ଭୁବନେଶ୍ୱର, ୦୨/୦୯: ଓଡ଼ିଶାରେ ଯାନବାହନ ମାଲିକଙ୍କ ପାଇଁ ପିୟୁସିସି ନିୟମକୁ ନେଇ ବଡ଼ ଆଶ୍ୱସ୍ତି ମିଳିଛି। ବୈଧ ପିୟୁସିସି ନଥିବା ଯାନ ଉପରେ ଲାଗୁଥିବା ଜରିମାନାକୁ ହ୍ରାସ କରିଛନ୍ତି ରାଜ୍ୟ ସରକାର। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏନେଇ ସୂଚନା ଦେଇଛନ୍ତି। ପୂର୍ବରୁ ବୈଧ ପିୟୁସିସି ନଥିଲେ ୧୦ ହଜାର ଟଙ୍କା ଜରିମାନାର ବ୍ୟବସ୍ଥା ଥିବା ବେଳେ ଏବେ ଏହାକୁ ସର୍ବାଧିକ ୬ ହଜାର ଟଙ୍କାକୁ କମାଇ ଦିଆଯାଇଛି।
ଯାନ ଅନୁସାରେ ନୂଆ ଜରିମାନା:
ନୂଆ ବ୍ୟବସ୍ଥା ଅନୁସାରେ ୨ ଓ ୩ ଚକିଆ ଯାନ ପାଇଁ ପ୍ରଥମ ଥର ପିୟୁସିସି ନଥିବା ଧରାପଡ଼ିଲେ ୧,୦୦୦ ଟଙ୍କା ଏବଂ ଦ୍ୱିତୀୟ ଥର ଉଲ୍ଲଂଘନ ହେଲେ ୨,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ।
ସେହିପରି କ୍ୟାବ୍, କାର୍ ଓ ଟ୍ରାକ୍ଟର ପାଇଁ ପ୍ରଥମ ଉଲ୍ଲଂଘନ ହେଲେ ୨,୦୦୦ ଟଙ୍କା ଏବଂ ଦ୍ୱିତୀୟ ଉଲ୍ଲଂଘନ ହେଲେ ୫,୦୦୦ ଟଙ୍କା ଫାଇନ୍ ହେବ।
ଅନ୍ୟାନ୍ୟ ଯାନବାହନ କ୍ଷେତ୍ରରେ ପ୍ରଥମ ଥର ପିୟୁସିସି ନଥିଲେ ୩,୦୦୦ ଟଙ୍କା ଏବଂ ଦ୍ୱିତୀୟ ଥର ଉଲ୍ଲଂଘନ ହେଲେ ୬,୦୦୦ ଟଙ୍କା ଜରିମାନା ଲାଗିବ।
ସେହିପରି ଯାନବାହାନ ମାଲିକଙ୍କର ୯୦ ଦିନରୁ ଅଧିକ ସମୟ ଧରି ଇ-ଚାଲାଣ ବକେୟା ରହିଥିଲେ ପିୟୁସିସି ଜାରି କରାଯିବ ନାହିଁ। ଓଡ଼ିଶା ହାଇକୋର୍ଟ ମଧ୍ୟ ଗତ ଫେବ୍ରୁଆରୀରେ ଏହି ବ୍ୟବସ୍ଥାକୁ ନେଇ ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିଥିଲେ। ଅଦାଲତରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ୯୦ ଦିନରୁ ଅଧିକ ସମୟର ପେଣ୍ଡିଂ ଚାଲାଣ ନିଷ୍ପତ୍ତି ନକରିଲେ ପିୟୁସିସି ମିଳିବ ନାହିଁ।