବ ଶ୍ରୀ ଶୁଭାନନ୍ଦ ମହାପାତ୍ର, ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଶ୍ରୀ ରବୀନ୍ଦ୍ର ସାହୁ ଓ ଶ୍ରୀ ସୌରିନ୍ଦ୍ର ରାଉତରାୟଙ୍କ ସମେତ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଅଗଷ୍ଟ ୩୧ ତାରିଖରେ ସମଗ୍ର ରାଜ୍ୟରେ ସ୍ୱାୟତ୍ତ ଶାସନ ଦିବସକୁ ସୁଚାରୁ, ସଫଳ ଓ ଗୌରବମୟ ଭାବେ ପାଳନ କରିବା ନିମନ୍ତେ ପ୍ରଶାସନିକ, ଆନୁସଙ୍ଗିକ ଓ ପ୍ରଚାରପ୍ରସାର ସମ୍ପର୍କିତ ପ୍ରସ୍ତୁତିର ଚୂଡ଼ାନ୍ତ ସମୀକ୍ଷା ସହ ବୈଠକ ଶେଷ ହୋଇଥିଲା ।